27.1 C
Bhubaneswar
Thursday, April 25, 2024
Homeଓଡିଶା୬୫ ବର୍ଷରେ ହୀରାକୁଦ ଡ୍ୟାମ, ଏଯାଏ ତୁଟିନି ବିସ୍ଥାପିତଙ୍କ ସମସ୍ୟା

୬୫ ବର୍ଷରେ ହୀରାକୁଦ ଡ୍ୟାମ, ଏଯାଏ ତୁଟିନି ବିସ୍ଥାପିତଙ୍କ ସମସ୍ୟା

ସମ୍ବଲପୁର :  ସ୍ୱାଧୀନ ଭାରତରେ ବିକାଶର ଧାରାକୁ ଆଗେଇ ନେଇଥିବା ହୀରାକୁଦ ଡ୍ୟାମ ପ୍ରକଳ୍ପ ୬୫ ବର୍ଷରେ ପଦାର୍ପଣ କରିଛି । ହେଲେ ଏହି ପ୍ରକଳ୍ପ ଯୋଗୁଁ ବାସ୍ତୁହରା ହୋଇଥିବା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସାଢ଼େ ୨୬ ହଜାର ପରିବାରଙ୍କ ଥଇଥାନ ତ ଦୂରର କଥା ନ୍ୟାର୍ଯ୍ୟ କ୍ଷତିପୂରଣ ପୈଠ ସମସ୍ୟା ଏବେ ବି ଅସମାହିତ ରହିଛି । ୧୯୫୭ ଜାନୁଆରୀ ୧୩ ତାରିଖ ଅର୍ଥାତ ଆଜିର ଦିନରେ ଉଦ୍‌ଘାଟିତ ହୀରାକୁଦ ଡ୍ୟାମ ପ୍ରକଳ୍ପର ସମସ୍ତ ବିସ୍ଥାପିତଙ୍କୁ ସେମାନଙ୍କ ଘରବାଡ଼ି, ଚାଷଜମି ଇତ୍ୟାଦିର କ୍ଷତିପୂରଣ ପୈଠ ହୋଇ ପାରିନାହିଁ । ଡ୍ୟାମ ଯୋଗୁଁ ଗାଁ ସଲିଳ ସମାଧି ଲଭିବା କାରଣରୁ କୌଳିକ ଜୀବିକା ହରାଇଥିବା ଝାଙ୍କର, ଚୌକିଦାର, ନରିହା, ଧୋବା, ଭଣ୍ଡାରୀ ପରିବାରଙ୍କ ଆଦୌ ଥଇଥାନ ହୋଇନଥିବାବେଳେ ପୂରା କ୍ଷତିପୂରଣ ଦିଆଯାଇ ନାହିଁ । ବିସ୍ଥାପିତଙ୍କ ପୁନର୍ବସତି ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଇନାହିଁ । ଏଭଳି ଭାବେ ବିସ୍ଥାପିତ ଓ ସେମାନଙ୍କ ଉତ୍ତରାଧିକାରୀମାନେ ସେମାନଙ୍କ ସାମ୍ବିଧାନିକ ଓ ମାନବିକ ଅଧିକାରରୁ ବଞ୍ଚିତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି)ଙ୍କ ନିର୍ଦ୍ଦେଶକୁ ସମୟବଦ୍ଧ ଭାବେ ପାଳନ କରି ହୀରାକୁଦ ବିସ୍ଥାପିତଙ୍କ ପ୍ରତି କରାଯାଇଥିବା ଅକ୍ଷମଣୀୟ ଅନ୍ୟାୟର କିଛିଟା ପ୍ରାୟଶ୍ଚିତ କରିବାକୁ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଓକିଲ ରାଧାକାନ୍ତ ତ୍ରିପାଠୀ ଦାବି କରିଛନ୍ତି । ବୁଧବାର ଏଠାରେ ଶ୍ରୀ ତ୍ରିପାଠୀ ନିଜ ଫୁଙ୍ଗୁଳା ଶରୀରକୁ ବିକାଶ ବନାମ ବିସ୍ଥାପନର କରୁଣ କାହାଣୀର ପ୍ରତୀକାତ୍ମକ ଚିତ୍ରରେ ଚିତ୍ରିତ କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନର(ଆରଡିସି) ନିରଞ୍ଜନ ସାହୁଙ୍କୁ ଭେଟି ଉପରୋକ୍ତ ମର୍ମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ତ୍ରିପାଠୀଙ୍କ ସହ କେନ୍ଦୁଝର ଜିଲ୍ଲାର ମାନବାଧିକାର କର୍ମୀ ନରେଶଚନ୍ଦ୍ର ସିତାରୀ, ହୀରାକୁଦ ବୁଡ଼ିଅଞ୍ଚଳ ସଂଗ୍ରାମ ସମିତିର ସମ୍ପାଦକ ଗୋପୀନାଥ ମାଝୀ, ନିରାକାର କିଶାନ, ହରିପ୍ରିୟା ମାଝୀ ପ୍ରମୁଖ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking