ହୃଦ୍‌ରୋଗୀଙ୍କ ପାଇଁ ବିପଜ୍ଜନକ ମହାମାରୀ, ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ

ଭୁବନେଶ୍ୱର : କୋଭିଡ୍‌-୧୯ର ଦ୍ୱିତୀୟ ଲହର ହେତୁ ସାରା ଭାରତରେ ଏକ ଜଟିଳ ପରିସ୍ଥିତି ଦେଖାଦେଇଛି । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଅନେକ ଚାପ ପକାଇଛି । ଅନେକ ରୋଗୀ ଏହି ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି, କିନ୍ତୁ ହୃଦ୍‌ରୋଗୀମାନେ ସଂକ୍ରମଣରୁ ସୁସ୍ଥ ହେବା ପରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଡା. ଅନୁପମ ଜେନା କହିଛନ୍ତି । କରୋନରେ ସଂକ୍ରମିତ ଓ ପରେ ସୁସ୍ଥ ହେବା ପରେ ହୃଦ୍‌ଜନିତ ସମସ୍ତ ପରୀକ୍ଷା ଆଉଥରେ କରିବା ପାଇଁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଭାଇରସ୍‌ଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇପାରିବ । ଗୁରୁତର କ୍ଷେତ୍ରରେ ବିଳମ୍ବ କଲେ ରୋଗ ନିରୂପଣ ଓ ଦୁର୍ବଳ ହୃତ୍‌ପିଣ୍ଡ ପାଇଁ ଭବିଷ୍ୟତରେ ହୃଦ୍‌ଘାତର ସମସ୍ୟା ଦେଖା ଦେଇପାରେ । ଏହି ମହାମାରୀ ସମୟରେ ହୃଦ୍‌ରୋଗୀମାନଙ୍କ ପାଇଁ ସବୁଠାରୁ ଅଧିକ ବିପଦ ରହିଛି । ଯେଉଁ ରୋଗୀମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ସତର୍କ ରହିବା ଉଚିତ୍ । କାରଣ କୋଭିଡ୍‌-୧୯ ହେତୁ ଓ ହୃଦ୍‌ରୋଗୀ ଓ କାର୍ଡିଓ ଭାସ୍କୁଲାର ସମସ୍ୟା ଥିବା ରୋଗୀଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଉଛି । ସେମାନେ ଆରୋଗ୍ୟ ଲାଭ କରିବା ପରେ ଇମେଜିଂ ଟେଷ୍ଟ ଓ ଚେକ୍‌ଅପ୍ କରାଇନେବା ଉଚିତ୍ ଯଦ୍ୱାରା ଭାଇରସ୍‌ଜନିତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡ଼ାଯାଇ ପାରିବ ବୋଲି ଶ୍ରୀ ଜେନା କହିଛନ୍ତି ।
ହୃତ୍‌ପିଣ୍ଡରେ ସମସ୍ୟାର ଅର୍ଥ ହେଉଛି ଶରୀରର ଆବଶ୍ୟକତା ଅନୁସାରେ ହୃତ୍‌ପିଣ୍ଡ ସଠିକ୍ ଭାବରେ ପମ୍ପ୍ ନ କରିପାରିବା । ଯାହାର ଜନସାଧାରଣଙ୍କ ମଧ୍ୟରେ ଏକ ତ୍ରୁଟିପୂର୍ଣ୍ଣ ଧାରଣା ରହିଛି । ଏହା ଏକ ଗୁରୁତର ଡାକ୍ତରୀ ଅବସ୍ଥା ଯାହାର ସଠିକ୍ ସମୟରେ ଚିକିତ୍ସା କରାଯିବା ଆବଶ୍ୟକ । ଖୁବ୍ ସମସ୍ୟା କ୍ଷେତ୍ରରେ ହୃତ୍‌ପିଣ୍ଡ ହଠାତ୍ କାର୍ଯ୍ୟ କରିବା ବନ୍ଦ କରେ ନାହିଁ । ଏହା ପରିବର୍ତ୍ତେ ହୃତ୍‌ପିଣ୍ଡର ସମସ୍ୟା ଧୀରେ ଧୀରେ ବିକଶିତ ହୋଇଥାଏ ଓ ହୃତ୍‌ପିଣ୍ଡର ମାଂସପେଶୀ ଧୀରେ ଧୀରେ ସମୟ କ୍ରମେ ଦୁର୍ବଳ ହୋଇଥାଏ । ଏହା ଅନୁଧ୍ୟାନ କରାଯାଇଛି ଯେ, କୋଭିଡ୍ ସଂକ୍ରମଣ ଦ୍ୱାରା ଶରୀରରେ ଗୁରୁତର ପ୍ରବାହ ସୃଷ୍ଟି ହୋଇପାରେ । ଯାହା ହୃତ୍‌ପିଣ୍ଡର ମାଂସପେଶୀକୁ ଦୁର୍ବଳ କରିଥାଏ ଓ ହାଟ ରିଦିମ୍ (ଆରିଥମିଆ)ରେ ଏକ ଅସ୍ୱାଭାବିକତା ସୃଷ୍ଟି କରିଥାଏ । ଯାହାକି ହୃଦ୍‌ଘାତର ଏକ ପ୍ରମୁଖ ବିପଦକାରକ ହୁଏ । ଯଦି ସଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଶ୍ରୀ ଜେନା କହିଛନ୍ତି ।
ଆଧୁନିକ ମେଡିକାଲ୍ ଟେକ୍ନୋଲୋଜି ଓ ମେଡିକାଲ୍ ବିଜ୍ଞାନ ଦ୍ୱାରା ଉନ୍ନତ କାର୍ଡିଆକ୍ ଯନ୍ତ୍ର ପ୍ରଦାନ କରାଯାଇପାରୁଛି ଓ ହୃତ୍‌ପିଣ୍ଡରେ ସମସ୍ୟା ଥିବା ରୋଗୀଙ୍କର ଉପଯୁକ୍ତ ଚିକିତ୍ସା କରାଯାଇପାରୁଛି । ଫଳପ୍ରଦ ଚିକିତ୍ସା ପାଇଁ କାର୍ଡିଆକ୍ ରିସିକ୍ରୋନାଇଜେସନ୍ ଥେରାପି (ସିଆର୍‌ଟି) ବିଭାଇସ୍ ଯଥା ପେସ୍‌ମେକର ଓ ଡିଫିବ୍ରିଲେଟର ଅସ୍ୱାଭାବିକ ହୃତ୍‌ସ୍ପନ୍ଦନକୁ ନିୟନ୍ତ୍ରିତ କରିଥାଏ । ପେସ୍‌ମେକର ସହାୟତାରେ ହୃତ୍‌ପିଣ୍ଡ ସ୍ୱାଭାବିକ ଗତିରେ ସ୍ପନ୍ଦିତ ହୋଇଥାଏ ଓ ଡିଫିବ୍ରିଲେଟର ଇଲେକ୍ଟ୍ରିକ୍ ପଲ୍ ପ୍ରେରଣ କରି ସ୍ୱାଭାବିକ ହୃତ୍‌ସ୍ପନ୍ଦନକୁ ସୁନିଶ୍ଚିତ କରେ । ଅନ୍ୟପକ୍ଷେ ଜନସାଧାରଣ ହୃତ୍‌ପିଣ୍ଡ ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ସହ ଘରେ ବ୍ୟାୟାମ କରନ୍ତୁ ଓ ନିଜକୁ ଫିଟ୍ ରଖନ୍ତୁ । ଦୀର୍ଘସ୍ଥାୟୀ ଆରାମଦାୟକ ଜୀବନଶୈଳୀ ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସନ୍ତୁଳିତ ପୁଷ୍ଟିକର ଭୋଜନ ଗ୍ରହଣ କରନ୍ତୁ । ଆପଣଙ୍କର ଚାପ ଓ ଉଦ୍‌ବିଗ୍ନତାକୁ କମ୍ କରନ୍ତୁ । ଆପଣଙ୍କର ଓଜନ, ଶର୍କରା, ରକ୍ତ ଚାପ ଓ କୋଲେଷ୍ଟେରଲ୍ ସ୍ତରକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ । ଏକ ସୁସ୍ଥ ଜୀବନଶୈଳୀକୁ ଆପଣାଇ ନିଜର ଶରୀର ଓ ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁ ଯାହା କି ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଜରୁରୀ ଅଟେ ବୋଲି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here