34.1 C
Bhubaneswar
Thursday, March 28, 2024
HomeUncategorizedତିନିବର୍ଷ ହେଲା ରାସନ ସାମଗ୍ରୀରୁ ବଞ୍ଚିତ ଦିବ୍ୟାଙ୍ଗ ବୃଦ୍ଧା(୩)

ତିନିବର୍ଷ ହେଲା ରାସନ ସାମଗ୍ରୀରୁ ବଞ୍ଚିତ ଦିବ୍ୟାଙ୍ଗ ବୃଦ୍ଧା(୩)

ଖଇରା : ଅସହାୟ ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ବାସ୍ତବରେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ଅନେକ ହିତାଧିକାରୀ । ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଅବହେଳା ଯୋଗୁଁ ଯୋଜନାରେ ଅନ୍ତର୍ଭୁକ୍ତ ଥାଇ ମଧ୍ୟ ଅନେକ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିଯାଉଛନ୍ତି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଖଇରା ବ୍ଲକ ଅଧୀନ ଝିଙ୍କିରିଆ ପଞ୍ଚାୟତର ଝିଙ୍କିରିଆ ଗ୍ରାମରେ । ଏହି ଗ୍ରାମର ମୃତ ବୃନ୍ଦାବନ ଦାସଙ୍କ ପତ୍ନୀ ପାଳି ଦାସ ନାମକ ଜଣେ ୮୫ବର୍ଷୀୟା ଦିବ୍ୟାଙ୍ଗ ବିଧବା ବୃଦ୍ଧାଙ୍କ ନାମରେ ଅନ୍ତଦ୍ୱୟ କାର୍ଡ ରହିଥିଲେ ମଧ୍ୟ ସେ ତିନିବର୍ଷ ହେବ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ସୂଚନାରୁ ଜଣାଯାଏ ପାଳି ଦାସ ଜଣେ ଦିବ୍ୟାଙ୍ଗ ଏବଂ ବିଧବା ବୃଦ୍ଧା ହୋଇଥିବାରୁ ତାଙ୍କ ନାମରେ ଅନ୍ତଦ୍ୱୟ ରାସନ କାର୍ଡ ଇସ୍ୟୁ ହୋଇଥିଲା । ସେ ପ୍ରତିମାସରେ ୩୫କିଗ୍ରା ଚାଉଳ ମଧ୍ୟ ପାଇଆସୁଥିଲେ । ହଠାତ ତିନିବର୍ଷ ତଳେ ରାସନ ସାମଗ୍ରୀ ବିତରକ ବାବୁରି ଦାସ ତାଙ୍କୁ ଚାଉଳ ଦେବାକୁ ମନା କରିଥିଲେ । କାରଣ ସଂପର୍କରେ ପାଳି ଦାସ ତାଙ୍କୁ ପଚାରିବାରୁ ତାଙ୍କର ରାସନ କାର୍ଡ କଟିଯାଇଥିବା ସେ କହିଥିଲେ । ଦିବ୍ୟାଙ୍ଗ ବୃଦ୍ଧା ଜଣକ କୌଣସି ସ୍ଥାନକୁ ଯିବାପାଇଁ ଅସମର୍ଥ ଥିବାରୁ ସେ ଏନେଇ ଅଭିଯୋଗ କରି ନଥିଲେ । ହେଲେ ଏବେ ସାରା ଦେଶରେ କରୋନା ଭାଇରସ ଆତଙ୍କ ପାଇଁ ସାରା ଦେଶରେ ସରକାର ଲକ୍ ଡାଉନ ଘୋଷଣା କରିବା ସହିତ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ସରକାର ସମସ୍ତ ରାସନ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ନିୟମ କରିଥିବାରୁ ଏହି ନିୟମ ଅନୁଯାୟୀ ଝିଙ୍କିରିଆ ପଞ୍ଚାୟତ ଅଧିକାରୀ ପାଳି ଦାସଙ୍କୁ ନେଇ ହଜାରେ ଟଙ୍କା ଦେଇଥିଲେ । ଏହା ପରେ ପାଳି ଦାସ ତାଙ୍କର ରାସନ କାର୍ଡ କଟିନଥିବା ଜାଣିବାକୁ ପାଇଥିଲେ । ଏ ବିଷୟରେ ପାଳି ଦାସ ସ୍ଥାନୀୟ ସମିତିସଭ୍ୟ କୈଳାଶ ମାଝୀଙ୍କୁ ଜଣାଇବାରୁ ସେ ବ୍ଲକ ଏମଆଇ ନିରଞ୍ଜନ ସାହୁଙ୍କୁ ଅବଗତ କରାଇଥିଲେ । ଆଜି ପାଳି ଦାସ ଏ ସଂପର୍କରେ ଅଭିଯୋଗ କରିବାକୁ ବ୍ଲକ ଆସିଥିଲେ । ତାହା ଜାଣିପାରି ରାସନ ସାମଗ୍ରୀ ବିତରକ ବାବୁରି ଦାସ ତରବରିଆ ଭାବେ ପାଳି ଦାସଙ୍କ ଘରେ ଗୋଟିଏ ବସ୍ତା ଚାଉଳ ଦେଇଥିବା ଜଣାପଡ଼ିଛି । ଏ ବିଷୟରେ ଏମଆଇ ନିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରେ ସେ ବ୍ୟସ୍ତ ଥିବା କହି ଫୋନ କାଟିଦେଇଥିଲେ ଏବଂ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଯୋଗାଯୋଗ କରିବାରୁ ସେ ରାସନ ସାମଗ୍ରୀ କେନ୍ଦ୍ରକୁ ଯାଇ ତଦନ୍ତ କରିବେ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking