ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଲେ ପ୍ରଧାନଶିକ୍ଷୟିତ୍ରୀ : ଥାନାରେ ଅଭିଯୋଗ 

ନିଶ୍ଚିନ୍ତକୋଇଲି : ସରକାର ଶିକ୍ଷାକୁ ସାର୍ବଜନୀନ କରାଇବା ସହ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ବୋଲି ଘୋଷଣା କରିଛନ୍ତି । ଏପରି ସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା କୃତିବାସ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରକାରଙ୍କ ଏହି ନିୟମକୁ ଫୁ କରି ଦେଇଥିବାର ଜଣାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିଥିବା ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ନତକାଇ ଗ୍ରାମ ପଂଚାୟତ ଏକରୁଖି ସ୍ଥିତ କୃତିବାସ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ସ୍ଥାନୀୟ ଗ୍ରାମର ପ୍ରଭାକର ବେଜଙ୍କ ୮ବର୍ଷୀୟା କନ୍ୟା ଲକ୍ଷ୍ମୀପ୍ରିୟା ବେଜ ଏହି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଶନିବାର ସକାଳେ ଲକ୍ଷ୍ମୀପ୍ରିୟା ବିଦ୍ୟାଳୟକୁ ଅଧ୍ୟୟନ ନିମନ୍ତେ ଆସିଥିଲେ । ଶ୍ରେଣୀ କକ୍ଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମନୋରମା ମିଶ୍ର ଲକ୍ଷ୍ମୀପ୍ରିୟାକୁ କେତେକ ପାଠ ପଚାରିଥିଲେ । ମାତ୍ର ଲକ୍ଷ୍ମୀପ୍ରିୟା ଉତର ଦେଇନପାରିବା ହେତୁ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ଏକ ବାଉଁଶ କଣି ସାହାଯ୍ୟରେ ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିଥିଲେ । ଲକ୍ଷ୍ମୀପ୍ରିୟାର ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ବିଦ୍ୟାଳୟରେ ପହଂଚି ଗୁରୁତର ଅବସ୍ଥାରେ ଲକ୍ଷ୍ମୀପ୍ରିୟାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।
ଏ ସମ୍ପର୍କରେ ଲକ୍ଷ୍ମୀପ୍ରିୟାର ମାଆ ଅନୂସୟା ବେଜ ନିଶ୍ଚିନ୍ତକୋଇଲି ଥାନାରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବିକରିଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଂଘନ କରି କୋମଳମତୀ ଶିଶୁ କନ୍ୟାଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିବା ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷେ କେତେଦୂର ଯୁକ୍ତିଯୁକ୍ତ ଏହାର ତଦନ୍ତ କରାଯିବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି । ଏ ସମ୍ପର୍କରେ ଅଭିଯୋଗ ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଅଭିଯୋଗକୁ ଭତି କରି ଥାନାରେ ଏକ ମାମଲା ରୁଜୁ ହୋଇଛି ।