ଭୁବନେଶ୍ୱର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସଆସସି ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ମୁକାବିଲା ପାଇଁ ପ୍ରସ୍ତୁତ ରୁହ। ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୧୨ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ସହ ଅନ୍ୟାନ୍ୟ ଦକ୍ଷିଣ ଓଡିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ମଧ୍ୟାହ୍ନ ୧୨ଟାରେ ଭିଡିଓ କମଫେରେନ୍ସିଂ ମାଧ୍ୟମରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା କରିଥିଲେ ।
ଜିଲ୍ଲାଗୁଡିକ ହେଲା- ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ନୟାଗଡ, ପୁରୀ, ଖୋର୍ଦ୍ଧା , କେନ୍ଦ୍ରାପଡା, ଜଗତସିଂହପୁର, କଟକ, କଳାହାଣ୍ଡି, ଗଞ୍ଜାମ, ଯାଜପୁର , ଭଦ୍ରକ , ବାଲେଶ୍ୱର, ନୂଆପଡା । ଏହି ବୈଠକରେ ଜଳ ସଂପଦ ବିଭାଗର ସବ୍ୱୋର୍ଚ୍ଚ ଯନ୍ତ୍ରୀ, , ଭାରତ ପାଣିପାଗ ବିଭାଗର ନିର୍ଦ୍ଦେଶିକା, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାର୍ଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କୋରାପୁଟ, ମାଲକାନଗିରି ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ କର୍ମ କ୍ଷେତ୍ରରେ ରହି ପରିସ୍ଥିତି ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଦଳଗୁଡିକୁ ନିୟୋଜିତ କରିବା ପାଇଁ ଅଧିକାରୀମାନଙ୍କୁ ଲୋକ ଏବଂ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।










