39.4 C
Bhubaneswar
Thursday, April 18, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୬: ସାଇ ସୁଦର୍ଶନଙ୍କ ଅପରାଜିତ ଅର୍ଦ୍ଧଶତକ; ପୁଣି ହାରିଲା ଦିଲ୍ଲୀ, ଗୁଜରାଟର କ୍ରମାଗତ ବିଜୟ

ଆଇପିଏଲ୍‌-୧୬: ସାଇ ସୁଦର୍ଶନଙ୍କ ଅପରାଜିତ ଅର୍ଦ୍ଧଶତକ; ପୁଣି ହାରିଲା ଦିଲ୍ଲୀ, ଗୁଜରାଟର କ୍ରମାଗତ ବିଜୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଏଠାରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ସଂସ୍କରଣର ସପ୍ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ପ୍ରଥମେ ବ୍ୟାଟିଂ ପାଇ ଦିଲ୍ଲୀ ୮ ୱିକେଟ୍‌ରେ ୧୬୨ ରନ୍ କରିଥିବା ବେଳେ ଏହାର ଜବାବରେ ଗୁଜରାଟ ୧୮.୧ ଓଭର୍‌ରେ ମାତ୍ର ୪ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଏଥିସହ ଦିଲ୍ଲୀ ପୁଣିଥରେ ପରାସ୍ତ ହୋଇଥିବା ବେଳେ ଗୁଜରାଟ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସଠାରୁ ହାରିଥିଲା । ଅନ୍ୟପକ୍ଷରେ ଗୁଜରାଟ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ପରାସ୍ତ କରିଥିଲା ।

ଦିଲ୍ଲୀର ଦୁଇ ଓପନର ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ଓ ପୃଥ୍ୱୀ ଶ’ ୨୯ ରନ୍ ଯୋଡ଼ିଥିଲେ । ୫ ବଲ୍‌ରେ ଗୋଟିଏ ଚୌକା ସହ ୭ ରନ୍ କରିଥିବା ସମୟରେ ପୃଥ୍ୱୀ ଆଉଟ୍ ହୋଇଥିଲେ । ପରେ ମିଚେଲ୍ ମାର୍ଶ ମାତ୍ର ୪ ରନ୍‌ରେ ଆଉଟ୍ ହୋଇ କ୍ରମାଗତ ଦ୍ୱିତୀୟ ଥର ଫେଲ୍ ମାରିଥିଲେ । ତେବେ ତୃତୀୟ ୱିକେଟ୍‌ରେ ସର୍ଫରାଜ୍ ଖାନ୍‌ଙ୍କ ସହ ୩୦ ରନ୍ ଯୋଡ଼ିବା ପରେ ୱାର୍ଣ୍ଣର୍ ବିଦାୟ ନେଇଥିଲେ । ସେତେବେଳକୁ ସେ ୩୨ଟି ବଲ୍‌ର ସମ୍ମୁଖୀନ ହୋଇ ୭ଟି ଚୌକା ଜରିଆରେ ୩୭ ରନ୍ କରିଥିଲେ । ପରବର୍ତ୍ତୀ ବଲ୍‌ରେ ରିଲି ରୁଷୋ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଫଳରେ ଦିଲ୍ଲୀକୁ ଡବଲ୍ ଝଟ୍‌କା ଲାଗିଥିଲା । ପଞ୍ଚମ ୱିକେଟ୍‌ରେ ସର୍ଫରାଜ ଓ ନବାଗତ ଅଭିଷେକ ପୋରେଲ୍ ୩୪ ରନ୍ ଯୋଡ଼ିବା ଫଳରେ ଦଳୀୟ ସ୍କୋର୍ ୧୦୦ ଟପିଥିଲା । ପୋରେଲ୍ ମାତ୍ର ୧୧ ବଲ୍‌ରେ ୨ଟି ଛକା ସହ ୨୦ ରନ୍ କରିବାକୁ ସକ୍ଷମ ହୋଇଥିଲେ ।

