33.1 C
Bhubaneswar
Sunday, June 26, 2022
Homeଖେଳଆଇସିସି ଟେଷ୍ଟ୍ ଟିମ୍ ର‌୍ୟାଙ୍କିଙ୍ଗ୍ : ତୃତୀୟକୁ ଖସିଲା ଭାରତ, ଶୀର୍ଷରେ ଅଷ୍ଟ୍ରେଲିଆ

ଆଇସିସି ଟେଷ୍ଟ୍ ଟିମ୍ ର‌୍ୟାଙ୍କିଙ୍ଗ୍ : ତୃତୀୟକୁ ଖସିଲା ଭାରତ, ଶୀର୍ଷରେ ଅଷ୍ଟ୍ରେଲିଆ

ଦୁବାଇ: ନିକଟରେ ଶେଷ ହୋଇଥିବା ଆଶେସ୍ ସିରିଜ୍‌ରେ ଇଂଲଣ୍ଡ ବିପକ୍ଷରେ ୪-୦ର ଆକର୍ଷଣୀୟ ବିଜୟ ପରେ ଅଷ୍ଟ୍ରେଲିଆ ଆଇସିସି ପକ୍ଷରୁ ଜାରି ଟେଷ୍ଟ୍ ଟିମ୍ ର‌୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନ ହାସଲ କରିଛି । ଅନ୍ୟପକ୍ଷରେ ୧-୦ର ପ୍ରାରମ୍ଭିକ ଅଗ୍ରଣୀ ସତ୍ତ୍ୱେ ସାଉଥ୍ ଆଫ୍ରିକାଠାରୁ ୨-୧ରେ ସିରିଜ୍ ହାରିବା ପରେ ଭାରତୀୟ ଟିମ୍ ତୃତୀୟ ସ୍ଥାନକୁ ଖସିଆସିଛି । ତେବେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍‌କୁ ୧-୧ରେ ଡ୍ର’ ରଖିବା ସତ୍ତ୍ୱେ ପ୍ରଥମ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍ଲ୍ୟୁଟିସି) ବିଜେତା ନ୍ୟୁଜିଲାଣ୍ଡ ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଘରୋଇ ସିରିଜ୍‌ରେ ଭାରତ ବିପକ୍ଷରେ ବିଜୟୀ ହୋଇଥିବା ସାଉଥ୍ ଆଫ୍ରିକାକୁ ଗୋଟିଏ ସ୍ଥାନର ଲାଭ ମିଳିଥିବା ବେଳେ ଆଶେସ୍ ସିରିଜ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି ।

ସେଞ୍ଚୁରିଅନ୍‌ରେ ପ୍ରଥମ ଟେଷ୍ଟ ଜିତିଥିବା ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ହାରିବା ଫଳରେ ର‌୍ୟାଙ୍କିଙ୍ଗ୍‌ରେ ନିଜର ଶୀର୍ଷସ୍ଥାନ ହରାଇଛି । ଅଷ୍ଟ୍ରେଲିଆ ୧୧୯ ପଏଣ୍ଟ ସହ ଭାରତଠାରୁ ତିନିଟି ପଏଣ୍ଟ ଉପରେ ରହିଛି । ଭାରତ ୨୦୨୧ରେ ମୋଟ ୧୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଥିଲା । ଗତବର୍ଷ ଭାରତ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା, ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଚାମ୍ପିଅନ୍‌ଶିପ୍ ଫାଇନାଲ୍ ଅନ୍ତର୍ଭୁକ୍ତ ।

ପାକିସ୍ତାନ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ପହଞ୍ଚିଥିବା ବେଳେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଜିମ୍ବାୱେ, ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ନିଜ ନିଜ ସ୍ଥାନରେ ସ୍ଥିର ଅଛନ୍ତି । ସାଉଥ୍ ଆଫ୍ରିକା ଗସ୍ତ ବିରାଟ କୋହଲିଙ୍କ ପାଇଁ ଟେଷ୍ଟ କ୍ୟାପ୍‌ଟେନ୍ ରୂପରେ ଅନ୍ତିମ ଗସ୍ତ ଥିଲା । କାରଣ ସିରିଜ୍‌ରେ ଅପ୍ରତ୍ୟାଶିତ ପରାଜୟ ପରେ ସେ ନେତୃତ୍ୱ ଛାଡ଼ି ଦେଇଥିଲେ । ଗତବର୍ଷ ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଭାରତର ଟି-୨୦ କ୍ୟାପ୍‌ଟେନ୍ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଡିସେମ୍ବରରେ ରୋହିତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ଦିନିକିଆ ଟିମ୍‌ର ମଧ୍ୟ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking