40.1 C
Bhubaneswar
Thursday, April 25, 2024
Homeଓଡିଶାହରିଦାସପୁର-ପାରାଦୀପ ରେଳ ରାସ୍ତାରେ ଗଡିବ କି ରେଳଗାଡ଼ି ?

ହରିଦାସପୁର-ପାରାଦୀପ ରେଳ ରାସ୍ତାରେ ଗଡିବ କି ରେଳଗାଡ଼ି ?

ଯାଜପୁର: ଉପକୁଳ ଓଡ଼ିଶାର ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାକୁ ରେଳରାସ୍ତା ମାଧ୍ୟମରେ ଯୋଡୁଥିବା ୮୨କିଲୋମିଟର ଲମ୍ବ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଶିଳାନ୍ୟାସ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଅମଳରେ ୧୯୯୯ ମସିହା ଅପ୍ରେଲ ୪ ତାରିଖରେ ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ଵାରା କରା ଯାଇଥିଲା । ଜାତୀୟ ରାଜପଥରେ ଭିଡ଼ ହ୍ରାସ କରିବା ପାଇଁ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଖଣି ଅଞ୍ଚଳରୁ ପାରାଦ୍ୱୀପ ବନ୍ଦରକୁ ରେଳ ଯୋଗେ ମାଲ୍ ପରିବହନ କରିବାର ଯୋଜନା ରଖି ୧୯୯୬-୯୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ପ୍ରକଳ୍ପର ପ୍ରସ୍ତାବନା ଓ ମଞ୍ଜୁରୀ ଲାଭ କରିଥିବା ବେଳେ ୨୦୦୪ ମସିହା ସୁଦ୍ଧା ଏହି ରେଳପଥର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ଏଥିରେ ରେଳ ଚଳାଚଳ କରିବା ପାଇଁ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ୨୦୦୪ ମସିହାରେ କେନ୍ଦ୍ରରେ ଏନଡ଼ିଏ ସରକାର ବଦଳିବା ପରେ ପ୍ରାୟ ୧୦ବର୍ଷ ଧରି ଏହି ରେଳପଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଧିମେଇ ଯାଇଥିଲା ।ଅନ୍ୟପକ୍ଷରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ବିଳମ୍ବିତ ହେଉଥିବା କାରଣରୁ ପ୍ରାରମ୍ଭରେ ପ୍ରକଳ୍ପର ବ୍ୟୟ ଅଟକଳ ୧୫୦୦ କୋଟି ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି ପାଇ ଇତିମଧ୍ୟରେ ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ବ ହୋଇ ସାରିଥିଲେ ମଧ୍ୟ ଏଯାଏଁ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ । ବର୍ଷକ ତଳେ ହରିଦାସପୁରଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ବାଜପୁର ଷ୍ଟେସନ୍ ପର୍ଯ୍ୟନ୍ତ ୪୩.୮ କିମି ରେଳରାସ୍ତାରେ ପରୀକ୍ଷା ମୂଳକ ଭାବେ ଏକ ରେଳ ଇଞ୍ଜିନ୍ ଗଡ଼ିଥିଲା ।

୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ବାକି ଥିବା ବାଜପୁର ଠାରୁ ପାରାଦ୍ବୀପ ପର୍ଯ୍ଯନ୍ତ ରେଳରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ଏଥିରେ ନିୟମିତ ରେଳ ଚଳାଚଳ କରିବ ବୋଲି ସେତେବେଳେ ଏହି ରେଳ ପ୍ରକଳ୍ପର ତଦାରଖ କରୁଥିବା ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀ ମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ମଧ୍ୟ ଏହା ଏକ ଧୂଆଁବାଣ ଥିଲା ଆଜି ଅନୁଭବ ହେଉଛି । କାରଣ ମାର୍ଚ୍ଚ ଯାଇ ବର୍ତ୍ତମାନ ଜୁଲାଇ ମାସ ଅଧା ହେବାକୁ ବସିଲାଣି ହେଲେ ମହାନଦୀ ଉପରେ ନିର୍ମିତ ହେଉଥିବା ରେଳପୋଲ ଏବଂ ଅନେକ ରେଳଧାରଣା ବିଛା କାର୍ଯ୍ୟ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ସମ୍ପ୍ରତି କରୋନା କଟକଣା ଯେମିତି ଜାରି ରହିଛି ତା ମଧ୍ୟରେ ସମସ୍ତେ ଏହି ରେଳ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରି ଏଥିରେ ରେଳ ଚଳାଚଳ କରିବା ନେଇ ହୁଏତ ଭୁଲି ଯାଇଛନ୍ତି । ଏଭଳି ସ୍ଥିତିରେ ଲାଭଖୋର ମନୋଭାବ ରଖି ରେଳ ବିକାଶ ନିଗମର ଅଧିକାରୀ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାରୀ ସଂସ୍ଥାମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକା କାରଣରୁ ହିଁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବହୁ ବିଳମ୍ବିତ ହୋଇଛି ବୋଲି ବଡ଼ଚଣାର ବରିଷ୍ଠ ବିଜେପି ନେତା ଉଦୟନାଥ ସାହୁ ଅଭିଯୋଗ କରିଥିବା ବେଳେ ଅନ୍ୟପକ୍ଷରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମାଜିକ ଗଣମାଧ୍ୟମରେ ଗତକାଲି ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଆଗାମୀ ୧୦/୧୫ଦିନ ମଧ୍ୟରେ ଏହି ରେଳରାସ୍ତାରେ ମାଲ୍ ଗାଡ଼ି ଚଳାଚଳ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇ ଏହା ଏକ ଖୁସି ଖବର ବୋଲି କହିଛନ୍ତି । ତେବେ ସମୟ କହିବ କେନ୍ଦ୍ର ସରକାରଙ୍କ ଏହି ସ୍ଵପ୍ନର ପ୍ରକଳ୍ପ କେବେ ଏହି ତିନୋଟି ଜିଲ୍ଲାବାସୀଙ୍କ ସେବାରେ ଆସୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking