29.1 C
Bhubaneswar
Saturday, April 20, 2024
Homeଓଡିଶାକୁଳପତି-କଲେଜ ଅଧ୍ୟକ୍ଷଙ୍କ ପ୍ରଥମ ବୈଠକ

କୁଳପତି-କଲେଜ ଅଧ୍ୟକ୍ଷଙ୍କ ପ୍ରଥମ ବୈଠକ

ଭୁବନେଶ୍ୱର:  ପୂର୍ବ ନିଷ୍ପତ୍ତି ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ସରକାରୀ ଓ  ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଘୋଷଣା ପରେ ପରୀକ୍ଷା ସମ୍ପର୍କିତ ପ୍ରଥମ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୯୭ଟି ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା ସମ୍ପର୍କରେ ମତପୋଷଣ କରିଥିଲେ।
ସୂଚନା ଅନୁଯାୟୀ, ମହାବିଦ୍ୟାଳୟର ଅଧ୍ୟାପକମାନେ ମେଣ୍ଟର ଭାବରେ ୟୁଜି ଓ ପିଜି ଫାଇନାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ । ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ଟେଲିଫୋନ୍‌ରେ ଯୋଗାଯୋଗରେ ରହିବେ । ନିଜ ଗ୍ରୁପ୍‌ର ଛାତ୍ରଛାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ମେଣ୍ଟର ଅଧ୍ୟାପକମାନେ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବେ । ଏଥିରେ ଖିଲାପ ହେଲେ ସମ୍ପୃକ୍ତ ମେଣ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମେଣ୍ଟର ଅଧ୍ୟାପକମାନେ କେଉଁସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ତା’ର ତାଲିକା, ଟେଲିଫୋନ୍ ନମ୍ବର ଆଦି ପ୍ରସ୍ତୁତ କରି କଲେଜ୍ ୱେବ୍‌ସାଇଟ୍‌ରେ ଜୁନ୍ ୩୦ ସୁଦ୍ଧା ଅପଲୋଡ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଅପରପକ୍ଷେ +୩(ୟୁଜି) ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ଓ ଫର୍ମ ପୂରଣ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ମୁଖ୍ୟତଃ ଅନଲାଇନରେ ହେବାକୁ ଥିବା ବେଳେ ପରୀକ୍ଷାର ଅବଧି୨ଘଣ୍ଟା ରହିବ । ଉଭୟ ପ୍ରାକ୍ଟିକାଲ ଯୁକ୍ତ ପେପର ଏବଂ ବିନା ପ୍ରାକ୍ଟିକାଲ ବିଷୟ ଲାଗି ୮୦ ମାର୍କର ପରୀକ୍ଷା କରାଯିବ । ସେପ୍ଟମ୍ବର ତୃତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଶ୍ୱବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ୨୦୧୬, ୨୦୧୭ ଓ ୨୦୧୮ ବ୍ୟାଚର ୬ଷ୍ଟ ସେମିଷ୍ଟାର ରେଗୁଲାର ଓ ବ୍ୟାକ ପରୀକ୍ଷାର୍ଥୀ ଫର୍ମପୂରଣ ଜୁଲାଇ ୨ ରୁ ୧୩ ତାରିଖ ଭିତରେ ଏବଂ +୩ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର (କେବଳ ବ୍ୟାକ୍‌) ପିଲାଙ୍କ ଫର୍ମପୂରଣ ଜୁଲାଇ ୧୨ରୁ ୨୨ ତାରିଖ ମଧ୍ୟରେ ଶେଷ ହେବ । କେବଳ ରେଗୁଲାର ଓ ବ୍ୟାକ୍ ପରିକ୍ଷାର୍ଥୀ ଅନ୍‌ଲାଇନ୍ ଫର୍ମ ପୂରଣ କରିପାରିବେ । ଇମ୍ପ୍ରୁଭମେଣ୍ଟ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଏଥିରେ ଫର୍ମପୂରଣ ହେବ ନାହିଁ ।

ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାକୁ କଲେଜ ଆସିବାକୁ ପଡ଼ିବନି । ଛାତ୍ରଛାତ୍ରୀ ପୋର୍ଟାଲରୁ ସିଧାସଳଖ ଫର୍ମ ଡାଉନ୍‌ଲୋଡ୍ କରିପାରିବେ । କଲେଜମାନେ ଜୁଲାଇ ୧୫ ତାରିଖ ସୁଦ୍ଧା ଅନଲାଇନରେ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା କରିବେ । +୩ ୬ଷ୍ଠ ସେମିଷ୍ଟାର ରେଗୁଲାର ଓ ବ୍ୟାକ୍ ଛାତ୍ରଛାତ୍ରୀଙ୍କ ପୋଜେକ୍ଟ ପେପର ଓ ସାକ୍ଷାତକାର ପରୀକ୍ଷା ଜୁଲାଇ ୧୬ରୁ ୩୧ ତାରିଖ ମଧ୍ୟରେ ଶେଷ କରିବାକୁ କୁହାଯାଇଥିବା ବେଳେ ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଥିଓରୀ ପରୀକ୍ଷା କରାଯିବ । ସେହିପରି ୟୁଜି ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ବ୍ୟାକ ପରୀକ୍ଷାର୍ଥଙ୍କ ଅନ୍‌ଲାଇନ୍ ପ୍ରୋଜେକ୍ଟ ପେପର ଦାଖଲ ଏବଂ ସାକ୍ଷାତକାର ପରୀକ୍ଷା ଜୁଲାଇ ୨୪ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଶେଷ କରାଯିବ । ଉକ୍ତ ଛାତ୍ରଛାତ୍ରୀଙ୍କ ଥିଓରୀ ପରୀକ୍ଷା ଅଗଷ୍ଟ ୧୩ ରୁ ୨୮ ତାରିଖ ମଧ୍ୟରେ କରିବାକୁ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅନଲାଇନ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ସେପ୍ଟମ୍ବର ତୃତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking