34.1 C
Bhubaneswar
Friday, March 29, 2024
Homeଓଡିଶାହାର୍ ମାନିନାହାନ୍ତି ଦିବ୍ୟାଙ୍ଗ ଦମ୍ପତି : ଚାଷକରି ପ୍ରତିପୋଷଣ କରୁଛନ୍ତି ପରିବାର

ହାର୍ ମାନିନାହାନ୍ତି ଦିବ୍ୟାଙ୍ଗ ଦମ୍ପତି : ଚାଷକରି ପ୍ରତିପୋଷଣ କରୁଛନ୍ତି ପରିବାର

ଆଗରପଡ଼ା : ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଦିବ୍ୟାଙ୍ଗ । ସ୍ୱାମୀ ପୋଲିଓ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇଥିବା ବେଳେ ସ୍ତ୍ରୀଙ୍କ ପିଠିରେ ଏକ ବଡ଼ କୁବ୍ଚ ବାହାରିଥିବାରୁ ସିଧାହୋଇ ଚାଲିପାରୁନାହାନ୍ତି । ତଥାପି ସେମାନେ ଅନ୍ୟ ଉପରେ ନିର୍ଭର ନକରି ନିଜେ ପରିଶ୍ରମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ସୁସ୍ଥ ସବଳ ଯୁବକମାନେ ବେକାର ହୋଇ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଭୂମିହୀନ ହୋଇ ବି ଅନ୍ୟଜମିରେ ଭାଗଚାଷ କରି ପେଟ ପୋଷୁଛନ୍ତି ।
ଏହି ଦମ୍ପତି ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ନିମଗଢ଼ିଆ ଗ୍ରାମର ଅଭିମନ୍ୟୁ ଜେନା(୩୨) ଓ ସବିତା ଜେନା । ସ୍ୱର୍ଗତ କହ୍ନେଇ ଜେନାଙ୍କ ସାନପୁଅ ଅଭିମନ୍ୟୁ ମାତ୍ର ୧୬ ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ପରିବାରର ଆର୍ଥିକ ସ୍ଥିତି ଖରାପ ଯୋଗୁଁ ଚିକିତ୍ସା ହୋଇ ନପାରିବାରୁ ପୋଲିଓ ଆକ୍ରାନ୍ତ ୨ ଗୋଡ଼ କ୍ରମଶଃ ସରୁ ହୋଇଯାଇ ଅକାମୀ ହୋଇଗଲା । ଯାହାଫଳରେ ନିଜଗୋଡ଼ରେ ଚାଲିବାକୁ ଅକ୍ଷମ ହୋଇଗଲେ । ଦୁଇହାତକୁ ଭୂମି ଉପରେ ଆଶ୍ରାକରି ବହୁକଷ୍ଟରେ ଘୁଷୁରି ଘୁଷୁରି ଚଳପ୍ରଚଳ କରୁଛନ୍ତି । ତାଙ୍କ ସ୍ତ୍ରୀ ସବିତାଙ୍କର ପିଠିରେ କୁଜ ବାହାରିଥିବାରୁ ସେ ମଧ୍ୟ ଠିକ୍ ଭାବରେ ଅଣ୍ଟା ସଳଖି ଚାଲି ପାରୁନାହାନ୍ତି । ଏପରି ସ୍ଥଳେ ତାଙ୍କର ଦୁଇପୁଅକୁ ମିଶାଇ ୪ ପ୍ରାଣୀଙ୍କ ପେଟ ପୋଷିବାକୁ ଅଭିମନ୍ୟୁ ଓ ସବିତା ସଘର୍ଷ ଜାରି ରଖିଛନ୍ତି । ଗାଁର ଅନ୍ୟଚାଷୀଙ୍କଠାରୁ ୧ଏକରରୁ ଊର୍ଦ୍ଧ୍ୱ ଜମି ଭାଗଚାଷରେ ଆଣି ଖରିଫରେ ଧାନ ଚାଷ କରିଥିôବାବେଳେ ରବିରେ ପନିପରିବା ଓ ମୁଗ ବିରି ଚାଷ କରିଛନ୍ତି । ଅଭିମନ୍ୟୁ ନିଜେ ପରିବା ବାଡ଼ିରେ ଦିନ ସାରା କାମ କରୁଥିବା ବେଳେ ଆବଶ୍ୟକସ୍ଥଳେ ମଜୁରୀ ଲଗାଇ କାମ ଉଠାଉଛନ୍ତି । ସେଥିରେ ନିଜେ ଚଳିବା ସହିତ ପିଲା ୨ଜଣଙ୍କୁ ପାଠ ପଢ଼ାଉଛନ୍ତି । ବିକଳାଙ୍ଗ ଭତ୍ତା ଆଉ ରାସନକାର୍ଡରେ ମିଳୁଥିବା ସହାୟତା ତାଙ୍କର ସମ୍ବଳ ହୋଇଥିବା ବେଳେ ଅଭିମନ୍ୟୁଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଇ ସାଇକେଲ ମିଳିଛି । କୌଣସି ସୂତ୍ରରୁ ଆର୍ଥିକ ସହାୟତା ମିଳିଲେ ଅଧିକ ଜମି ଚାଷକରି ଦି’ପଇସା ଅଧିକ ରୋଜଗାର ହୋଇପାରନ୍ତା ବୋଲି ଅଭିମନ୍ୟୁ କହିଛନ୍ତି । ତାଙ୍କର ଏହି ସଂଘର୍ଷମୟ ଜୀବନକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking