କଟକ: କଟକ ଜିଲ୍ଲା ବାଲିପାଟଣା ଥାନା ନିଆଳି-ଫୁଲନଖରା ରାସ୍ତାର ଆମଣାକୁଦ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିି । ପାର୍କିଂ କରିଥିବା ଏକ ହାଇୱାକୁ ପଛରୁ ଏକ କାର ପିଟିବା ଫଳରେ ୭ ବର୍ଷର ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା, ମାଆ ଓ ଦେଢ ବର୍ଷର ଝିଅ ଗୁରୁତର ହୋଇଛନ୍ତି । ସେମାନେ ଜଗତସିଂହପୁରର ହାଜିପୁରାରୁ ନିଆଳି ପହଙ୍ଗା ସ୍ଥିତ ବନ୍ଧୁ ଘରକୁ ବୁଲିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକକ ଜଣକ ହେଲେ ସୁଭ୍ରାଂଶୁ ବେହେରା । ସେ ତାଙ୍କ ବାପା ବିଶ୍ୱରଞ୍ଜନ ବେହେରା, ମା’ ସନ୍ଧ୍ୟାରାଣୀ, ଦେଢ଼ ବର୍ଷର ଭଉଣୀ ବଂଶୀ ସହ ବନ୍ଧୁଘର ଯାଉଥିଲେ । ବିଶ୍ୱରଞ୍ଜନ କାର ଡ୍ରାଇଭିଂ କରୁଥିଲେ । ହଠାତ୍ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ହାଇୱା ପଛରେ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଡ଼ଶପୁର ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତରଖାନାରେ ସୁଭ୍ରାଂଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ଗୁରୁତର ବାପା, ମା’ ଓ ଝିଅଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ।