30.1 C
Bhubaneswar
Wednesday, April 24, 2024
Homeଖେଳଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଲେ ଗ୍ରାଣ୍ଡହୋମ୍

ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଲେ ଗ୍ରାଣ୍ଡହୋମ୍

ହାମିଲଟନ: ନ୍ୟୁଜିଲାଣ୍ଡ୍ ଅଲ୍‌ରାଉଣ୍ଡର୍ କଲିନ୍ ଡି’ ଗ୍ରାଣ୍ଡହୋମ୍ ବୁଧବାର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଗତ ୨୦୧୨ରେ ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିବା ପରେ ଗ୍ରାଣ୍ଡହୋମ୍ ଅଦ୍ୟାବଧି ୨୯ଟି ଟେଷ୍ଟ୍ ସହ ୪୫ଟି ଦିନିକିଆ ଓ ୪୧ଟି ଟି-୨୦ଖେଳିଛନ୍ତି । ଅବସର ଘୋଷଣା କରିବା ଅବସରରେ ଗ୍ରାଣ୍ଡହୋମ୍ କହିଛନ୍ତି ଯେ ଦିନକୁ ଦିନ ତାଙ୍କର ବୟସ ବଢ଼ିବାରେ ଲାଗିଛି । ତେଣୁ ତାଙ୍କ ପାଇଁ ଟ୍ରେନିଂ ମଧ୍ୟ କ୍ରମଶଃ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଛି । ବିଶେଷକରି ଆଘାତଜନିତ ସ୍ଥିତି ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସକ୍ରିୟ ରହିବା ସକାଶେ ଅନୁମତି ଦେଉନାହିଁ । ତା’ଛଡ଼ା ପରିବାର ମଧ୍ୟ ଆଗକୁ ବଢ଼ୁଛି । କ୍ରିକେଟ୍ ପରେ ନିଜର ଭବିଷ୍ୟତ ଜୀବନ ବିଷୟରେ ଗତ କିଛି ସପ୍ତାହ ହେଲା ଚିନ୍ତା କରିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଉଚିତ ମଣିଥିବା ଗ୍ରାଣ୍ଡ୍‌ହୋମ୍ କହିଛନ୍ତି । ଜଣେ ଅଲ୍‌ରାଉଣ୍ଡର୍ ଭାବେ ନ୍ୟୁଜିଲାଣ୍ଡ୍ ଟିମ୍ ପ୍ରତି ଗ୍ରାଣ୍ଡହୋମ୍‌ଙ୍କର ଯଥେଷ୍ଟ ଅବଦାନ ରହିଛି । ସେ ୨୯ଟି ଟେଷ୍ଟ୍‌ରେ ୧୪୩୨ ରନ୍ କରିଥିବା ବେଳେ ସେଥି ମଧ୍ୟରୁ ନ୍ୟୁଜିଲାଣ୍ଡ୍ ୧୮ଟିରେ ବିଜୟୀ ହୋଇଛି ।

ଦଳ ପ୍ରଥମ ଆଇସିସି ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ଜିତିବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଛି । ଦିନିକିଆରେ ମଧ୍ୟ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛନ୍ତି । ଗତ ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ୍ ରନର୍ସଅପ୍ ହୋଇଥିବା ବେଳେ ଏଥିରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲର୍ଡ୍ସଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ବୋଲରଙ୍କ ଉପରେ ଭରପୂର ଚାପ ଥିଲେ ମଧ୍ୟ ଗ୍ରାଣ୍ଡହୋମ୍ ତାଙ୍କ ୧୦ ଓଭର୍‌ରେ ମାତ୍ର ୨୫ ରନ୍ ବ୍ୟୟ କରିବା ସହ ଜୋ ରୁଟ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ହାସଲ କରିଥିଲେ । ଉକ୍ତ ବିଶ୍ୱକପ୍‌ରେ ମଧ୍ୟ ସେ ଜଣେ ପୋଖତ ଅଲ୍‌ରାଉଣ୍ଡର୍‌ର ଭୂମିକା ନିର୍ବାହ କରିଥିଲେ । ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୪୭ଟି ବଲ୍ ଖେଳି ୬୦ ରନ୍ କରିଥିବା ବେଳେ ପାକିସ୍ତାନ ବିପକ୍ଷରେ ୬୪ ରନ୍‌ର ଇନିଂସ ଖେଳି ନ୍ୟୁଜିଲାଣ୍ଡ୍‌କୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking