30.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନାର କରୁଣ କାହାଣୀ : ସ୍ତ୍ରୀକୁ ହରାଇ ସ୍ୱାମୀ ଆଖିରୁ ଶୁଖୁନି ଲୁହ 

କରୋନାର କରୁଣ କାହାଣୀ : ସ୍ତ୍ରୀକୁ ହରାଇ ସ୍ୱାମୀ ଆଖିରୁ ଶୁଖୁନି ଲୁହ 

କେନ୍ଦ୍ରାପଡ଼ା : ଆମେ ମୁଲିଆ ଲୋକ । ଖଟିଲେ ଖାଇବୁ । ଆମକୁ ଏକାକରି ସ୍ତ୍ରୀ ଆରପାରିକୁ ଚାଲିଗଲା । କାମ କରିବି କି ରୋଷେଇ କରିବି । ଦୁଇ ଛୁଆକୁ କିପରି ସମ୍ଭାଳିବି ? କାମକୁ ନଗଲେ ଛୁଆ ଉପାସ, ଘରେ ରହିଲେ ପଇସା ନାହିଁ । ଛୁଆ ଦିଇଟା ମା’କୁ ଖୋଜୁଛନ୍ତି । କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଛୁଆଙ୍କ ଆଗରେ ଧୈର୍ଯ୍ୟହରା ହେଉନଥିଲେ ହେଁ ସ୍ତ୍ରୀକୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ସ୍ୱାମୀ । ଦିନଥିଲା ହସ ଖୁସିରେ ଗଢି ଉଠୁଥିଲା ଛୋଟ ପରିବାର । ପରିବାର କହିଲେ ସ୍ୱାମି , ସ୍ତ୍ରୀ , ପୁଅ ଓ ଝିଅ । ଏହି ଛୋଟ ପରିବାର ଉପରେ ହଠାତ ମାଡି ଆସିଲା ଦୁଃଖର କଳା ବାଦଲର ଦାରୁଣ ଦୁଃଖ । ଦାନବ ସାଜି ଆସିଲା ମହାମାରୀ । କରୋନାରେ ଆକ୍ରାନ୍ତ ହେବାପରେ ସ୍ତ୍ରୀକୁ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । ହେଲେ ସବୁ ମୋହ ତୁଟାଲ ପିଲାଛୁଆଙ୍କୁ ଛାଡ଼ିଗଲା ମା’ । ୬ ବର୍ଷର ଝିଅ ଓ ୨ ବର୍ଷର ପୁଅକୁ ନେଇ ଅଭାବି ସଂସାରରେ ବାକିତକ ଜୀବନ କିପରି କାଟିବେ ଚିନ୍ତାରେ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ବଲୁରିଆ ଗାଁର ଅକ୍ଷୟ ରାଉତ । ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ । ଗୋଟିଏ ପଟେ ଦାରିଦ୍ର‌୍ୟ ଅନ୍ୟ ପଟରେ ଛୋଟ ଛୋଟ ୨ ଟି ଛୁଆ । ପିଲାଙ୍କ କଥା ସମ୍ଭାଳିବେ ନା କାମ କରିବେ । ମୂଲ ଲାଗିବାକୁ ଗଲେ କିଏ ଦେଖାଶୁଣା କରିବ ଛୁଆଙ୍କର ? ଏପଟେ ଘରେ ରହିଲେ ପିଲାଙ୍କ ମୁହଁକୁ ଦାନା ଯୋଗାଇବେ କିପରି ? ଏମିତି ଦୋ ଛକିରେ ଅଛନ୍ତି ଅକ୍ଷୟ । କଅଁଳ ନିଷ୍ପାପ ନିରିହ ୨ ଛୁଆ ସବୁବେଳେ ମା’କୁ ଖୋଜୁଛନ୍ତି । କେତେବେଳ କାନ୍ଦି କାନ୍ଦି ଶୋଇପଡନ୍ତି । ମା’ ମଲା ପରେ ପଡୋଶୀ ବି କେତେ କ’ଣ ସାହାଯ୍ୟ କରିବେ । ସରକାରୀ ସୁବିଧା ସୁଯୋଗ କିଛି ଯୋଗାଇ ଦିଆଗଲେ ତେବେ ଅକ୍ଷୟଙ୍କ ପରିବାରକୁ ସାହାଯ୍ୟ ହୁଅନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking