28.1 C
Bhubaneswar
Friday, March 29, 2024
Homeଓଡିଶାଆସନ୍ତା ୨ ତାରିଖରୁ ମିଶନ ଇନ୍ଦ୍ରଧନୁଷ

ଆସନ୍ତା ୨ ତାରିଖରୁ ମିଶନ ଇନ୍ଦ୍ରଧନୁଷ

ଭୁବନେଶ୍ୱର :ଆସନ୍ତା  ଦୁଇ ତାରିଖରୁ ଆରମ୍ଭ ହେଉଥିବା ସାର୍ବଜନୀନ ଟୀକାକରଣ କାର‌୍ୟ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ-୨ର ପ୍ରସ୍ତୁତି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମୀକ୍ଷା କରିଛନ୍ତି । ୬ଟି ଆକାଂକ୍ଷୀ ଜିଲ୍ଲା ଯଥା ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଢେଙ୍କାନାଳ ଓ ରାୟଗଡାରେ ମିଶନ ଇନ୍ଦ୍ରଧନୁଷ ଯୋଜନାରେ ଦ୍ୱିତୀୟ ପର‌୍ୟ୍ୟାୟ ଟୀକାକରଣ କରାଯିବ । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ସିଡିଏମ୍ ଏବଂ ଅନ୍ୟ ପଦାଧିକାରୀମାନଙ୍କ ସହିତ ଡାକ୍ତର ମେହେର୍ଦ୍ଦା ଓ ଶ୍ରୀମତୀ ପଣ୍ଡିତ ଭିଡିଓ କନ୍ଫରେନ୍ସି ଜରିଆରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଏହି ସବୁ ଜିଲ୍ଲାର ସମସ୍ତ ଗ୍ରାମ, ପଡା ଓ ବସ୍ତି ଗୁଡିକରେ ଥିବା ପିଲା ଓ ଗର୍ଭବତୀ ମହିଳାଙ୍କୁ ଠାବ କରିବା ସହିତ ପୂର୍ବଥର ଟୀକାକରଣରୁ ବାଦ୍ ପଡିଥିବା ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ସେ କହିଛନ୍ତି । ଏହି ଟୀକାକରଣ ଅଭିଯାନରେ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଯେଭଳି ଟୀକାଦାନ କରାଯିବ ତାହା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ମେହେର୍ଦ୍ଦା ଗୁରୁତ୍ୱ ଦେଇଛନ୍ତି । ଉପରୋକ୍ତ ୬ଟି ଜିଲ୍ଲାରେ ଧାର‌୍ୟ୍ୟ ସମୟ ମଧ୍ୟରେ ଯେଭଳି ଶତ ପ୍ରତିଶତ ଟୀକାକରଣ ହୁଏ ତାହା ଉପରେ ସଚିବ ଗୁରୁତ୍ୱ ଦେଇଛନ୍ତି ।
ମିଶନ ଇନ୍ଦ୍ରଧୁନଷ-୨ରେ ଉପରୋକ୍ତ ୬ଟି ଜିଲ୍ଲାରେ ଆସନ୍ତା ଡିସେମ୍ବର ୨ ତାରିଖରୁ ପ୍ରଥମ ପର‌୍ୟ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ୨୦୨୦ ଜାନୁୟାରୀ ୬ରେ ଦ୍ୱିତୀୟ, ଫେବୃୟାରୀ ୩ରେ ତୃତୀୟ ଓ ମାର୍ଚ୍ଚ ୨ ତାରିଖରେ ଚତୁର୍ଥ ପର‌୍ୟ୍ୟାୟ ଟୀକାକରଣ କରାଯିବ । ବିଗତ ଦିନର ଅଭିଜ୍ଞତା ଆଧାରରେ ମିଶନ ଇନ୍ଦ୍ରଧନୁଷ-୨ର ସଫଳତା ଲାଗି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଜିଲ୍ଲା ସ୍ତରରେ ତାଲିମ ଦିଆଯିବ । ଟୀକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନେ ଯେଭଳି ସମସ୍ତେ ଟୀକା ନେବେ ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବେ । ଦୁଇବର୍ଷରୁ କମ୍ ବୟସର ଶିଶୁ ଓ ଗର୍ଭବତୀ ମହିଳାମାନେ ଯେଭଳି ନିଶ୍ଚିତ ଭାବେ ଟୀକା ନେବେ ତାହା ଉପରେ ଶ୍ରୀମତୀ ପଣ୍ଡିତ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଗୁଡିକୁ ମିଶନ ଇନ୍ଦ୍ରଧନୁଷ-୨ ରେ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧାର‌୍ୟ୍ୟ ସମୟ ମଧ୍ୟରେ ଯେଭଳି ସମସ୍ତଙ୍କୁ ଟୀକାକରଣ କରାଯାଇ ପାରିବ ସେଥିପାଇଁ ସ୍ୱାସ୍ଥ୍ୟ ମିଶନର ତରଫରୁ ଅଫିସରମାନଙ୍କ ଲାଗି ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଟୀକାଦାନ ପାଇଁ ଯୋଗ୍ୟ ବିବେଚିତଙ୍କୁ ଚିହ୍ନଟ ସହିତ ସେମାନଙ୍କର ସମସ୍ତ ସୂଚନା ମିଶନ ଇନ୍ଦ୍ରଧନୁଷ ପୋର୍ଟାଲରେ ଅପଲୋଡ୍ କରିବାପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking