ମଙ୍ଗଳବାର ଯାଏଁ ଟ୍ୱିନ ସିଟିରେ ଲାଗି ରହିବ ବର୍ଷା

heavy rain

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ମଙ୍ଗଳବାର ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ଘଡଘଡି ସହ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ସତର୍କ ସୂଚନା ଜାରି କରିଛି । ଭୁବନେଶ୍ୱର ଓ କଟକରେ ଆଜି ଓ ଆସନ୍ତାକାଲି (ସୋମବାର) ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଦୁଇ ସହରରେ ଘଣ୍ଟା ପ୍ରତି ପାଖାପାଖି ୨ରୁ ୩ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ଟ୍ୱିନ୍ ସିଟିର ତଳି ଅଞ୍ଚଳରେ ବର୍ଷା ପାଣି ପସିବା ସମ୍ଭାବନା ଥିବାବେଳେ ରାସ୍ତା ଦୃଶ୍ୟମାନ ନ ହେବା ଓ ଖସଡା ହେବ ନେଇ ସତର୍କ ସୂଚନା ଜାରି ହୋଇଛି । ଅସ୍ଥାୟୀ ଭାବେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖା ଦେଇ ପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଲୋକଙ୍କୁ ଯଥାସମ୍ଭବ ଘର ଭିତରେ ରହିବାକୁ ଓ ଗାଡ଼ି ଧିରେ ଚଳାଇବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅନ୍ୟପଟେ, ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ଝିପିଝିପି ବର୍ଷା ଜାରି ରହିଛି ।

ଏଥିସହ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ବି ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧିପାଇବ। ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, କୋରାପୁଟ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, କଟକ, ଦେବଗଡ଼, ଗଜପତି ଓ ସୋନପୁର। ସେହିପରି ୫ ତାରିଖରେ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ବାଲେଶ୍ବର, ଭଦ୍ରକ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ। ୭ ତାରିଖ ପୂର୍ବାହ୍ନ ପର୍ୟ୍ୟନ୍ତ ବର୍ଷା ଲାଗିରହିବ। କୋରାପୁଟ, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ୬ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଯିବ।

LEAVE A REPLY

Please enter your comment!
Please enter your name here