38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ, ପୁରା ଘଟଣା କ’ଣ ଜାଣନ୍ତୁ....

ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ, ପୁରା ଘଟଣା କ’ଣ ଜାଣନ୍ତୁ….

ଶ୍ରୀନଗର : ଆଜିକାଲି ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଜଣେ ବୃଦ୍ଧ ବ୍ୟକ୍ତି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଯିଏକି ନିଜ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ନିଜର ପାଞ୍ଚ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି । ତାଙ୍କ ସ୍ତ୍ରୀଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା । ସ୍ତ୍ରୀ ଚାହୁଁଥିଲେ ଯେ ତାଙ୍କ ସମ୍ପତ୍ତି ସରକାରଙ୍କ ହାତକୁ ଯାଉ । ତେବେ ତାଙ୍କରି ଇଚ୍ଛା ଅନୁସାରେ ହିଁ ବୃଦ୍ଧ ବ୍ୟକ୍ତି ଜଣକ ନିଷ୍ପତ୍ତି ନେଇଥିଲେ ଏବଂ ସରକାରଙ୍କୁ ସେହି ସମ୍ପତ୍ତି ଦାନରେ ଦେଇ ଦେଇଥିଲେ । ଚୁକ୍ତିପତ୍ରରେ ସେ ଉଲ୍ଲେଖ କରିଛନ୍ତି କି, ତାଙ୍କ ଘରକୁ ବୃଦ୍ଧାଶ୍ରମ କରି ଦିଆଯାଉ । ଏହି ମାମଲା ହିମାଚଳ ପ୍ରଦେଶର ହାମିରପୁର ଜିଲ୍ଲାର । ଘଟଣାଟି ଏଠାକାର ବାସିନ୍ଦା ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କନୱରଙ୍କ ସହ ଜଡିତ ରହିଛି । ଡାକ୍ତର ରାଜେନ୍ଦ୍ର କନୱର ହେଉଛନ୍ତି ନାଦୌନର ଜୋଲସପ୍ପଡ ଗାଁ ସନକରର ବାସିନ୍ଦା । ସେ ସ୍ୱାସ୍ଥ୍ୟ ବିଭାଗରୁ ଅବସର ନେଇ ସାରିଛନ୍ତି । ତାଙ୍କ ସ୍ତ୍ରୀ କୃଷ୍ଣା କନୱର ମଧ୍ୟ ମୃତ୍ୟୁ ପୂର୍ବରୁ ଶିକ୍ଷା ବିଭାଗରୁ ଅବସର ନେଇ ସାରିଥିଲେ । ଗତ ବର୍ଷ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଉଭୟଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି । ତେଣୁ ଦୁଇଜଣ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ନିଜର ସବୁ ସମ୍ପତ୍ତି ସରକାରଙ୍କ ନାମରେ କରି ଦେବେ । ସ୍ତ୍ରୀଙ୍କ ନିଧନ ପରେ ଡାକ୍ତର ରାଜେନ୍ଦ୍ର ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି । ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ସମ୍ପର୍କୀୟଙ୍କ ସହିତ ବସି ଆଲୋଚନା କରିଥିଲେ ଏବଂ ଶେଷରେ ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଇଥିଲେ । କୁହାଯାଉଛି କି, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପାଞ୍ଚ କୋଟିରୁ ଅଧିକ ହେବ । ଡାକ୍ତର ରାଜେନ୍ଦ୍ର ଚୁକ୍ତିନାମାରେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି । ସର୍ତ୍ତ ଅନୁଯାୟୀ, ତାଙ୍କ ଘରକୁ ଏକ ବୃଦ୍ଧାଶ୍ରମରେ ପରିଣତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଲୋକମାନଙ୍କୁ ଘରେ ରହିବା ପାଇଁ ଜାଗା ଦିଆଯାଉ ନାହିଁ ଏବଂ ବୃଦ୍ଧାବସ୍ଥାରେ ନାନା ହଇରାଣ, ହରକତ କରାଯାଉଛି, ସେଭଳି ଲୋକଙ୍କୁ ସରକାର ଘରେ ରଖିବାର ବନ୍ଦୋବସ୍ଥ କରନ୍ତୁ । ଡାକ୍ତର ରାଜେନ୍ଦ୍ର କହିଛନ୍ତି ଯେ ବରିଷ୍ଠ ନାଗରିକଙ୍କ ସହିତ ସର୍ବଦା ଆସକ୍ତି ରଖନ୍ତୁ ଏବଂ ସେମାନଙ୍କୁ ଆଦର, ସମ୍ମାନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking