ଗଲ୍ ଟେଷ୍ଟ: ଶ୍ରୀଲଙ୍କା ୧୮୭ ରନ୍‌ରେ ବିଜୟୀ

ଗଲ: ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କା ଗୁରୁବାର ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌କୁ ୧୮୭ ରନ୍‌ରେ ହରାଇ ଦେଇଛି । ଦ୍ୱିତୀୟ ଇନିଂସ୍‌ରେ ୱେଷ୍ଟଇଣ୍ଡିଜ୍ ନିକଟରେ ବିଜୟ ଲକ୍ଷ୍ୟ ୩୪୮ ରନ୍ ଥିବାବେଳେ ଦଳ ଅନ୍ତିମ ଦିନର ଚା’ପାନ ବିରତି ପୂର୍ବରୁ ମାତ୍ର ୧୬୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଉଭୟ ଇନିଂସ୍‌ରେ ଯଥାକ୍ରମେ ୧୪୩ ଓ ୮୭ ରନ୍‌ର ଯୋଗଦାନ କରିଥିବା ଶ୍ରୀଲଙ୍କା କ୍ୟାପ୍‌ଟେନ୍ ଦିମୁଥ୍ କରୁଣାରତ୍ନେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଏହି ବିଜୟ ଫଳରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୧-୦ରେ ଅଗ୍ରଣୀ ହୋଇଛି । ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା ୨୯ ତାରିଖରେ ଖେଳାଯିବ ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା କ୍ୟାପ୍‌ଟେନ୍ କରୁଣାରତ୍ନେଙ୍କ ଦମଦାର ୧୪୭ ରନ୍ ସହାୟତାରେ ପ୍ରଥମ ଇନିଂସ୍‌ରେ ୩୮୬ ରନ୍ କରିଥିଲା । ଏହାଛଡ଼ା ପାଥୁମ ନିଶଙ୍କା (୬୦) ଓ ଧନଞ୍ଜୟ ଡି ସିଲ୍‌ଭା (୬୧) ଅର୍ଦ୍ଧଶତକ ହାସଲ କରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋଷ୍ଟନ୍ ଚେଜ୍ ୮୩ ରନ୍‌ରେ ୫ଟି ଏବଂ ଜୋମେଲ୍ ୱାରିକନ୍ ୩ଟି ୱିକେଟ୍ ନେଇଥିଲେ । ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ ୨୩୦ ରନ୍‌ରେ ସୀମିତ ହୋଇଯାଇଥିଲା । କାଇଲ୍ ମେୟର୍ସ ୬୨ ବଲ୍‌ରେ ୮ଟି ଚୌକା ସହା ସର୍ବାଧିକ ୪୫ ରନ୍ କରିଥିଲେ । ପ୍ରବୀଣ ଜୟୱିକ୍ରମା ୪୦ ରନ୍‌ରେ ୪ଟି ଏବଂ ଅଫ୍ ସ୍ପିନର୍ ରମେଶ ମେଣ୍ଡିସ୍ ୩ଟି ୱିକେଟ୍ ହାସଲ କରିଥିଲେ ।

ଶ୍ରୀଲଙ୍କା ଦ୍ୱିତ ଇନିଂସ୍ ୧୯୧/୪ରେ ଘୋଷିତ କରିଥିଲା । କ୍ୟାପ୍‌ଟେନ୍ କରୁଣାରତ୍ନେ ପୁଣିଥରେ କମାଲ ଦେଖାଇ ୧୦୪ ବଲ୍‌ରେ ୯ ଚୌକା ସହାୟତାରେ ୮୩ ରନ୍ କରିଥିଲେ । ଏଞ୍ଜେଲୋ ମାଥ୍ୟୁସ୍ ୬୯ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ । ୩୪୮ ରନ୍‌ର ଜବାବରେ ୱେଷ୍ଟଇଣ୍ଡିଜ୍ ୧୬୦ ରନ୍ କରିଥିଲା । ଏନ୍‌କ୍ରୁମାହ ବୋନର୍ ୨୨୦ ବଲ୍ ଖେଳି ୭ ଚୌକା ସହାୟତାରେ ଅପରାଜିତ ୬୮ ରନ୍ କରିଥିଲେ । ଏହାଛଡ଼ା ଜୋଶୁଆ ଡି ସିଲ୍‌ଭା ୫୪ ରନ୍‌ର ଆକର୍ଷଣୀୟ ଇନିଂସ୍ ଖେଳିଥିଲେ ।

ଉଭୟ ୭ମ ୱିକେଟ୍ ପାଇଁ ୧୦୦ ରନ୍‌ର ପାର୍ଟନରଶିପ୍ କରିଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କେହି ଦୁଇଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ । ମ୍ୟାଚ୍‌ର ସବୁଠୁ ଖାସ୍ ବିଷୟ ହେଉଛି ୱେଷ୍ଟଇଣ୍ଡିଜ୍‌ର ଉଭୟ ଇନିଂସ୍‌ରେ ୨୦ ମଧ୍ୟରୁ ୧୮ଟି ୱିକେଟ୍ ସ୍ପିନର୍‌ମାନେ ହିଁ ଅକ୍ତିଆର କରିଥିଲେ । ରମେଶ ମେଣ୍ଡିସ୍ ମୋଟ ୭ଟି ୱିକେଟ୍ ଓ ଅଫ୍ ସ୍ପିନର୍ ଲାସିଥ୍ ଏମ୍ବୁଲଦେନିଆ ୬ଟି ୱିକେଟ୍ ନେଇଥିଲେ । ଏମ୍ବୁଲଦେନିଆ ଦ୍ୱିତୀୟ ଇନିଂସ୍‌ରେ ୫ଟି ୱିକେଟ୍ ନେଇଥିଲେ, ଯାହା ଗତ ୧୨ଟି ମ୍ୟାଚ୍‌ରେ ତାଙ୍କର ୪ର୍ଥ ୫ ୱିକେଟ୍ ସଫଳତା ଥିଲା । ଅନ୍ୟ ସ୍ପିନର୍ ଜୟୱିକ୍ରମେ ୫ଟି ୱିକେଟ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here