39.8 C
Bhubaneswar
Thursday, April 18, 2024
Homeଓଡିଶାତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ, କୋଭିଡ୍ କେୟାର ସର୍ଭିସ ପାଇଁ ଏସ୍‌ଓପି...

ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ, କୋଭିଡ୍ କେୟାର ସର୍ଭିସ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । କରୋନାର ତୃତୀୟ ଲହର ଶିଶୁ ଓ କିଶୋରଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞଙ୍କ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତୃତୀୟ ଲହର ସମୟରେ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ସର୍ଭିସ ଲାଗି ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ମେଡିକାଲ କଲେଜ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଡିଏମଓ ଓ ପିଏଚଓଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ମହାପାତ୍ର ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ଏବେଠୁ ପଦକ୍ଷେପ ନେବା ଜରୁରୀ । ବର୍ତ୍ତମାନ ଥିବା କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍ ରହିବ । ସେହିପରି ୭ଟି ମେଡିକାଲ କଲେଜରେ ୬୪ ଏନଆଇସିୟୁ ସହ ମୋଟ ୧୫୫ ବେଡ୍ ପ୍ରସ୍ତୁତ ପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ଏହାବ୍ୟତୀତ ଆଇସିୟୁ ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫% ବେଡ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ମହଜୁଦ ରଖିବାକୁ ପଡ଼ିବ । ସ୍ୱତନ୍ତ୍ର କୋଭିଡ଼ ବ୍ଲକ ପ୍ରସ୍ତୁତ କରିବାକୁ କଟକ ଶିଶୁଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି ବି କହିଛନ୍ତି ଯେ, ଡିଏମ୍‌ଇଟିଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟ ଆଧାରରେ ଏଭଳି ସୁପାରିଶ କରାଯାଇଛି । ସାଧାରଣ ୱାର୍ଡରେ ଶିଶୁଙ୍କୁ ଆଇସୋଲେସନରେ ରଖିବା ଏକ ଚ୍ୟାଲେଞ୍ଜ । ଜିଲ୍ଲା ହସ୍ପିଟାଲରେ ୧୦ଟି ଲେଖାଏଁ ଆଇସୋଲେସନ ୱାର୍ଡ ରହିବ । ଲକ୍ଷଣ ଥିବା ଶିଶୁଙ୍କୁ କୋଭିଡ କେୟାର ଫ୍ୟାସିଲିଟିକୁ ପଠାଯିବ । ଶିଶୁଙ୍କ କୋଭିଡ୍ କେସ୍ ବଢ଼ିବା ଅଞ୍ଚଳ ଉପର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଶିଶୁଭବନରେ ସ୍ୱତନ୍ତ୍ର କୋଭିଡ୍ ବ୍ଲକ ପ୍ରତିଷ୍ଠା ପାଇଁ ବିଚାର କରାଯିବ । ଏଥିପାଇଁ ଅଧୀକ୍ଷକ ରୂପରେଖ ପ୍ରସ୍ତୁତ କରିବେ । ସିଏଚ୍‌ସି ସ୍ତରରେ ୨ରୁ ୪ଟି ଲେଖାଏଁ ବେଡ୍ ରହିବ । ୭ଟି ମେଡିକାଲରେ କେତେ ଲେଖାଏଁ ବେଡ୍ ରହିବ ସେନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି । ୬୪ଟି ଏନ୍‌ଆଇସିୟୁ, ୯୪ଟି ଏସ୍‌ଏନ୍‌ସିୟୁ, ୪୪ଟି ଏଚ୍‌ଡିୟୁ ବେଡ୍ ପାଇଁ ପ୍ରସ୍ତାବ ରହିଛି । ସେହିପରି ୧୫୫ଟି ଆଇସୋଲେସନ ବେଡ୍ ରଖିବାକୁ ପ୍ରସ୍ତାବ ରହିଛି । ରାଜ୍ୟରେ ୧୦ ହଜାର ୭୩୬ ବେଡ୍ ଏବଂ ୪୦୭୨ ଆଇସିୟୁ ବେଡ୍ ସମ୍ଭାବ୍ୟ ତୃତୀୟ ଲହରବେଳେ ଶିଶୁଙ୍କ ପାଇଁ ନିର୍ଦ୍ଧାରିତ କରି ରଖିବାକୁ ସମ୍ପୃକ୍ତ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking