27.1 C
Bhubaneswar
Thursday, April 25, 2024
Homeଅପରାଧବଧୂୂହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, ଶାଶୂ-ଶଶୁର ଫେରାର

ବଧୂୂହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, ଶାଶୂ-ଶଶୁର ଫେରାର

ଖୋର୍ଦ୍ଧା : ସପ୍ତାହେ ନପୂରୁଣୁ ପୁଣି ବାଣପୁରରେ ବଧୂହତ୍ୟା ଅଭିଯୋଗ ହୋଇଛି । ୫ଲକ୍ଷ ଟଙ୍କା ଯୌତୁକ ଦାବି କରିଥିବାବେଳେ ନମିଳିବାରୁ ବୋହୂକୁ ମାରି ପଙ୍ଖାରେ ଓହଳାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ମହିଳାଙ୍କ ସ୍ୱାମୀକୁ ଗିରଫ କରିଥିବାବେଳେ ଶାଶୂ-ଶଶୁର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ୫ବର୍ଷ ପୂର୍ବେ ବାଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ବିଶିଷ୍ଟ ବ୍ୟବସାୟୀ ନନ୍ଦ କିଶୋର ମିଶ୍ରଙ୍କ ସାନ ପୁଅ ରଜତ୍ କୁମାର ମିଶ୍ର ପୁରୀ ସହରର ସତ୍ୟନାରାୟଣ ମହାପାତ୍ରଙ୍କ ଝିଅ ଅନୀତାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବାହାଘର ସମୟରେ ଯୌତୁକ ଆଣିନଥିବାରୁ ଶାଶୂଘର ଲୋକେ ଅନୀତାଙ୍କୁ ଘରେ ପୂରାଉ ନଥିଲେ । ଯୌତୁକ ବାବଦରେ ବାପଘରୁ ୫ଲକ୍ଷ ଟଙ୍କା ଆଣିଲେ ତାଙ୍କୁ ଘରେ ରଖାଯିବ ବୋଲି ଶଶୁର କହିବାରୁ ଉଭୟେ ଅନ୍ୟତ୍ର ରହୁଥିଲେ । ଇତିମଧ୍ୟରେ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ହେବାରୁ ଅନୀତାଙ୍କୁ ଘରକୁ ନେବାପାଇଁ ସତ୍ୟନାରାୟଣ ନନ୍ଦକିଶୋରଙ୍କୁ କହିଥିଲେ । ତେବେ ନନ୍ଦ କିଶୋର ଯୌତୁକ ବାବଦକୁ ୫ଲକ୍ଷ ଟଙ୍କା ଦାବି କରିଥିଲେ । କିଛି ଦିନ ପରେ ଟଙ୍କା ଦେବେ ବୋଲି ସତ୍ୟନାରାୟଣ ପ୍ରତିଶ୍ରୁତି ଦେବାରୁ ଶଶୁର ଘର ଲୋକେ ଅନୀତାଙ୍କୁ ଘରକୁ ନେଇଥିଲେ । ମାତ୍ର ଯୌତୁକ ବାବଦ ଟଙ୍କା ନଦେବା ଯାଏଁ ଅନୀତାଙ୍କୁ ବାପଘର ସହ କଥାବର୍ତା କରିବାକୁ ଦେଉନଥିଲେ । ଗତ ସାବିତ୍ରୀ ଅମାବାସ୍ୟା ସମୟରେ ସତ୍ୟନାରାୟଣ ସାବିତ୍ରୀ ଭାର ନେଇ ସମୁଦି ଘରକୁ ଆସିଥିବା ବେଳେ ଯୌତୁକ ଟଙ୍କା ନଦେଲେ ଶାଶୂଘର ଲୋକେ ତାକୁ ଜୀବନରେ ମାରିଦେବେ ବୋଲି ଅନୀତା ବାପାଙ୍କୁ କହିଥିଲେ ।

ଏହି ପରିସ୍ଥିତିରେ ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ ଅନୀତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କୌଣସି କଥାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଅନୀତା ଶାଢ଼ିରେ ଓହଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ୱାମୀ ରଜତ୍ ପ୍ରକାଶ କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଡାକ୍ତରଙ୍କଠାରୁ ସୂଚନା ପାଇ ବାଣପୁର ପୁଲିସ ପହଂଚି ଅନୀତାଙ୍କ ବାପଘରକୁ ଖବର ଦେବାସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲେ । ଅନୀତାଙ୍କ ବାପଘର ଲୋକେ ଶୁକ୍ରବାରେ ବାଣପୁରରେ ପହଂଚିି ଶାଶୂ-ଶଶୁରଙ୍କ ସମେତ ସ୍ୱାମୀ ଯୌତୁକ ପାଇଁ ଅନୀତାକୁ ମାରିଦେଇଥିବା ଅଭିଯୋଗ କରିବାରେ ପୁଲିସ ଏକ ମାମଲା ରୁଜୁ କରି ସ୍ୱାମୀ ରଜତ୍ କୁମାର ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଗିରଫ ଭୟରେ ଶାଶୂ-ଶଶୁର ଫେରାର ହୋଇଯାଇଛନ୍ତି । ଶବ ବ୍ୟବଚ୍ଛେଦ ରିର୍ପୋଟ ଆସିଲେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking