ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ମୃତ

ରାୟଗଡ଼ା : ସ୍ୱାମୀର ଶାବଳ ମାଡରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସ୍ୱାମୀ ରତନୁ ନିସିକାକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ରାୟଗଡ଼ା ଥାନା ଫୁଲଗୁଡା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।

ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ହେବା ପରେ ନିଜ ଦ୍ୱିତୀୟ ସ୍ତ୍ରୀ ଚମ୍ପା ନିସିକା(୨୫)ଙ୍କୁ ସ୍ୱାମୀ ଶାବଳରେ ଆତର୍କିତ ଆକ୍ରମଣ କରିଥିଲେ । ଅଭିଯୁକ୍ତ ସ୍ୱାମୀ ରତନୁ ନିସିକା ପୂର୍ବରୁ ବିବାହ କରିଥିଲେ । କୌଣସି କାରଣରୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ । ପରେ ଚମ୍ପା ନିସିକାଙ୍କୁ ବିବାହ କରିଥିଲେ । ଚମ୍ପା ନିସିକାଙ୍କ ଗର୍ଭରୁ ଗୋଟିଏ ୮ ମାସର ଶିଶୁ କନ୍ୟା ରହିଥିବା ବେଳେ ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା । ଗତ ମଙ୍ଗଳବାର ରାତିରେ ରତନୁ ମଦ୍ୟପାନ କରି ଘରକୁ ଫେରିଥିବାବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଭିଯୁକ୍ତ ସ୍ୱାମୀ ରତନୁ ନିସିକା ରାଗିଯାଇ ପାଖରେ ଥିବା ଏକ ଧାରୁଆ ଶାବଳରେ ଚମ୍ପାର ମୁଣ୍ଡ ଓ ବେକକୁ ବାରମ୍ବାର ପ୍ରହାର କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣା ସ୍ଥଳରେ ହିଁ ଚମ୍ପା ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ । ଏହି ହତ୍ୟାକାଣ୍ଡ ଘଟିବା ପରେ କିଛି ସମୟ ପାଇଁ ଫଉଲଗୁଡା ଗ୍ରାମ ଜନଶୂନ୍ୟ ହୋଇପଡ଼ିଥିଲା । ପରେ କୌଣସି ସୂତ୍ରରୁ ଖବରପାଇ ରାୟଗଡା ଟାଉନ୍ ଥାନା ଅଧିକାରୀ ରଶ୍ମରଞ୍ଜନ ପ୍ରଧାନ ସଦଳବଳେ ଉକ୍ତ ଗ୍ରାମକୁ ଯାଇ ଶବ ଜବତ କରିଥିଲେ । ପରେ ଗାଁରେ ଖୋଜାଖୋଜି କରିବା ପରେ ପୁଲିସ ହାତରେ ଲାଗିଥିଲା ଅଭିଯୁକ୍ତ ସ୍ୱାମୀ ରତନୁ ନିସିକା । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଅଧିକାଂଶ ସମୟରେ ମଦ୍ୟପାନ କରେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ମନୋମାଳିନ୍ୟ ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଛି । ଏଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ହେଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । ଆଜି ପୁଲିସ ଉକ୍ତ ଗ୍ରାମକୁ ଯାଇ ମୃତ ଚମ୍ପାଙ୍କ ପରିବାର ଲୋକ ଓ ସାହିପଡ଼ୋଶୀଙ୍କ ବୟାନ ରେକର୍ଡ କରିଛି । କେଉଁ କାରଣରୁ ଅଭିଯୁକ୍ତ ସ୍ୱାମୀ ରତନୁ ନିଜ ସ୍ତ୍ରୀକୁ ହତ୍ୟା କଲା, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣ କରିବା ସହ ଏକାଧିକ ଲୋକଙ୍କୁ ଜେରା କରିଛି ।

LEAVE A REPLY

Please enter your comment!
Please enter your name here