ରାଜନଗରରେ ଭୟାବହ ଅଗ୍ନିକାଣ୍ଡ : ୧୭ ବଖରା ପାଉଁଶ

ରାଜନଗର : ରାଜନଗର ବ୍ଲକର ଘଡିଆମାଳ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୮ଟି ପରିବାରର ୧୭ ବଖରା ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି । ତେବେ ନିଦରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବୁଧବାର ସକାଳୁ ବିପନ୍ନ ପରିବାର ପୋଡା ପାଉଁଶ ଭିତରେ ବଞ୍ଚିବାର ରାହା ଖୋଜିବା ଦୃଶ୍ୟ ହୃଦୟ ବିଦାରକ ହୋଇଥିଲା । ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପର୍ଶୁରାମ ରାଉତ । ଆଉ ଦିନ କେଇଟା ପରେ ପର୍ଶୁରାମଙ୍କ ଝିଅର ବାହାଘର ହୋଇଥାନ୍ତା । ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନା ଗହଣା ସହ ୧୦ କୁଇଣ୍ଟାଲ ଧାନ ଓ ସମସ୍ତ ଆସବାସ ପତ୍ର ପୋଡି ପାଉଁଶ ହୋଇଯାଇଛି । ଏହା ରାଜନଗରରେ ଚଳିତବର୍ଷର ପ୍ରଥମ ଭୟାବହ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଘଡିଆମାଳ ଗାଁର ପର୍ଶୁରାମ ରାଉତଙ୍କ ଘରେ ନିଆଁ ଲାଗିଥିଲା । ସେ ସମୟରେ ସମସ୍ତ ପରିବାର ଶୋଇ ରହିଥିଲେ । ନିଆଁ ଧାସ ବାଜିବାରୁ ସମସ୍ତେ ନିଦରୁ ଉଠି ଜୀବନ ବଞ୍ଚାଇବା ପାଇଁ ଘର ବାହାରକୁ ଦୌଡି ପଳାଇ ଆସିଥିଲେ । ଚାହୁଁ ଚାହୁଁ ନିଆଁ ପର୍ଶୁରାମଙ୍କ ଦୁଇପୁଅ ପାର୍ଥ ସାରଥି ଓ ତୀର୍ଥ ସାରଥିଙ୍କ ଘରକୁ ବ୍ୟାପି ଯାଇଥିଲା । ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଅଗ୍ନିର ଲେଲିହାନ ଶିଖା ଏତେ ଭୟଙ୍କର ଥିଲା ଯେ କୌଣସି ଆସବାବପତ୍ର ଉଦ୍ଧାର ହୋଇପାରିନଥିଲା । ୩ଟି ପରିବାରର ୧୨ ବଖରା ଘର ସମେତ ୧୦ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ପରିବାର ଲୋକେ ପିନ୍ଧାଲୁଗା ବ୍ୟତୀତ କୌଣସି ସାମଗ୍ରୀ ଉଦ୍ଧାର କରିପାରିନଥିଲେ । ଏହି ଅଗ୍ନିକାଣ୍ଡ ଯୋଗୁଁ ପର୍ଶୁରାମଙ୍କ ପଡୋଶୀ ହରିଶ୍ଚନ୍ଦ୍ର ରାଉତ, କୁଳମଣି ରାଉତ, ବିଷ୍ଣୁଚରଣ ରାଉତ, ନିରଞ୍ଜନ ରାଉତ, ଅକ୍ଷୟ ରାଉତ ପ୍ରମୁଖ ୫ଟି ପରିବାରର ଗୋଟିଏ ଲେଖାଏଁ ଘର ପୋଡିଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ପଡୋଶୀ ପରିବାରର ଅନ୍ୟ ଘରଗୁଡିକୁ ଅଗ୍ନିକାଣ୍ଡରୁ ରକ୍ଷା କରିଥିଲେ । ବିପନ୍ନ ପରିବାର ଗାଁରେ ଥିବା ଶୂନ୍ୟବାସୀ ଆଶ୍ରମରେ ଆଶ୍ରୟ ନେଇଛନ୍ତି । ଖବରପାଇ ରାଜନଗର ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ୮ଟି ପରିବାରକୁ ପଲିଥିନ ଯୋଗାଇ ଦେଇଛନ୍ତି । ଏଥିସହ ପର୍ଶୁରାମ ଓ ତାଙ୍କ ଦୁଇପୁଅଙ୍କୁ ତହସିଲଦାର ୧୦ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ସରପଞ୍ଚ କୁସୁମଲତା ମଲ୍ଲିକ ବିପନ୍ନ ପରିବାରକୁ ୩ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି ।