ଶିକାରୀଙ୍କ ଗୁଳିରେ ଶିକାରୀର ଜୀବନ ଗଲା

ରାୟଗଡା : କାଶୀପୁର ବ୍ଲକ୍ ଅଣ୍ଡରାକଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର କିଛିଲୋକ ବାର୍‌ହା ଶିକାର ଉଦ୍ଦେଶ୍ୟରେ ରଖିଥିବା ବନ୍ଧୁକରୁ ଗୁଳି ଫୁଟି ଯିବା ଫଳରେ ଶିକାରୀ ଦଳ ମଧ୍ୟରୁ ଜଣଙ୍କ ଉପରେ ବାଜି ଯାଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ମୃତ ବ୍ୟକ୍ତି ହେଉଛନ୍ତି କାଳିଆ ଯୋଡି ଗ୍ରାମର ସୁକ୍ରୁ ଝଡ଼ିଆଙ୍କର ପୁଅ ଖଗେଶ୍ୱର ଝଡ଼ିଆ (୩୬) ।

ସୂଚନା ଅନୁଯାୟୀ, କିଛିଦିନ ଧରି ଏକ ଜଙ୍ଗଲୀ ବାର୍‌ହା ଦଳ ଏହି ଅଞ୍ଚଳରେ ଉପଦ୍ରବ ଚଳାଇ ଦିନ ରାତି ମକା, ଧାନ ଫସଲ ନଷ୍ଟ କରୁଥିଲା । ଏଥିରେ ଅତିଷ୍ଠ ହୋଇ ଗ୍ରାମର ପ୍ରାୟ ୨୦ ଜଣ ଉକ୍ତ ବାର୍‌ହା ଶିକାର ଉଦ୍ଦେଶ୍ୟରେ ବାହାରିଥିଲେ । ଇତି ମଧ୍ୟରେ କୋଞ୍ଚ ଗୁମ୍ମା ଗ୍ରାମର ଧନସିଂ ଦିଶରୀଙ୍କର ବନ୍ଧୁକରୁ କୌଣସି ପ୍ରକାରେ ଗୁଳି ବାହାରି ସିଧା କାଳିଆ ଯୋଡି ଗ୍ରାମର ଖଗେଶ୍ୱର ଝଡ଼ିଆଙ୍କ ମୁଣ୍ଡର ପଛ ପଟେ ବାଜିଥିଲା । ଗୁରୁତର ଅବସ୍ଥାରେ ଖଗେଶ୍ୱରଙ୍କୁ ଗାଁ’କୁ ଆଣୁଥିବା ବାଟରେ ଅତ୍ୟଧିକ ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବରକୁ ଗୁପ୍ତରେ ରଖି ଉଭୟ ଗ୍ରାମବାସୀ ବୈଠକ ବସିଥିଲେ । ମୃତ ଖଗେଶ୍ୱରଙ୍କର ୪ଟି ସନ୍ତାନ ପୁଣି ବର୍ତ୍ତମାନ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ଝଡ଼ିଆ ଗର୍ଭବତୀ ରହିଥିବା ଦୃଷ୍ଟିରୁ ଆର୍ôଥକ ସହାୟତା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ବୁଧବାର ସକାଳେ ଉଭୟ ଗ୍ରାମବାସୀଙ୍କର ଉପସ୍ଥିତିରେ ଜୁଇ ଜଳୁ ଥିବାବେଳେ ରାୟଗଡା ଏସଡିପିଓ ତପନ କୁମାର ରଥ ସୂଚନା ପାଇ ତୁରନ୍ତ ଅଣ୍ଡିରାକୋଞ୍ଚ ଥାନାକୁ ଶବ ଜବତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅଣ୍ଡରାକଞ୍ଚ ଥାନା ପକ୍ଷରୁ ଥାନା ଅଧିକାରୀ ଏସଆଇ ସୁକାନ୍ତ କୁମାର ଦଳାଇଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡ଼ା ଶବ ଜବତ କରିଥିଲେ । ପରବର୍ତ୍ତୀ ସମୟରେ ଏ ସଂକ୍ରାନ୍ତରେ ଉଭୟ ଗ୍ରାମର ୧୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଖଗେଶ୍ୱରଙ୍କ ବାପା ଶୁକରୁ ଝଡ଼ିଆ ଉକ୍ତ ମାମଲାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ । ଘଟଣାରେ ସଂପୃକ୍ତ ଉଭୟ ଗ୍ରାମର ୧୮ ଜଣଙ୍କୁ ଅଟକ ରଖି ଅଣ୍ଡରାକାଞ୍ଚ ପୋଲିସ ଅଧିକ ତଦନ୍ତ କରୁଥିବା ଏସ୍‌ପି ଡ. ଶର୍ବଣ ବିବେକ ଏମ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here