32.1 C
Bhubaneswar
Thursday, March 28, 2024
Homeଓଡିଶାସରକାରୀ ଯୋଜନା କାହା ପାଇଁ : ମିଳୁନି ଆବାସ, ଦୁର୍ଦ୍ଦିନରେ ମହେଶ୍ୱରଙ୍କ ପରିବାର

ସରକାରୀ ଯୋଜନା କାହା ପାଇଁ : ମିଳୁନି ଆବାସ, ଦୁର୍ଦ୍ଦିନରେ ମହେଶ୍ୱରଙ୍କ ପରିବାର

ଅନୁଗୁଳ : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଆଦିବାସୀ ଓ ଗରିବଙ୍କ ଦୁଃଖ ଥମିବାର ନା’ ନେଉନି । ପକ୍କା ଘର ଥିବା ଲୋକ ଆବାସ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବ ଖଟିଖିଆମାନେ ଭଙ୍ଗା ଦଦରା ଝାଟି ମାଟି ଘରେ ରହୁଛନ୍ତି । ଆଉ କେଉଁଠି ପଲିଥିନ ତଳେ ମଧ୍ୟ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଏଭଳି ଅଭିଯୋଗ ଆସିଛି ଅନୁଗୁଳ ବ୍ଲକ ଗଡ଼ତରକ୍ଷସ ପଞ୍ଚାୟତ ଜାମୁଣ୍ଡକ୍ଷ ଗ୍ରାମର ହରିଜନ ସାହିରେ । ପରିବାର କହିଲେ ଦୁଇଟି ପୁଅ ଓ ଚାରୋଟି ଝିଅ । ସମସ୍ତେ ବିବାହ କରିସାରିଲେଣି । ମହେଶ୍ୱର ଓ ତାଙ୍କ ପତ୍ନୀ କୁଲି ମଜୁରୀ କରି ପରିବାର ଚଳାଇଥାନ୍ତି । ତେବେ ଏଥିରେ ପରିବାର ଚଳିବା କଷ୍ଟକର ହୋଇଥାଏ । ରୋଗ ବୈରାଗ ହେଲେ ଚିକିତ୍ସା ପାଇଁ ଅର୍ଥର ଅଭାବ ହୋଇଥାଏ । ବର୍ଷର କେତେକ ସମୟ ଅନାହାରରେ ରହିବାକୁ ମଧ୍ୟ ପଡିଥାଏ । ଜମି ବାଡ଼ି କହିଲେ ସେମିତି କିଛି ନାହିଁ । ସରକାରୀ ସାହାଯ୍ୟ କହିଲେ କେବଳ ରାସନ କାର୍ଡ ଖଣ୍ଡେ ମିଳିଛି । ଗତବର୍ଷ ଡିସେମ୍ବର ମାସ୨୦ତାରିଖ ସତେ ଯେମିତି ପରିବାର ପାଇଁ ପ୍ରଥମାଷ୍ଟମୀ ଆଣି ଦେଇଥିଲା ଖୁସି ବଦଳରେ କରୁଣ ଦୁଃଖ । ଦୁଇ ବଖରା ଚାଳ ଛପର ଘରେ କେମିତି ଲାଗିଲା ନିଆଁ କେହିବି ଜାଣି ନାହାଁନ୍ତି । ଅନୁଗୁଳ ଦମକଳ କେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ ମନୋଜ ଦେହୁରୀ । ରାଜସ୍ୱ ନିରୀକ୍ଷକଙ୍କ ତରଫରୁ ମିଳିଥିଲା ଖଣ୍ଡିଏ ପାଲ କିନ୍ତୁ ପଞ୍ଚାୟତ ତରଫରୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ମହେଶ୍ୱର । ସରକାରୀ ସହାୟତା ପାଇବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ଭଳି ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ମହେଶ୍ୱର ଥକି ପଡ଼ିଲେଣି । ଉକ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମାଝୀଙ୍କ କହିବା ଅନୁଯାୟୀ ୨୦୧୧ ଜନଗଣନା ଅନୁଯାୟୀ ତାଙ୍କର ନାମ ନାହିଁ । ତେଣୁ ତାଙ୍କୁ ଘର ଦେବା ସମ୍ଭବ ହେଉନାହିଁ । ଅନ୍ୟପଟେ ଅନୁଗୁଳ ଉପରାଜସ୍ୱ ନିରୀକ୍ଷକ ଅଧିକାରୀ ପ୍ରଶାନ୍ତ ସିଂହ କହିଛନ୍ତି ଅଭିଯୋଗ କଲେ ତଦନ୍ତ ହେବ । ସିନିୟର କ୍ଲର୍କ ରସାନନ୍ଦ ସାହୁ କୁହନ୍ତି ପରିବାରକୁ କ୍ଷତିପୂରଣ ଅର୍ଥ ମିଳିସାରିଛି । କର ବାବୁଙ୍କୁ ପଚାରନ୍ତୁ ଡିଟେଲ ମିଳିପାରିବ । ତେବେ ତାଙ୍କ ସହାୟତା ରାଶି ଗଲା କୁଆଡ଼େ । କିଏ ସତ କିଏ କହୁଛି ମିଛ ତାହା ଏବେ ତଦନ୍ତ ପରିସର ଭୁକ୍ତ । ତେବେ କଣ ସତରେ ଗରିବଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହେବା ସହ ବାଟ ମାରଣା ହେଉଛି । କାହାପାଖରେ କରିବେ ଗୁହାରି ମହେଶ୍ୱର । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ହରିଜନ ସାହିରେ ଅନେକ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡେ ମିଳିପାରିନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଗୁହାରୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking