30.1 C
Bhubaneswar
Sunday, July 3, 2022
Homeଓଡିଶାମାଓବାଦୀଙ୍କ ଭୟରେ ହାଟ, ବଜାର ବନ୍ଦ

ମାଓବାଦୀଙ୍କ ଭୟରେ ହାଟ, ବଜାର ବନ୍ଦ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ଲାଠୋର ଥାନା ରେଙ୍ଗାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ସାପ୍ତାହିକ ବଜାର ମଧ୍ୟ ବସିନଥିଲା । ଗତ ୧୫ ତାରିଖରେ ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଏହି ବନ୍ଦ ପାଳନ କରାଯାଇଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଖପ୍ରାଖୋଲ, ଲାଠୋର, ଧଣ୍ଡାମୁଣ୍ଡା ସମେତ ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ଖୋଲା ରହିବା ସହିତ ଜନଜୀବନ ସ୍ୱାଭାବିକ ଥିଲା । ରେଙ୍ଗାଲିରେ ବନ୍ଦ ପାଳନ ହୋଇଥିବା ବେଳେ କିଏ କାହିଁକି ବନ୍ଦ ପାଳନ କଲା ଏ ନେଇ ପ୍ରଶ୍ନ ପଚାରିଲେ ମଧ୍ୟ ଅଞ୍ଚଳବାସୀ ଏ ନେଇ ମୁହଁ ଫିଟାଇ ନଥିଲେ । ରେଙ୍ଗାଲିର ନାଗଡେରା ଭରୁଆମୁଣ୍ଡା, ଖୁରିପାଣି, ସିନ୍ଧବାହାଲି, ଆମ୍ବବାହାଲି, କୁଲିହାମୁଣ୍ଡା ଆଦି ଗ୍ରାମବାସୀ ଭୟ ଆତଙ୍କ ଭିତରେ ରହିଛନ୍ତି ।

ଶୁକ୍ରବାର ରେଙ୍ଗାଲି ସାପ୍ତାହିକ ବଜାର ଦିନ ହୋଇଥିଲେ ମଧ୍ୟ ଆଜି ଜଣେ ହେଲେ ବି ବ୍ୟବସାୟୀ ହାଟକୁ ଆସି ନଥିଲେ । ହାଟରେ ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡି ଗୁଡିକ ସମ୍ପୂର୍ଣ୍ଣ ଖାଲି ପଡିଥିଲା । ଏଥି ସହିତ ସମଗ୍ର ଅଞ୍ଚଳ ଜନଶୂନ୍ୟ ରହିଥିଲା । ସେହିପରି ରେଙ୍ଗାଲି ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଚାହା ପାନ ଦୋକାନ ଠାରୁ ଆରମ୍ଭ କରି ଔଷଧ ଦୋକାନ ପର୍ଯ୍ୟନ୍ତ ପ୍ରାୟ ୩୦ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ସମଗ୍ର ଅଞ୍ଚଳରେ ଅଜଣା ଭୟ ତଥା ନିରବତା ଦେଖିବାକୁ ମିଳିଥିଲା । ଭୟରେ କେହି ପାଟି ଫିଟାଇ ନଥିଲେ । ଅନ୍ୟ ପକ୍ଷରେ ବେହେରାପାଣି ଠାରେ ୧୬ ପ୍ରହର ନାମଯଜ୍ଞ ଚାଲିଥିବା ଜାଣିବାକୁ ମିଳିଛି । ସୂଚନା ଯୋଗ୍ୟ, ଗତ ୧୫ ତାରିଖ ଦିନ ଏହି ବ୍ଲକ୍ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଦୁଇଟି ମାଓବାଦୀ ବ୍ୟାନର ଝୁଲୁଥିବା ଦେଖିବାକୁ ମିଳିଥିଲା । ଗତ ଦୁଇବର୍ଷ ଭିତରେ ପୁଲିସ ଗୁଳିରେ ୨୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଦମନ ବିରୁଦ୍ଧରେ ୨୦ ତାରିଖ ଓଡିଶା ବନ୍ଦ କରିବା ପାଇଁ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking