30.1 C
Bhubaneswar
Thursday, April 25, 2024
Homeଅପରାଧହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା : ସମଗ୍ର ଦେଶରେ ଉଠିଲା ଝଡ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା : ସମଗ୍ର ଦେଶରେ ଉଠିଲା ଝଡ

ହାଇଦ୍ରାବାଦ : ମହିଳା ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ପରେ ପୋଡି ହତ୍ୟା କରିବା ଘଟଣା ସାରା ଦେଶକୁ ସ୍ତବ୍ଧ କର ଦେଇଥିବା ବେଳେ ଏହା ଲୋକଙ୍କ ମନରେ ପୁଣିଥରେ ନିର୍ଭୟା ଘଟଣାକୁ ମନେ ପକାଇ ଦେଇଛି | ସଡକରୁ ସୋସାଲ ମିଡିଆ ପର୍ଯ୍ୟନ୍ତ ସବୁଠାରେ ଘଟଣାର ଚର୍ଚ୍ଚା ହେଉଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଠିନରୁ କଠିନ ଦଣ୍ଡ ଲାଗି ଲୋକେ ଦାବି କରୁଛନ୍ତି।କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ନିଜ କୁକର୍ମର ସୁରାଗ ଛାଡିଯାଇଥାଏ । ତେବେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀଙ୍କ କ୍ଷେତ୍ରରେ ବି ଠିକ୍ ସେୟା ଘଟିଛି । ପୁଲିସ ଗୁରବାର ମୃତଦେହ ଜବତ କରିବା ପରେ ମାତ୍ର ୪୮ ଘଂଟା ଭିତରେ ୪ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଥିଲା । ତଦନ୍ତ ଆରମ୍ଭ କରିବା ମାତ୍ରେ ପୁଲିସ ହାତରେ ଲାଗିଥିଲା ଅଭିଯୁକ୍ତଙ୍କ ସଂପର୍କରେ ଗୋଟିଏ ପରେ ଗୋଟିଏ ପ୍ରମାଣ ।
ମେକାନିକ୍ ଦେଲା ପ୍ରଥମ ସୁରାକ୍ । ନିଜ ଜାଲରେ ନିଜେ ଛନ୍ଦି ହେଲେ ଅପରାଧୀ । ଚାରି ଅଭିଯୁକ୍ତ ମହମ୍ମଦ ଆରିଫ, ଶିବା, ନବୀନ ଓ ସି. ଚେନ୍ନକେଶବଲୁ ମହିଳା ଡାକ୍ତରଙ୍କୁ ଫସାଇବାକୁ ଯେଉଁ ଜାଲ ବିଛାଇଥିଲେ, ସେହି ଜାଲ ହିଁ ତାଙ୍କ ପର୍ଦ୍ଦାଫାସ କରିଦେଲା । ଶାଦନଗର ଫ୍ଲାଏଓଭର ତଳୁ ପୀଡିତାଙ୍କ ଅର୍ଧଦଗ୍ଧ ମୃତ ଦେହ ମିଳିବା ପରେ ପୁଲିସକୁ ପ୍ରଥମ ସୁରାକ ମିଳିଥିଲା ଏକ ଟାୟର ମେକାନିକ ଠାରୁ । ମେକାନିକ କହିଥିଲେ ବୁଧବାର ରାତିରେ ଦୁଇ ଜଣ ବ୍ୟକ୍ତି ଏକ ପଙ୍କଚର ଗାଡି ଆଣି ପମ୍ପ ଦେଇଥିଲେ । ଏହାପରେ ସିସିଟିଭି ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରିଥିଲା ପୁଲିସ ।ସେହିପରି ପୀଡିତାଙ୍କୁ ଜାଳି ଦେଇଥିବାରୁ ସବୁ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଂଚ କରିଥିଲା ପୁଲି୍ସ । କୋଠୁର ପେଟ୍ରୋଲ ପମ୍ପରୁ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ମିଳିଥିଲା । ହେଲେ ଯେଉଁ ଟ୍ରକରେ ପୀଡିତାଙ୍କ ମୃତଦେହକୁ ନିଆଯାଇଥିଲା ସେହି ଗାଡିର ନମ୍ବର ଟ୍ରାକ କରି ୪ ଜଣଙ୍କୁ ଗିରଫ କରିପାରିଛି ପୁଲି୍ସ । ଆଇନର ହାତ ବହୁତ ଲମ୍ବା । ଏହାକୁ ଯଥାର୍ଥ ପ୍ରମାଣିତ କରିଛି ହାଇଦ୍ରାବାଦ ପୁଲି୍ସ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪୮ ଘଂଟା ଭିତରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିଛି ।