ସର୍ଫରାଜ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ଅକ୍ଷର ପଟେଲ୍‌ଙ୍କୁ ସାଥୀ କରି ଇନିଂସକୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ୨୯ ରନ୍‌ର ଭାଗୀଦାରୀ ହେବା ପରେ ସର୍ଫରାଜ ୨ଟି ଚୌକା ସହ ୩୦ ରନ୍ କରିଥିବା ସମୟରେ ଆଉଟ୍ ହୋଇଥିଲେ । ଗୋଟିଏ ପଟେ ଅକ୍ଷର ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ଅପର ପଟରୁ ତାଙ୍କୁ ଉପଯୁକ୍ତ ସହଯୋଗ ମିଳି ନ ଥିଲା । ଅମନ୍ ହକିମ୍ ଖାନ୍ ୮ ରନ୍ କରି ଆଉଟ୍ ହେବା ପରେ ଅକ୍ଷର ୩୬ ରନ୍‌ରେ ବିଦାୟ ନେଇଥିଲେ । ତାଙ୍କର ଏହି ଇନିଂସ ପାଇଁ ଅକ୍ଷର ମାତ୍ର ୨୨ଟି ବଲ୍‌ର ସହାୟତା ନେଇଥିଲେ ଓ ଉକ୍ତ ଇନିଂସରେ ୨ଟି ଚୌକା ସହ ୩ଟି ଛକା ସାମିଲ୍ ଥିଲା । କୁଲଦୀପ ଯାଦବ ୧ ଓ ଆନରିଚ୍ ନୋର୍ଜେ ୪ ରନ୍ କରି ଅପରାଜିତ ଥିଲେ । ଗୁଜରାଟ ପକ୍ଷରୁ ରଶିଦ୍ ଖାନ୍ ଓ ମହମ୍ମଦ ଶମି ୩ଟି ଲେଖାଏଁ ଏବଂ ଆଲ୍‌ଜାରି ଜୋସେଫ୍ ୨ଟି ୱିକେଟ୍ ନେଇଥିଲେ ।

ଗୁଜରାଟ ତା’ର ଦୁଇ ଓପନର ଋଦ୍ଧିମାନ୍ ସାହା ଓ ଶୁବମାନ ଗିଲ୍‌ଙ୍କୁ ଦଳୀୟ ସ୍କୋର୍ ୩୬ରେ ପହଞ୍ଚିବା ବେଳକୁ ହରାଇସାରିଥିଲା । ଉଭୟ ୧୪ ରନ୍ ଲେଖାଏଁ କରିଥିଲେ । ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟୃା ମାତ୍ର ୫ ରନ୍ କରି ଆଉଟ୍ ହେବା ଫଳରେ ଗୁଜରାଟ ୫୪ ରନ୍ ସୁଦ୍ଧା ୩ଟି ୱିକେଟ୍ ହରାଇଥିଲା । ଏହି ସମୟରେ ବିଜୟ ଶଙ୍କର ଓ ସାଇ ସୁଦର୍ଶନ ୫୩ ରନ୍‌ର ବଳିଷ୍ଠ ଭାଗୀଦାରୀ କରିବା ଫଳରେ ଦଳ ବିଜୟ ଦିଗରେ ଅଗ୍ରସର ହୋଇଥିଲା । ଶଙ୍କର ୨୩ ବଲ୍‌ରେ ୩ଟି ଚୌକା ସହ ୨୯ ରନ୍ କରିଥିବା ବେଳେ ସାଇ ସୁଦର୍ଶନ ସର୍ବାଧିକ ୬୨ ରନ୍ କରିଥିଲେ । ତାଙ୍କର ଏହି ଅପରାଜିତ ଇନିଂସରେ ୪ଟି ଚୌକା ଓ ୨ଟି ଛକା ସାମିଲ୍ ଥିଲା । ଏହାଛଡ଼ା ଡେଭିଡ୍ ମିଲର୍ ମାତ୍ର ୧୬ ବଲ ୍‌ଖେଳି ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୩୧ ରନ୍ କରି ଅପରାଜିତ ଥିଲେ । ଏଥିସହ ଉଭୟଙ୍କ ମଧ୍ୟରେ ଅବିଭାଜିତ ୫୬ ରନ୍‌ର ଭାଗୀଦାରୀ ମଧ୍ୟ ହୋଇଥିଲା । ଦିଲ୍ଲୀ ପକ୍ଷରୁ ନୋର୍ଜେ ୨ଟି ଏବଂ ଖଲିଲ୍ ଅହମ୍ମଦ ଓ ମାର୍ଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking