ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସିଜେଆଇଙ୍କ ବଡ ବୟାନ..

ନୂଆଦିଲ୍ଲୀ : ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି | ତେବେ ନେଇ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଶନିବାର ଏକ ବଡ ବୟାନ ଦେଇଛନ୍ତି । ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇବା ଘଟଣାକୁ ସେ ସମାଲୋଚନା କରିଛନ୍ତି । ଯୋଦ୍ଧପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ସିଜେଆଇ ‘ନ୍ୟାୟ କେବେ ବି ତରବରିଆ ଭାବେ ହୁଏ ନାହିଁ’ ବୋଲି କହିଛନ୍ତି। ସେହିପରି ‘ଯଦି ପ୍ରତିଶୋଧ ଭାବନା ରଖି ନ୍ୟାୟ କରାଯାଏ ତେବେ ଏହାର ମୂଳ ଚରିତ୍ର ହିଁ ହରାଇଥାଏ ’ କହିଛନ୍ତି ମୁଖ୍ୟନ୍ୟାୟାଧୀଶ
ରାଜସ୍ଥାନ ଯୋଦ୍ଧପୁରରେ ଶନିବାର ହାଇକୋର୍ଟଙ୍କ ନୂଆ ଭବନ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି। ସେ କହିଥିଲେ ଯେ ନ୍ୟାୟ କେବେ ତରବରିଆ ଭାବେ କରାଯାଇପାରେ ମୁଁ ଭାବିପାରୁନି। ତେବେ ଯଦି ପ୍ରତିଶୋଧ ମନୋବୃତ୍ତି ରଖି ନ୍ୟାୟ କରାଯାଏ ତେବେ ନ୍ୟାୟର ମୂଳ ସ୍ୱରୂପ ହିଁ ବଦଳିଯାଏ। ଏଣୁ କେବେ ବି ପ୍ରତିଶୋଧମୂଳକ ମନଭାବ ରଖି ନ୍ୟାୟ କରାଯାଏନା।
ରାଜସ୍ଥାନ ହାଇକୋର୍ଟ ବିଲ୍ଡିଂର ଉଦଘାଟନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଥିଲେ। ତେବେ କାର୍ଯ୍ୟକ୍ରମରେ ସିଜେଆଇ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ନୂଆ ଭବନରେ ମୁଖ୍ୟ ବିଚାରପତିଙ୍କ କକ୍ଷ ସମେତ ୨୨ଟି ନ୍ୟାୟାଳୟ କକ୍ଷ ରହିଛି। ଏଥିରେ ନିୟମିତ ଶୁଣାଣି କକ୍ଷ ସମେତ ୨ଟି ଲୋକ ଅଦାଲତ କକ୍ଷ ବି ରହିଛି ।