ଏହି ଘଟଣାରେ ଅଭିଯୁକ୍ତଙ୍କ ପରିବାର ଲୋକେ ପ୍ରଥମ ଥର ମୁହଁ ଖୋଲିଛନ୍ତି । ଅଭିଯୁକ୍ତଙ୍କୁ ଯଦି ମୃତ୍ୟୁଦଣ୍ଡାଦେଶ ବି କରାଯାଏ ଏଥିରେ ସେମାନେ ତିଳେ ମାତ୍ର ବ୍ୟଥିତ ହେବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।
ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ସି.କେଶବଲୁ ଅନ୍ୟତମ। ନାରାୟଣପେଟ ଜିଲ୍ଲାର ମକଠଲ ମଣ୍ଡଳ ଗୁଡିଗଣ୍ଡଲା ଗାଁର କେଶବଲୁଙ୍କ ମା ଶ୍ୟାମଳା ଅଭିଯୁକ୍ତଙ୍କୁ ଫାଶୀ ଦେଇଦିଆଯାଉ ଅଥବା ସେମାନେ ଯେପରି ଡାକ୍ତରଙ୍କୁ ପ୍ରତି କୁକୃତ୍ୟ କରିଛନ୍ତି ଠିକ୍ ସେହିପରି ସେମାନଙ୍କୁ ମଧ୍ୟ ଜୀବନ୍ତ ଜଳାଇ ଦିଆଯାଉ ବୋଲି କହିଛନ୍ତି।ଡାକ୍ତରଙ୍କ ପରିବାରର ଯନ୍ତ୍ରଣା ମୁଁ ବୁଝିପାରୁଛି ବୋଲି ଶ୍ୟାମଳା କହିଥିବା ବେଳେ ମୋର ବି ଝିଅଟିଏ ଅଛି ବୋଲି କହିଛନ୍ତି। ଯେଉଁ ପରିବାରରେ ଝିଅଟିଏ ଅଛି ସେ ପରିବାର କିଭଳି ଯନ୍ତ୍ରଣା ଦେଇ ଗତିକରେ ତାହା ମୁଁ ଭଲଭାବେ ଜାଣେ। ଏହା ଜାଣି ଯଦି ମୋ ପୁଅ ଏଭଳି ଜଘନ୍ୟ ଅପରାଧ କରିଛି ତେବେ ମୁଁ ତା ପକ୍ଷ ନେଲେ ଲୋକେ ଆମକୁ ଘୃଣା କରିବେ ବୋଲି ଶ୍ୟାମଳା କହିଛନ୍ତି।
ଶ୍ୟାମଳା କହିଛନ୍ତି ଯେ ଗୁରୁବାର ସକାଳେ ପୋଲିସ ଯେତେବେଳେ ଘରକୁ ଆସିଲା ତାଙ୍କ ସ୍ୱାମୀ ହତାସ ହୋଇପଡିଥିଲେ। ମାତ୍ର ୫ ମାସ ପୂର୍ବେ କେଶବଲୁର ବିବାହ ହୋଇଥିଲା। ସେ ପସନ୍ଦ କରିଥିବା ଝିଅ ସହ ତାକୁ ବିବାହ କରାଯାଇଥିଲା। ସେ କିଡନୀ ରୋଗୀ ହୋଇଥିବାରୁ ତା ଉପରେ ଘରର ଚାପ ମଧ୍ୟ ନଥିଲା। ପ୍ରତି ୬ ମାସରେ ଆମେ ତାକୁ ନେଇ ହାଇଦ୍ରାବାଦର ନିମ୍ସ ହସ୍ପିଟାଲକୁ ଯାଉଥିଲୁ ବୋଲି ଶ୍ୟାମଳା କାନ୍ଦିକାନ୍ଦି କହିଛନ୍ତି।
ଏହି ଘଟଣାର ଅନ୍ୟ ୨ ଅଭିଯୁକ୍ତ ଜୋଲୁ ଶିବା ଓ ଜୋଲୁ ନବୀନ ମଧ୍ୟ ଗୁଡିଗଣ୍ଡଲା ଗାଁର । ତେବେ ମହମ୍ମଦ ଆରିଫ ପାଖ ଗାଁ ଜକଲୈର ର ବାସିନ୍ଦା। ଆରିଫର ମା ମୁଲେବି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଘଟଣା ପରେ ଆରିଫ ଘରକୁ ଆସିଥିଲା ବୋଲି ମୁଲୈବି କହିଛନ୍ତି। ସେ ଘରକୁ ଆସି ତା ଗାଡିରେ ଧକ୍କା ଲାଗି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା କହିଥିଲା। ତେବେ ଘଟଣା ସମ୍ପର୍କରେ ତା ପିତା ହୁସୈନ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ହେଲେ ଘଟଣା ଜାଣିବା ପରେ ସେ ଯାହା କରିଛି ତାକୁ ତାର ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।
ଗୁଡିଗଣ୍ଡଲା ଗାଁର ୩ ଜଣ ଅଭିଯୁକ୍ତ ଥିବା ବେଳେ ପାଖ ଗାଁ ଜକଲୈରର ଜଣେ ଅଭିଯୁକ୍ତ ଅଛନ୍ତି। ଘଟଣା ପ୍ରଚାରିତ ହେବା ପରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଗାଁକୁ ଆଶି ବିରୋଧ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗାଁ ଦାଣ୍ଡରେ ଛାତ୍ରଛାତ୍ରୀ ନାନା ସ୍ଲୋଗାନ ଦେଇ ଶୋଭାଯାତ୍ରା କରୁଛନ୍ତି। ଘଟଣାରେ ୨ ଗାଁର ନାଁ ପଡିଥିଲା ବେଳେ ଲୋକେ ଏବେ ନିଜକୁ ଅଭିଯୁକ୍ତ ଭଳି ମନେ କରୁଛନ୍ତି। ଲାଜରେ ଘରୁ ପଦାକୁ ବାହାରିବାକୁବି ଏବେ ଲୋକେ ସଙ୍କୋଚ କରୁଥିବା କହୁଛନ୍ତି। ଘଟଣା ସେମାନଙ୍କ ଗାଁକୁ ନିନ୍ଦିତ କରିଥିବା ଲୋକେ କହୁଛନ୍ତି ।
ଏହି ଘଟଣାର ପ୍ରତିବାଦ ପାର୍ଲାମେଣ୍ଟରେ ବି ଉଠିଛି । ଉଭୟ ରାଜ୍ୟସଭା ଓ ଲୋକସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଗଭୀର କ୍ଷୋଭ ପ୍ରକାଶ କରିବା ସହ ପ୍ରଚଳିତ ବ୍ୟବସ୍ଥା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବକୁ ଏସବୁ ଘଟଣା ପାଇଁ ପରୋକ୍ଷରେ ଦାୟୀ କରିଛନ୍ତି । ସମଗ୍ର ଦେଶରୁ ଏଭଳି କଳଙ୍କିତ ବ୍ୟବସ୍ଥା ଓ ଦୁଷ୍କର୍ମକାରୀମାନଙ୍କର ମୂଳୋତ୍ପାଟନ ପାଇଁ କଠୋରରୁ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ଉପରାଷ୍ଟ୍ରପତିଙ୍କ ସମେତ ସମସ୍ତେ ଦାବି ରଖିଛନ୍ତି । ଏପରି କି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ସରକାର କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଲୋକସଭାରେ ସୂଚନା ଦେଇଛନ୍ତି । ସଦସ୍ୟମାନଙ୍କ ଉଦବେଗ ଓ ସମାଲୋଚନାକୁ ଦେଖି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଘଟଣାକୁ ନିନ୍ଦା କରି କହିଥିଲେ ଯେ, ଏଭଳି ଘଟଣା କେବଳ ହାଇଦ୍ରାବଦରେ ନୁହେଁ ଏହା ଗୋଟିଏ ରାଜ୍ୟ କି ସହର ଭିତରେ ସୀମିତ ନାହିଁ ଏଭଳି ଘଟଣା ଦେଶର ବିଭିନ୍ନ ଅଂଚଳରେ ଘଟୁଛି । ଏହା ହେଉଛି ସମାଜର କିଛି ଦୁର୍ବଳସ୍ଥିତି । ଏଣୁ ଆମ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ ରହିଛି । ଆଇନଗତ ଓ ବ୍ୟବସ୍ଥା ଉଭୟରେ ପରିବର୍ତ୍ତନ ଜରୁରୀ । ଏଭଳି ଘଟଣା ପ୍ରଥମେ ଘଟିନାହିଁ, ଏଥିପାଇଁ ନୂଆବିଲ କେବଳ ଆବଶ୍ୟକ ନୁହେଁ । ଏଥିଲାଗି ରାଜନୀତିକ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଛି ଏହାକୁ ବଡ଼ ଜଘନ୍ୟ ଅମାନବୀୟ ଘଟଣା ଆଉ କିଛି ହୋଇ ନପାରେ । ସମସ୍ତେ ଏହି ଘଟଣାକୁ ଭର୍ତ୍ସନା କରୁଛନ୍ତି । ବିରୋଧୀ ବି ଚାହୁଁଛନ୍ତି ଏଥିରେ ଯିଏ ଅପରାଧୀ ଅଛନ୍ତି ତାକୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯାଉଛି । ଏଭଳି ଘଟଣାରେ ଯିଏ ବି ଅପରାଧୀ ଅଛନ୍ତି ସେମାନଙ୍କ ବିରୋଧରେ ଅତି କଠୋରୁ ଅତି କଠୋରତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯେଉଁ ନିୟମ ଆବଶ୍ୟକ ହେବ ତାହା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟସଭା ସାଂସଦ ଜୟା ବଚ୍ଚନ କହିଛନ୍ତି, ବର୍ତ୍ତମାନ ସମୟ ଆସିଛି ନିର୍ଭୟା ହେଉ କି କଠୋରା କି ହାଇଦ୍ରାବାଦ ହେଉ ଯେଉଁ ଘଟଣା ଘଟିଛି ଲୋକେ ଚାହୁଁଛନ୍ତି ସରକାର ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ । ଏଭଳି କିଛି ଦେଶ ଅଛି ଏଭଳି ଘଟଣା ସେଠାରେ ଘଟିଲେ ଲୋକେ ଏହା ଉପରେ ନ୍ୟାୟ ଦେଇଥାନ୍ତି । ଏହା କଠୋର ହେଲେ ବି ମୋର ପ୍ରସ୍ତାବ ହେଉଛି ଏଭଳି ଲୋକମାନଙ୍କୁ ସର୍ବସମ୍ମୁଖକୁ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମନବୀ ଆଜାଦ କହିଛନ୍ତି, ଏଭଳି ଘଟଣାକୁ ସମଗ୍ର ଦେଶରୁ ମୂଳତ୍ପାଟନ କରିବାକୁ ହେଲେ ସମଗ୍ର ସମାଜକୁ ଆଗେଇ ଆସିବାକୁ ପଡ଼ିବ । ପ୍ରତିସ୍ତରରେ ଆଗେଇ ଆସିବାକୁ ହେବ । ସବୁସ୍ଥାନରେ ଏହି ଘଟଣାର ପ୍ରଚାର ହେବା ଦରକାର । ଏହା କେବଳ ଲୋକସଭା କି ବିଧାନସଭା କିମ୍ବା କିଛି ସଂସ୍ଥା ମଧ୍ୟରେ ପ୍ରଚାର ହେବା ବଦଳରେ ସର୍ବତ୍ର ଏହାର ଆଲୋଚନା ଆବଶ୍ୟକ ରହିଛି । ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଅପରାଧୀକୁ ଧରି କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକ ରହିଛି । କିନ୍ତୁ ଅଭିଯୁକ୍ତମାନଙ୍କ ମାଆ ଯେଉଁ ବକ୍ତବ୍ୟ ରଖିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯେତେବେଳେ ଅଭିଯୁକ୍ତଙ୍କ ମାଆ କହିଲେଣି ସେତେବେଳେ ଆମକୁ ଏହା ଉପରେ ଚିନ୍ତାକରି ଅତି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏସବୁ ଘଟଣାରେ ଯେଉଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ତାହା ବହୁତ କମ୍ । ଆମକୁ ବ୍ୟବସ୍ଥାର ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ଯାହାଦ୍ୱାରା ଭବିଷ୍ୟତରେ ଏଭଳି ଘଟଣା ଆଉ ଘଟିବ ନାହିଁ ।
ତେବେ ପରିସ୍ଥିତିର ଗଭୀରତାକୁ ବୁଝିବା ସହ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ପୀଡ଼ିତାଙ୍କ ପରିବାରକୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking