ଭୁବନେଶ୍ୱର: ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟିକରିଛି । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା କୌଣସି ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ କୌଣସି ବି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା, (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ପ୍ରକ୍ରିୟା ଚଳିତବର୍ଷ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।
ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ, ଯଥା- କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ ।
ଇଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବ୍ସାଇଟ ଅନୁସରଣ କରିପାରିବେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଇ-ମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ଇଗ୍ନୋ ତରଫରୁ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।