39.1 C
Bhubaneswar
Wednesday, April 24, 2024
Homeଓଡିଶାଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ, ବେଇଜ୍ଜତ କରୁଛନ୍ତି ରାଜ୍ୟ ସରକାର: ସମୀର ମହାନ୍ତି

ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ, ବେଇଜ୍ଜତ କରୁଛନ୍ତି ରାଜ୍ୟ ସରକାର: ସମୀର ମହାନ୍ତି

*ରାଜ୍ୟ ସରକାର ଆଦିବାସୀମାନଙ୍କ ହକ୍‌କୁ ଲୁଟିବା ସହିତ ତାଙ୍କୁ ବେଇଜ୍ଜତ କରୁଛନ୍ତି
*ଅନୁସୁଚିତ ଜନଜାତି ବର୍ଗର ହୋଇଥିବା କାରଣରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଓ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ
*ରାଜ୍ୟ ସରକାର ସରକାରୀ ବାବୁ ଏବଂ କର୍ମଚାରୀଙ୍କ ଜରିଆରେ ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ବେଇଜ୍ଜତ କରିଛନ୍ତି
*୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିଏ), ନିର୍ବାଚନ ପରେ ସ୍ଥାଣୁ ପାଲଟିଛି
*ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରାଇବାଲ ଆଡଭାଇଜରୀ କମିଟି (ଟିଏସି) ବୈଠକ ନହେବା କାରଣରୁ ଆଦିବାସୀଙ୍କ ମୈାଳିକ ସମସ୍ୟାର ସମାଧାନ ହେବାରେ ବିରାଟ ବାଧା ସୃଷ୍ଟି ହେଉଛି
*୧୯୯୭ ମସିହାରୁ ପ୍ରଣୟନ ପେସା ଆଇନକୁ ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ନକରିବା ଶାସକ ବିଜେଡିର ଆଦିବାସୀ ବିରୋଧୀ ନୀତିକୁ ସ୍ପଷ୍ଟ କରିଛି
*ଶାସକ ବିଜେଡି ନେତା, ମନ୍ତ୍ରୀ ଓ ସରକାରୀ ବାବୁମାନେ ଆଦିବାସୀ ଅଂଚଳରେ ମିଳିମିଶି ଖୁଲମଖୁଲା ଦୁର୍ନୀତି ଓ ଭ୍ରଷ୍ଟାଚାର କରୁଛନ୍ତି

ଭୂବନେଶ୍ୱର : ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି । ୨୦୨୦ ମସିହାରେ ଓଡିଶାରେ ଅନୁସୁଚିତ ଜନଜାତିଙ୍କ ବିରୋଧରେ ଅପରାଧ ମାମଲା ୬୨୪ଟି ରୁଜୁ ହେବା ସହ ଏହା ଦେଶରେ ଚତୁର୍ଥ ସର୍ବାଧିକ ରାଜ୍ୟ ଥିଲା । ବଳାତ୍କାର ମାମଲାରେ ୧୧୪ଟି ମାମଲା ରୁଜୁ ହୋଇ ଦେଶର ପଂଚମ ସର୍ବାଧିକ ରାଜ୍ୟ ତାଲିକାରେ ଥିଲା ଓଡିଶା ରାଜ୍ୟ । ନିଜ ନ୍ୟାର୍ଯ୍ୟ ହକ୍ ପାଇଁ ଦାବୀ ଜଣାଇଲେ ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କୁ ଧମକ ଦିଆଯାଉଛି । ରିପୋର୍ଟ ଅନୁଯାୟୀ ଅନୁସୁଚିତ ବର୍ଷକ ମଧ୍ୟରେ ଜନଜାତି ବିରୋଧରେ ଅପରାଧ ପାଇଁ ୫୬୪ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ୫୭୫ ମାମଲାରେ ଚାର୍ଜସିଟ ଦାଖଲ କରାଯାଇଥିବା ସତ୍ୱେ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇନଥିଲା । ଏନସିଆରବି ରିପୋର୍ଟ (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ) ଅନୁଯାୟୀ ୨୦୨୦ ମସିହାରେ ଅନୁସୁଚିତ ଜାତି ଏବଂ ଅନୁସୁଚିତ ଜନଜାତିଙ୍କ ବିରୋଧରେ ପୂର୍ବ ବର୍ଷ ୨୦୧୯ ମସିହା ତୁଳନାରେ ୮ ପ୍ରତିଶତରୁ ଅଧିକ ଅପରାଧ ବୃଦ୍ଧି ପାଇଛି । ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାରୁ ନ୍ୟାୟ ନମିଳିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଦଳିତ ବିରୋଧୀ ମାମଲାରେ ଓଡିଶାରେ ଦବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଉନାହିଁ । ଅନୁସୁଚିତ ଜନଜାତି ବର୍ଗର ହୋଇଥିବା କାରଣରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଓ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଶ୍ରୀ ମାଝୀଙ୍କ ଅଭିଯୋଗ ସତ୍ୱେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରାଗଲା । ସେହିପରି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ ବାବୁମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସରକାରୀ ମିଟିଂ ସମୟରେ ଉପସ୍ଥିତ ନରହିବା, କେନ୍ଦ୍ରମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ନଦେବା ଏବଂ ପରବର୍ତୀ ସମୟରେ କଳାବ୍ୟାଚ ପିନ୍ଧି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଅପମାନିତ ଓ ବେଇଜ୍ଜତ କରାଯାଇଥିଲା । ରାଜ୍ୟ ସରକାର ସରକାରୀ ବାବୁ ଏବଂ କର୍ମଚାରୀଙ୍କ ଜରିଆରେ ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ବେଇଜ୍ଜତ କରିଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ, ବେଇଜ୍ଜତ କରୁଛନ୍ତି ରାଜ୍ୟ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶର ସର୍ବାଧିକ ଜନଜାତି ବାସ କରୁଥିବା ରାଜ୍ୟ ହେଲା ଓଡିଶା । ଓଡିଶାର ୨୪ ପ୍ରତିଶତ ହେଉଛନ୍ତି ଆଦିବାସୀ । ଓଡିଶାରେ ପ୍ରାୟ ୬୨ଟି ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରନ୍ତି । ରାଜ୍ୟରେ ଏତେ ସଂଖ୍ୟାରେ ଆଦିବାସୀ ବାସ କରୁଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବିଭିନ୍ନ ମୈାଳିକ ସୁବିଧାରୁ ବଂଚିତ କରାଯାଇଛି । ଏପରିକି ବହୁ ଆଦିବାସୀ ବହୁଳ ଅଂଚଳକୁ ବିକାଶ ଛୁଇଁ ପାରିନାହିଁ । ସେହିପରି ରାଜ୍ୟର ଜନଜାତିବହୁଳ ଜିଲ୍ଲାଗୁଡିକର ସଂସ୍କୃତି, ଐତିହ୍ୟ ଓ ପରଂପରାର ସଂରକ୍ଷଣ, ପ୍ରଜାତିକ ପରିଚିତର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିଏ) ଗଠନ କରିଥିଲେ । ମାତ୍ର ନିର୍ବାଚନ ପରେ ସ୍ଥାଣୁ ହୋଇଯାଇଛି ଏହି ପରିଷଦ । ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ରାଜ୍ୟ ସରକାର ଏହାକୁ ସଂର୍ପୂ ଭୁଲୁ ଯାଇଛନ୍ତି । ୨୧ଟି ଜନଜାତି ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏହି ପରିଷଦ ଗଠିତ ହୋଇଥିଲା । ମାତ୍ର ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ବର୍ତମାନ ଅନେକ ଆଦିବାସୀ ଭାଷା ବିଲୁପ୍ତ ହେବାକୁ ବସିଲାଣି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରାଇବାଲ ଆଡଭାଇଜରୀ କମିଟି (ଟିଏସି) ବୈଠକ ନହେବା କାରଣରୁ ଆଦିବାସୀଙ୍କ ମୈାଳିକ ସମସ୍ୟାର ସମାଧାନ ହେବାରେ ବିରାଟ ବାଧା ସୃଷ୍ଟି ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଜଙ୍ଗଲ, ଜଳ ଓ ଜମି ଆଦିବାସୀଙ୍କ ମୂଳ ଅଧିକାର ଆଦିମ ସମୟରୁ ରହି ଆସିଥିବାବେଳେ ରାଜ୍ୟ ସରକାର ବିଭିନ୍ନ ଆଇନ ପ୍ରଣୟନ କରି ଆଦିବାସୀଙ୍କ ଅଧିକାରକୁ ଛଡେଇ ନେଇଛନ୍ତି । ଜଙ୍ଗଲକୁ ଗଲେ ବନ ବିଭାଗ ଜୁଲମ୍ କରୁଛି । ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ଜମି ପା ଦିଆଯାଉନାହିଁ । ଆଦିବାସୀ ଅଂଚଳରେ ପେସା ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାର ୧୯୯୭ ମସିହାରୁ ଆଇନ ପ୍ରଣୟନ କରିଥିଲେ ସୁଦ୍ଧା ରାଜ୍ୟ ସରକାର ବର୍ତମାନ ସୁଦ୍ଧା ପେସା ଆଇନ କାର୍ଯ୍ୟକାରିତାକୁ ନେଇ କୈାଣସି ତତ୍ପରତା ପ୍ରକାଶ ନକରିବା ଆଦିବାସୀ ବିରୋଧୀ ନୀତିକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ୯୫ ପ୍ରତିଶତ ଆଦିବାସୀ ମହିଳା ଓ ୬୫ ପ୍ରତିଶତ ଆଦିବାସୀ ଶିଶୁ ରକ୍ତହୀନତା ଓ ଅପପୃଷ୍ଟିର ଶିକାର । ରାଜ୍ୟରେ ପାଖାପାଖି ୨୪୭୬ଟି ଗାଁ ଅପହଂଚ ହୋଇଥିବାବେଳେ ସେଥି ମଧ୍ୟରୁ ୧୩୨୬ଟି ଗ୍ରାମ ଆଦିବାସୀ ବସବାସ କରୁଥିବା ୯ଟି ଜିଲ୍ଲାରେ ଅବସ୍ଥିତ । ଜନଜାତିଙ୍କ କଲ୍ୟାଣ ପାଇଁ ମୋଦି ସରକାର ବ୍ୟାପକ ଅର୍ଥ ପ୍ରଦାନ କରୁଛନ୍ତି । କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଏହି ଅର୍ଥ ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କ କଲ୍ୟାଣ ପାଇଁ ବ୍ୟବହାର ହୋଇପାରୁନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପିସି ଷ୍ଟପ୍ କହୁଥିବାବେଳେ, ଅନ୍ୟପଟେ ଶାସକ ବିଜେଡି ନେତା, ମନ୍ତ୍ରୀ ଓ ସରକାରୀ ବାବୁମାନେ ଆଦିବାସୀ ଅଂଚଳରେ ମିଳିମିଶି ଖୁଲମଖୁଲା ଦୁର୍ନୀତି ଓ ଭ୍ରଷ୍ଟାଚାର କରୁଛନ୍ତି । ରାଜ୍ୟ ସରକାର ଆଦିବାସୀମାନଙ୍କ ହକ୍‌କୁ ଲୁଟିବା ସହିତ ବେଇଜ୍ଜତ କରୁଛନ୍ତି । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ଆଦିବାସୀ ସମାଜ ପାଖକୁ ଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking