28.1 C
Bhubaneswar
Friday, March 29, 2024
Homeଓଡିଶାରଥ ଯାତ୍ରା ଇତିହାସ

ରଥ ଯାତ୍ରା ଇତିହାସ

ଭୁବନେଶ୍ୱର: ହରିହର କାନୁନଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ । ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ । ପୁରୀରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି ।

ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଏ ଦୁଇ ପାଖେ ବଳଗଣ୍ଡି କଲେ ।

କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେ ଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking