ଆଇଆରବି ପୋଲିସ କମାଣ୍ଡେଂଟ ଶାଗୁଆନ କାଠ ଚାଲାଣ କାରବାର ରେ ସଂପୃକ୍ତ ?

କଳାହାଣ୍ଡି –   ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାର ଅର୍ଦ୍ଧସାମରିକ ବାହିନୀ ଗଠନ କରି ବିଭିନ୍ନ ସ୍ଥାନରେ ମୁତୟନ କରୁଥିବା ବେଳେ ଅସାଧୁ ପଦାଧିକାରୀ ମାନଙ୍କ ବେନିୟମ କାର୍ଯୟକଳାପ ସମଗ୍ର ବିଭାଗକୁ କାଠ ଗଡାରେ ଠିଆ କରାଇ ଦେଇଥାଏ । କଥାରେ ଅଛି ରକ୍ଷକ ଯଦି ଭକ୍ଷକ ସାଜେ ତେବେ କହିବା କାହାକୁ ? ଏଭଳି ଘଟଣା କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଜାରିଙ୍ଗ ଠାରେ ପୋଲିସ ର ଆଇଆରବି ୯ମ ବାଟାଲିଅନ ରେ ଦେଖିବାକୁ ମିଳିଛି । ଆଇଆରବି ୯ମ ବାଟାଲିଅନର କମାଣ୍ଡେଂଟ ଶାଗୁଆନ କାଠ ଚାଲାଣରେ ସଂପୃକ୍ତ ରହି ଫେରାର ଥିବା ବିଷୟ ସମଗ୍ର ଅଂଚଳରେ ଆଲୋଚ୍ୟ ବିଷୟ ହୋଇଛି । ଜୁନାଗଡ- ଭବାନୀପାଟଣା ଜାତୀୟ ରାଜପଥ-୨୬ ପାଶ୍ୱର୍ରେ ଜାରିଙ୍ଗ ଠାରେ ଅବସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜ ବନ୍ଦ ହେବା ପରେ ଉକ୍ତ କୋଠାରେ ଆଇଆରବି ନବମ ବାଟାଲିଅନକୁ ସରକାର ଅବସ୍ଥାପିତ କରିଥିବା ଏହାର ଉଭୟ ପାଶ୍ୱର୍ରେ ସଂରକ୍ଷିତ ଘନା ଜଙ୍ଗଲ ଅଛି । ଏଠାରେ ଶାଳ, ପିଆଶାଳ, ସାଗୁଆନ ଇତ୍ୟାଦି ବହୁମୁଲ୍ୟବାନ ଗଛ ଥିବା ବେଳେ ଜଙ୍ଗଲ ମଧ୍ୟରେ ଜାତୀୟ ରାଜପଥ ଯାଇ ଥିବାରୁ ପୋଲିସ କ୍ୟାମ୍ପ ରହିଲେ ଲୋକଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଉଭୟ ସମ୍ଭବ ବୋଲି କର୍ତୃପକ୍ଷ ବିଚାର କରିଥିଲେ । ତେବେ ଏହି ଆଇଆରବି ୯ମ ବାଟାଲିଅନ ଥାଇ ବିଗତ ଦିନରେ ସେହି ଜାରିଙ୍ଗ ଜଙ୍ଗଲ ମଧ୍ୟରେ ଗଣ ଧର୍ଷଣ ଭଲି ଏକ ସ୍ପର୍ଶ କାତର ଘଟଣା କଳାହାଣ୍ଡି ଜିଲ୍ଲା ପାଇଁ ଲଜ୍ଜା ଆଣିଥିବା ବେଳେ ଗତ ନଭେମ୍ବର ୩୦ତାରିଖରେ ଏହି ବାଟାଲିଅନର ଏକ ଭ୍ୟାନରେ ୩୪ ଖଣ୍ଡ ଶାଗୁଆନ କାଠ ବାହାର ଜିଲାକୁ ଚାଲାଣ ସମୟରେ କେସିଙ୍ଗା ଠାରେ ଧରା ପଡିବା ଭଲି ଘଟନା ଏହି ଆଇଆରବି ବାଟାଲିଅନର କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି ।

