ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଦାଦା-ପୁତୁରା କଳି ଏବେ ଜୋର ଧରିଛି । ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନ୍ସିପି (ନ୍ୟାସନାଲିଷ୍ଠ କଂଗ୍ରେସ ପାର୍ଟି)ର ୯ ଜଣ ବିଧାୟକ କିଛିଦିନ ପୂର୍ବେ ମେଣ୍ଟ ସରକାରରେ ଯୋଗଦେଇଥିବାବେଳେ ଦଳରେ ଏବେ ବିରାଟ ଫାଟ ସୃଷ୍ଟି ହୋଇଛି । ଶରଦଙ୍କ ପୁତୁରା ଅଜିତ ପୱାର ଏହି ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଇଥିବାବେଳେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଛି । ଅନ୍ୟ ୮ ବିଧାୟକଙ୍କୁ ମଧ୍ୟ ମନ୍ତ୍ରିପଦ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଉଭୟ ଶରଦ ଓ ଅଜିତ ବୁଧବାର ସମାନ୍ତରାଳ ବୈଠକରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଦକ୍ଷିଣ ମୁମ୍ବାଇସ୍ଥିତ ଚୌହ୍ୱାନ ସେଣ୍ଟରରେ ଦଳୀୟ ବିଧାୟକ ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶରଦ କହିଛନ୍ତି ଯେ ଅଜିତ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସମ୍ପୂର୍ଣ୍ଣଭାବେ ଦଳ ବିରୋଧୀ । ଅଜିତଙ୍କ ବୈଠକରେ ମଞ୍ଚ ଉପରେ ଶରଦଙ୍କ ଫଟୋକୁ ସ୍ଥାପିତ କରାଯାଇଥିବାରୁ ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ମୋ ଫଟୋ ବ୍ୟତୀତ ଅଜିତ ଗୋଷ୍ଠୀ ନିକଟରେ ଆଉ କିଛି ନାହିଁ ବୋଲି ଶରଦ କହିଛନ୍ତି ।
କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରୁଥିବା ଅଜିତ କେଉଁ ମୁହଁରେ ପୁଣି ସରକାରରେ ସାମିଲ ହେଲେ ବୋଲି ଶରଦ ପ୍ରଶ୍ନ କରିଛନ୍ତି । ୧୯୯୯ରେ ସେ ଏନ୍ସିପି ଦଳ ଗଠନ କରିଥିଲେ । କ୍ଷମତାରେ ରହିବାକୁ ତାଙ୍କ ଦଳ ନିକଟରେ ଆବଶ୍ୟକ ବିଧାୟକ ନଥିଲେ ସୁଦ୍ଧା ରାଜ୍ୟବାସୀଙ୍କ ହୃଦୟରେ ସେମାନେ ସ୍ଥାନ ପାଇଛନ୍ତି ବୋଲି ଶରଦ କହିଛନ୍ତି । ବିଜେପି କଳେ ବଳେ କୌଶଳେ ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗିଥିବା ସମ୍ପର୍କରେ ସେ ଦୃଷ୍ଟାନ୍ତ ଦେଇଛନ୍ତି । ପଞ୍ଜାବରେ ଅକାଳୀ ଦଳ ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାବେଳେ ବିହାରରେ ନୀତୀଶ ଏନ୍ଡିଏରୁ ଅଲଗା ହୋଇ ମହାମେଣ୍ଟରେ ସାମିଲ ହୋଇଛନ୍ତି ।
ଅପରପକ୍ଷରେ ଅଜିତ ମଧ୍ୟ ମୁମ୍ବାଇରେ ଏକ ବୈଠକରେ ଅଧ୍ୟକ୍ଷତା କରି ଦଳୀୟ ବିଧାୟକ ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ଶରଦଙ୍କ ବୈଠକରେ ୧୭ ଜଣ ଏନ୍ସିପି ବିଧାୟକ ଉପସ୍ଥିତ ଥିବାବେଳେ ଅଜିତଙ୍କ ବୈଠକରେ ୨୯ ଜଣ ବିଧାୟକ ଯୋଗଦେଇଥିଲେ । ଏପରିକି କେତେକ ଏନ୍ସିପି ବିଧାୟକ ଉଭୟ ବୈଠକରେ ଯୋଗଦେଇଥିବା ମଧ୍ୟ ଜଣାପଡିଛି । ଏଥିରୁ ଅଜିତଙ୍କ ସପକ୍ଷରେ ଅଧିକ ସଂଖ୍ୟକ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବାର ପ୍ରମାଣ ମିଳିଛି । ଅଜିତଙ୍କ ଗୋଷ୍ଠୀ ଇତିମଧ୍ୟରେ ଏନ୍ସିପିର ଦଳୀୟ ନାମ ଓ ନିର୍ବାଚନୀ ଚିହ୍ନ (ଟେବୁଲ ଘଣ୍ଟା) ହାତେଇବାକୁ ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଧାନସଭାରେ ଏନ୍ସିପି ବିଧାୟକଙ୍କ ସଂଖ୍ୟା ୫୩ ରହିଛି । ତେବେ ତାଙ୍କ ପଛରେ ୪୦ ବିଧାୟକ ଓ ସାଂସଦଙ୍କ ସମର୍ଥନ ରହିଥିବାରୁ ତାଙ୍କ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ପ୍ରଦାନ କରାଯାଉ ବୋଲି ଅଜିତ ଦାବି କରିଛନ୍ତି । ଅପରପକ୍ଷରେ ଶରଦ କହିଛନ୍ତି ଯେ ଦଳୀୟ ଚିହ୍ନ ହାତେଇବାକୁ କାହାରିକୁ ସେ ସୁଯୋଗ ଦେବେ ନାହିଁ ।
ଏହି ଚିହ୍ନ ସବୁଦିନ ପାଇଁ ଦଳ ପାଇଁ ଉତ୍ସର୍ଗୀକୃତ ନେତା ଓ କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ତେବେ ଦଳୀୟ ନାମ ଓ ଚିହ୍ନ ଦାବି ପ୍ରସଙ୍ଗରେ କେଉଁ ଗୋଷ୍ଠୀ ପଛରେ କେତେ ବିଧାୟକଙ୍କ ସମର୍ଥନ ରହିଛି, ତାହା ଇସି ଅନୁଧ୍ୟାନ କରି ଚୂଡାନ୍ତ ଫଇସଲା ଶୁଣାଇବେ । ସୂଚନାଯୋଗ୍ୟ ଗତ ରବିବାର ଅଜିତଙ୍କ ନେତୃତ୍ୱରେ ଏନ୍ସିପିର ୯ ବିଧାୟକ ମେଣ୍ଟ ସରକାରରେ ଯୋଗଦେଇଛନ୍ତି । ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଥିବାବେଳେ ଅନ୍ୟ ୮ ଜଣଙ୍କୁ ମନ୍ତ୍ରିପଦ ମିଳିଛି । ଦଳୀୟ ବିଭାଜନ ପରେ ସୁପ୍ରିମୋ ଶରଦ ପୱାର ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲଙ୍କ ସମେତ ୫ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବାବେଳେ ଦୁଇଜଣ ସାଂସଦ ପଦ ରଦ୍ଦ କରିବାକୁ ସୁପାରିସ କରାଯାଇଛି । ଦାଦା-ପୁତୁରା କଳିରେ କଂଗ୍ରେସ, ଡିଏମକେ, ଜେଡିୟୁ, ଆରଜେଡି, ତୃଣମୂଳ କଂଗ୍ରେସ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଭଳି ଦଳ ଶରଦଙ୍କୁ ସମର୍ଥନ ଜଣାଇଛନ୍ତି ।