ନୟାଗଡ଼ : ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ‘ ଗ୍ରହରାଜ’ର ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ ଘଟିଯାଇଛି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ନୟାଗଡ଼ ସହରରେ ଖବର କାଗଜ ସଂସ୍ଥେ ସ୍ଥାପନା କରି ସେ ଲୋକ ଲୋଚନକୁ ଆସିଥିବା ବେଳେ ଜଣେ ର୍ନିଭିକ ସଂପାଦକଭାବେ ସେ ଜଣାଶୁଣା ଥିଲେ ।ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ସାମ୍ବାଦିକତା ସହିତ ଜଡ଼ିତ ଶ୍ରୀଯୁକ୍ତ ମହାପାତ୍ର କିଛି ବର୍ଷ ହେବ ରୋଗ ଶର୍ଯ୍ୟାରେ ପଡ଼ିଥିଲେ ।ଏଥିତସହିତ ଜଣେ ଶିକ୍ଷାବିତ ଓ ସମାଜସେବୀ ଭାବେ ସେ ପ୍ରତିଷ୍ଠା ଲାଭ କରିବା ସହ ଦଶପଲ୍ଲା ଅଂଚଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଏକ ମହାବିଦ୍ୟାଳୟ ସ୍ଥାପନ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଦଶପଲ୍ଲ୍ା ବ୍ଲକ ଅନ୍ତର୍ଗତ ଟାକେରା ସ୍ଥିତ ମଣିନାଗ ବହୁମୁଖୀ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ଚର୍ଚ୍ଚାକୁ ଆସିଥିଲେ ।
ଏଥିସହିତ ସେ ଜଣେ ବିଚକ୍ଷଣ ରାଜନେତା ଭାବେ ପରିଚୟ ଲାଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା ପ୍ରତିଷ୍ଠାତା ସଦସ୍ୟ ଭାବେ ପରିଚୟ ଲାଭ କରିଥିଲେ । ଜଣେ ବ୍ୟଙ୍ଗ କବି ଭାବରେ ତାଙ୍କର ଅନ୍ୟ ଏକ ପରିଚୟ ରହିଥିବା ଜଣାପଡ଼ିଛି । ଆଜି ଭାଟସାହି ପଂଚାୟତ ଅନ୍ତର୍ଗତ ଡିଆଁପଡ଼ା ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଯାଇଛି । ନୟାଗଡ଼ ଜିଲ୍ଲା ଗଣମାଧ୍ୟମ ଜଗତ ସହିତ ଜଡ଼ିତ ଥିବା ବହୁ ବ୍ୟକ୍ତି ଏ ନେଇ ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ଜିଲ୍ଲା ଓ ବ୍ଲକ ସାମ୍ବାଦିକମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।