ଗତ ନଭେମ୍ବର ୩୦ ତାରିଖ ରାତ୍ରୀରେ ଜଙ୍ଗଲ ବିଭାଗ ପକ୍ଷରୁ କେସିଙ୍ଗା ଠାରେ ଯାଂଚ ସମୟରେ ଓଡି ୦୫ ଏଡି ୦୯୫୪ ନମ୍ବର ଏକ ଭ୍ୟାନକୁ ଅଟକ କରି ୩୪ଖଣ୍ଡ ଶାଗୁଆନ କାଠ ଜବତ କରିଥିଲେ । ଭ୍ୟାନଟି ଜାରିଙ୍ଗ ଆଇଆରବିର ବ୍ୟବହାର ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଡ୍ରାଇଭର ବଂଶୀ ନାହକ ଓ ନବିନ ସାହୁ ସମେତ ଆଇଆରବି କନେଷ୍ଟବଲ ତନ୍ମୟ ଗର୍ତିଆ କୁ ଗିରଫ କରା ଯାଇଥିବା ଜଣାପଡିଥିଲା । ସେମାନେ ଏଥିରେ ନବମ ବାଟାଲିଅନର କମାଣ୍ଡେଂଟ ଦେବେନ୍ଦ୍ର ନାଥ ବେହେରା ଙ୍କ ହାତ ଥିବା ସଂପର୍କରେ କହିବା ପରେ ମ.ରାମପୁର ମାନ୍ୟବର ଜେଏମଏଫସି କୋର୍ଟ ପକ୍ଷରୁ କମାଣ୍ଡେଂଟ ଦେବେନ୍ଦ୍ର ନାଥ ବେହେରାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହପରେ କେସିଙ୍ଗା ରେଞ୍ଜର ଦିନବନ୍ଧୁ ମେହେରଙ୍କ ତତ୍ୱାବଧାନରେ ଜଙ୍ଗଲ ବିଭାଗ ପକ୍ଷରୁ ଗତ ଡିସେମ୍ବର ୫ ତାରିଖରେ ଆଇଆରବି କ୍ୟାମ୍ପକୁ ଆସି ଚୋରା କାଠ ଚାଲାଣ କାରବାରରେ ସଂପୃକ୍ତ ଅଭିଯୁକ୍ତ ଆଇଆରବି କମାଣ୍ଡେଂଟ କୁ ଧରିବା ପାଇଁ ଜାରିଙ୍ଗ ସ୍ଥିତ କେମ୍ପକୁ ଆସିବା ବେଳେ ସେଠାରୁ କମାଣ୍ଡେଂଟ ବେହେରା ଫେରାର ଥିବା ଜଣା ପଡିଥିଲା । ଏହାର କିଛିଦିନ ପରେ କେସିଙ୍ଗା ରେଞ୍ଜର ଦିନବନ୍ଧୁ ମେହେରଙ୍କ ବାଲଙ୍ଗିର ଓ କେସିଙ୍ଗା ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା । କମାଣ୍ଡେଂଟ ବେହେରା ଫନ୍ଦିଫିକର କରି ତାଙ୍କୁ ପ୍ରତିଶୋଧ ପରାୟଣ ହୋଇ ହଇରାଣ କରିବା ଉଦ୍ଦେଶ୍ୟରେ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରାଇଥିବା କେସିଙ୍ଗା ରେଂଜର ଦୀନବନ୍ଧୁ ମେହେର ଗଣମାଧ୍ୟମକୁ କହୁଛନ୍ତି । ତେବେ ସତ୍ୟର ଜୟ ହେବ ଓ କମାଣ୍ଡେଂଟ ନିଶ୍ଚୟ ଧରା ପଡି ଜେଲ ଯିବେ ବୋଲି କହିଛନ୍ତି ।