27.1 C
Bhubaneswar
Thursday, April 25, 2024
Homeଓଡିଶାହାତ ଗୋଡ଼ରେ ଲୁହାର ବେଢ଼ି

ହାତ ଗୋଡ଼ରେ ଲୁହାର ବେଢ଼ି

ସାନଖେମୁଣ୍ଡି : ଯାହାର କେହି ନାହିଁ ତା ପାଖରେ ସରକାର ଓ ପ୍ରଶାସନ ଅଛି ବୋଲି କୁହାଯାଉଛି । ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସବୁ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ସହ ସହଯୋଗ କରିବା ପାଇଁ ପ୍ରାଥମିକତା ଦିଆଯାଉଛି । ହେଲେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଅଢ଼ୁଆଳରେ ଜଣେ ଯୁବକ ହାତ ଓ ଗୋଡ଼ରେ ଲୁହା ଶିକୁଳିବନ୍ଧା ଅବସ୍ଥାରେ ଅଣନିଃଶ୍ୱାସୀ ଭାବେ ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଦୃଷ୍ଟିଗୋଚର ହୋଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‍ ଯିଉରା ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ଜଣେ ଯୁବକ ଟୁଲୁ ଗୌଡ (୩୨) ଅସହାୟ ଅବସ୍ଥାରେ ଭୋକଶୋଷରେ ଶିକୁଳି ବନ୍ଧା ହୋଇ ରହିଛନ୍ତି । ବାପା ସୁଦର୍ଶନଙ୍କ ଦୁଇବର୍ଷ ପୂର୍ବେ ମୃତ୍ୟୁ ପରେ ସେ ଏବେ ସମ୍ପୂର୍ଣ୍ଣ ଏକାକୀ । ଟୁଲୁ ବିବାହିତ ହୋଇଥିବା ବେଳେ ମଧ୍ୟ ୩ବର୍ଷ ପୂର୍ବରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ୫ ବର୍ଷର ପୁଅ ନିକଟସ୍ଥ ଗଙ୍ଗାପୁର ଗ୍ରାମରେ ଅଜାଘରେ ଅଛି । ଟୁଲୁର ଜଣେ ଭାଇ ପେଟ ପୋଷିବା ପାଇଁ ସୁରତରେ ଦାଦନ ଖଟୁଛି । ଟୁଲୁ ମାନସିକ ବିକୃତ ଓ ପାଗଳ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ବିବାହ ପୂର୍ବରୁ ସେ ମାନସିକ ବିକୃତ ଥିଲା । ଚିକିତ୍ସା ପରେ କିଛି ମାତ୍ରାରେ ରୋଗ କମିଥିଲା ବୋଲି ଲୋକେ କହିଛନ୍ତି । ତେବେ ବାପା ଓ ସ୍ତ୍ରୀ ସମେତ ମାସକର ଶିଶୁକନ୍ୟାର ମୃତ୍ୟୁ ପରେ ମସ୍ତିଷ୍କ ବିକୃତି ଅଧିକ ବଢିବା ଯୋଗୁଁ ଭାଇ ୨ ଥର ବ୍ରହ୍ମପୁର ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ପାଗଳାମି ନକମିବାରୁ ଗୋଡ଼ ହାତରେ ଶିକୁଳି ପକାଇଥିଲେ । ଟୁଲୁର ଭାଇ ସୁରତ ଯିବା ପୂର୍ବରୁ ଶିକୁଳି ଖୋଲି ଦେଇଥିଲେ । ପୁଣି ଗାଁ ଲାକେ ପାଗଳାମିରେ ଅତିଷ୍ଠ ହୋଇ ହାତ ଗୋଡରେ ଶିକୁଳି ପକାଇଥିବା କହିଛନ୍ତି । ସାହି ପଡିଶା ଲୋକେ କିଏ କେବେ ଖାଇବାକୁ ଦେଲେ ସେତିକି ହିଁ ଶିକୁଳିବନ୍ଧା ହାତରେ ଆହାରର ମାଧ୍ୟମ ସାଜିଛି । ନମିଳିଲେ ଭୋକିଲା । ସମ୍ପୂର୍ଣ୍ଣ ଏକାକୀ ଜୀବନ ଯନ୍ତ୍ରଣା ଭୋଗୁଥିବା ମାନସିକ ବିକୃତ ଟୁଲୁକୁ ଜୀବନ ଜୀଇଁବା ଓ ଚିକତ୍ସାରେ କିଏ ସହାୟତା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାତ ଗୋଡ଼ ବନ୍ଧା ଅବସ୍ଥାରେ ଅନାହାରରେ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking