ମୟୁରଭଞ୍ଜ : ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଭାଳିଆଡ଼ିହା ପଞ୍ଚାୟତ ର କେନ୍ଦୁଛାଟିଆ ଗ୍ରାମ ଅଧିନ ଖଡ଼ିଆସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ସ୍ୱାମୀ ଜଣକର ବୟାନ କିନ୍ତୁ ଦର୍ଶାଉଛି ଭିନ୍ନ। ଯାହାର ଛାନଭିନ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ମୃତକ ଜଣଙ୍କ ହେଲେ କାଜଲ ଦେହୁରୀ ବୟସ ୪୨ ବର୍ଷ। କାଜଲଙ୍କ ପୁଅ ରାଜୁ ଦେହୁରୀ ଠାରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ବାପା ତାଙ୍କ ମାଆକୁ ମାରି ଘରର ଲୁହା ପାଇପରେ ଝୁଲାଇ ଦେଇଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ଖବରପାଇ ଆଜି ସକାଳ ୮ସମୟରେ ପହଞ୍ଚି ଥିଲେ। କିନ୍ତୁ ଘରର ଲୁହା କବାଟ ଭିତର ଆଡୁ ବନ୍ଦ ଥିବାରୁ ଗ୍ରାମବାସୀ ତାଙ୍କ ମାଆକୁ ଉଦ୍ଧାର କରିପାରିନଥିଲେ। ପରେ ଖବରପାଇ ବଡ଼ଜାମବଣୀ ଫାଣ୍ଡି ଅଧିକାରୀ ଏବଂ ସବ- ଇନ୍ସପେକ୍ଟର ଶ୍ରୀନିବାସ ମାର୍ଥା ସନ୍ଧ୍ୟା ୫ ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପ୍ରାଥମିକସ୍ତର ତଦନ୍ତ ଅନୁସାରେ ମୃତକ ଏବଂ ତାଙ୍କ ସ୍ୱାମୀ ହରିଆ ଦେହୁରୀ ଦୁହେଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଫଳରେ କାଜଲଙ୍କ ମୃତ୍ୟୁ ହୋଇଯାଇଥିଲା। ସବ- ଇନ୍ସପେକ୍ଟର ଶ୍ରୀ ସାର୍ଥା ଙ୍କ କହିବା ଅନୁଯାୟୀ ମୃତକଙ୍କ ସ୍ବାମୀ ହରିଆ ମଦପିଇ କୁରାଢ଼ୀ ଧରି ଗାଁରେ ବୁଲୁଥିବାରୁ ଗ୍ରାମର କିଛି ଲୋକ ତାକୁ ମାରିବାକୁ ଗତକାଲି ରାତିରେ ଆସିଥିଲେ ଫଳରେ ଭୟରେ ଦୁଇଜଣ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବା କଥା ମୃତା ମହିଳା କାଜଲ ଦେହୁରୀଙ୍କ ସ୍ୱାମୀ ହରିଆ ଦେହୁରୀ କହିଥିବା ନେଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଅନ୍ୟପଟେ ମୃତଦେହରେ କୌଣସି କ୍ଷତଚିହ୍ନନଥିବାରୁ ଶବ ବ୍ୟବଚ୍ଛେଦ ପରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।
-ଘାସିରାମ ବେହେରାଙ୍କ ରିପୋର୍ଟ