32.1 C
Bhubaneswar
Thursday, March 28, 2024
Homeଅପରାଧଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା

କାଲିମେଳା: ମାଲକାନଗିରି ଜିଲ୍ଲା ଏମ୍ଭି-79 ଅଞ୍ଚଳରେ ଘଟିଛି ଏକ ଅମାନବୀୟ କାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର 6 ଦିନ ପରେ ପଦାକୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା। ଭୁବନପାଲ୍ଲି ଗାଁର ବେଟୀ ରାମା(22)ଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରାଯାଇ ପୋଡି଼ ଦିଆଯାଇଥିବା ଘଟଣାରେ 4ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ 4ଜଣ ହେଲେ ଭୁବନପାଲ୍ଲି ଗାଁର ମହେଶ୍ବର କୁଞ୍ଜ, ଦେବେନ୍ଦ୍ର କୁଞ୍ଜ, ଭୀମା କୁଞ୍ଜ ଓ ମହେନ୍ଦ୍ର ମାଡକାମୀ। ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି।
ପୁଲିସ୍ ସୂଚନା ଅନୁଯାୟୀ, ଭୁବନପାଲ୍ଲି ଗାଁର ବେଟୀ ରାମାଙ୍କ ବାପା ବେଟୀ ଜଗା ଗୁଣିଗାରେଡ଼ି କରୁଥିଲେ। ଏହାକୁ ନେଇ ଗାଁର କେତେକ ଲୋକ ଅସନ୍ତୁଷ୍ଟ ଥିଲେ। ଗତ 7 ତାରିଖ ରାତିରେ ସେମାନେ ଗାଁରେ ଏକ ବୈଠକ ଡାକି ଜଗାଙ୍କୁ ଡାକିଥିଲେ। କିନ୍ତୁ ପୂର୍ବରୁ ଏ ସମ୍ପର୍କରେ ଖବରପାଇ ଗାଁ ଛାଡି ପଳାଇଥିଲେ ଜଗା। ରାତିରେ ସଭା ବସିବା ପରେ ଜଗା ନଥିବା ଜାଣିବାକୁ ପାଇ ଗାଁର କେତେକ ଲୋକ ଜଗାଙ୍କ ପୁଅ ରାମାଙ୍କୁ ଡାକିଥିଲେ। ଗ୍ରାମସଭାରେ ତାଙ୍କୁ ଜଗାଙ୍କ ଗୁଣିଗାରେଡ଼ି ସମ୍ପର୍କରେ ପଚରାଯାଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ରାମାଙ୍କୁ ଲୁହାରଡ୍ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ଂରେ ଆକ୍ରମଣ କରିଥିଲେ। ପିଟି ପିଟି ଗାଁ ଦାଣ୍ଡରେ ହତ୍ୟା କରି ଶ୍ମଶାନରେ ପୋଡି଼ ଦେଇଥିଲେ। ଏହି ଖବର ଗାଁର ଅନ୍ୟମାନେ ଦେଖିଥିଲେ ମଧ୍ୟ ଭୟରେ କେହି ହେଲେ ପାଟି ଖୋଲିନଥିଲେ। ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିଲା। ପରେ ପୁଲିସ୍ କୌଣସି ସୂତ୍ରରୁ ଖବରପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଏହି ହତ୍ୟା ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ପୁଲିସ୍ ଉପରୋକ୍ତ 4ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking