34.1 C
Bhubaneswar
Friday, March 29, 2024
Homeଓଡିଶାସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ, ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ୩ ଗୁରୁତର

ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ, ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ୩ ଗୁରୁତର

ସମ୍ବଲପୁର : ପ୍ରଶାସନିକ ଶିଥିଳତାର ସୁଯୋଗ ନେଇ ଜବରଦଖଲ ସମ୍ପ୍ରତି ସମ୍ବଲପୁର ସହରରେ ଏକ ସାଧାରଣ ଘଟଣା ହୋଇସାରିଛି । ଏହିପରି ଏକ ମୂଲ୍ୟବାନ ସରକାରୀ ଜମିରେ ଗୃହ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଶେଷରେ ମାମଲା ଥାନାରେ ପହଞ୍ଚିଛି । ଏହି ଘଟଣାରେ ୩ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ବେଳେ ଟାଉନ ଥାନା ଘଟଣାର ତଦନ୍ତ ଆରମ୍ଭ କରିଛି ।
ଟାଉନ୍ ଥାନା ଅଧିନ ଦାନୀବନ୍ଧ ହୁଡ଼ାରେ ଏକ ମୂଲ୍ୟବାନ ସରକାରୀ ଜମି ଜବରଦଖଲ କରି ଅଭିନ୍ନ କ୍ଷେତି ନାମକ ଜଣେ ବ୍ୟକ୍ତି ସେଠାରେ ଗୃହ ନିର୍ମାଣ କରି ରହୁଛନ୍ତି । ମାତ୍ର ଉକ୍ତ ସରକାରୀ ଜମିରେ ଅନ୍ୟ କାହାରି ଦଖଲ ଓ ଘର କରିବା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛନ୍ତି । ତେବେ ନିକଟରେ ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ସରକାରୀ ଜମିରେ ଘର ଖଣ୍ଡିଏ କରିବା ଉଦ୍ୟମ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହି ଗୃହ ନିର୍ମାଣକୁ ଅଭିନ୍ନ ବିରୋଧ କରିବାରୁ ସ୍ଥାନୀୟ ଅଞ୍ଚଳର ମିଳନ ନାମକ ଯୁବକ ଏଥିରେ ହସ୍ତକ୍ଷେପ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସମର୍ଥନ କରିବା ସହ ଗୃହ ନିର୍ମାଣ ପାଇଁ ଉତ୍ସାହିତ କରାଇଥିଲେ । ତେବେ ଗତକାଲି (ରବିବାର) ଅପରାହ୍ନରେ ମିଲନ ଘରେ ଏକାକୀ ଥିବା ସୁଯୋଗରେ ଅଭିନ୍ନ ନିଜ ପୁତୁରା ଓ ସହଯୋଗୀ ମିଲନଙ୍କ ଘରେ ପଶି ଖଣ୍ଡା, ଲୁହାଛଡ଼ ଆଦି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ମିଲନଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ପଡ଼ାବାସୀ ସେଠାରେ ପହଞ୍ଚି ସେମାନଙ୍କୁ ପ୍ରତି ଆକ୍ରମଣ କରିଥିଲେ । ଏପରିକି କେତେକ ଉତ୍ତ୍ୟକ୍ତ ଲୋକେ ଅଭିନ୍ନଙ୍କ ଘର ଉପରକୁ ଟେକାପଥର ମାଡ଼ କରିବା ସହ ଅଭିନ୍ନଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିନ୍ନଙ୍କ ସମର୍ଥକମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏ ଘଟଣାକୁ ନେଇ ପଡ଼ାବାସୀ ଉତ୍ତେଜିତ ହୋଇଉଠିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବିରେ ଟାଉନ୍ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମ୍ବଲପୁର ଏସ୍‌ଡିପିଓ ତପନ ମହାନ୍ତି ତୁରନ୍ତ ସେଠାରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ । ସନ୍ଧ୍ୟାରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର ଟାଉନ ଥାନାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାରେ ସମ୍ପୃକ୍ତ ସମସ୍ତ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଟାଉନ୍ ଥାନା ନିରୀକ୍ଷକଙ୍କ ନେତୃତ୍ୱରେ ଦୁଇଟି ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ଇତି ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଅଭିନ୍ନ ସହିତ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି । ଏହି ଘଟଣାରେ ଆକ୍ରମଣକାରୀଙ୍କ ଖଣ୍ଡା ଓ ଲୁହାଛଡ଼ ମାଡ଼ରେ ମିଲନଙ୍କ ସହ ଆହତ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ସହରର ମଧ୍ୟସ୍ଥଳ ତଥା ଟାଉନ୍ ଥାନା ପଛ ପଟେ ସରକାରୀ ଜମି ଜବରଦଖଲକୁ ନେଇ ବିଭିନ୍ନ ସମୟରେ ହୋଇ ଆସୁଥିବା ଗଣ୍ଡଗୋଳିଆ ପରିବେଶକୁ ପୁଲିସ କାହିଁକି ଦୃଢ ହସ୍ତରେ ଦମନ କରୁନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking