କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଛାତ୍ରୀଙ୍କୁ ନିର୍ଯାତନା

ଅନୁଗୁଳ : ଅନୁଗୁଳ ଜିଲ୍ଲା କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଛି । ପାଠ ବଦଳରେ କାମ କରିବାକୁ ବାଧ୍ୟ କରାଯାଉଛି । ଆଉ କାମ ନକଲେ ମାଡ ଦିଆଯିବା ସହ ଖାଇବା ବନ୍ଦ କରି ଦିଆଯାଉଛି । ଏଭଳି ନିର୍ଯାତନାର ଶିକାର ହୋଇଥିବା ନେଇ କନ୍ୟାଶ୍ରମରେ ରହୁଥିବା ଦୁଇ ଭଉଣୀ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୁଇ ଭଉଣୀ ଅଭିଯୋଗ କରିଛନ୍ତି ଯେ, କନ୍ୟାଶ୍ରମରେ ସେମାନଙ୍କୁ କାଠ ଗୋଟାଇବାକୁ କୁହା ଯାଉଛି । ପାଇଖାନା ସଫା ଠାରୁ ଆରମ୍ଭ କରି ଝାଡୁ ପୋଛା ଏବଂ ଗୋରୁ ଗାଇଙ୍କୁ ଖାଇବାକୁ ଦେବାକୁ କୁହାଯାଉଛି । ଆଉ ଯଦି ଏ ସବୁ କାମ ନକରନ୍ତି ତେବେ ଅସହ୍ୟ ଗାଳି ସାଙ୍ଗକୁ ମାଡ ମରାଯାଉଛି । ନହେଲେ ଖାଇବାକୁ ଦିଆଯାଉନାହିଁ । ପାଖ ଜଙ୍ଗଲରୁ କାଠ ଆଣିବା ବେଳେ ଖଣ୍ଡିଆ ଖାବରା ମଧ୍ୟ ହେବାକୁ ପଡୁଛି ।
ମାସେ ତଳେ ବଡ ଭଉଣୀର ହୋଇଥିବା ଖଣ୍ଡିଆ ଆଜି ଯାଏ ଭଲ ହୋଇନାହିଁ । ଆଉ ଏଥିପାଇଁ ସେମାନେ ସେଠାରେ ରହି ପାରିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସେମାନେ ଏ ସମ୍ପର୍କରେ ତାଙ୍କ ପିଉସୀଙ୍କୁ ଖବର ଦେବା ପରେ ପିଉସୀ ସେମାନଙ୍କୁ ଆଣି ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପାଠ ପଢ଼ିବାରେ ଆଗ୍ରହ ଥିବା ଦୁଇ ଭଉଣୀ ଏବେ କନ୍ୟାଶ୍ରମ ଯିବାକୁ ଭୟ କରୁଛନ୍ତି । ଆଉ ପିଉସୀ ମଧ୍ୟ ସେମାନଙ୍କ ଦୁଃଖ ଶୁଣିବା ପରେ କନ୍ୟାଶ୍ରମ ନ ଛାଡିି ଅନ୍ୟ ସ୍ଥାନରେ ସେମାନଙ୍କୁ ପାଠ ପଢ଼ାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଶିଶୁ ସୁରକ୍ଷା ଅଧିକାରୀ ଘଟଣାକୁ ଗୁରୁତର ନେବା ସହ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ତାଙ୍କ କହିବା କଥା ଏହା ପୂର୍ବରୁ ମଧ୍ୟ କିଛି ଅଭିଭାବକ ଏବଂ ଛାତ୍ରୀ ସମାନ ଅଭିଯୋଗ ଆଣିଥିଲେ । ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ତଦନ୍ତ କରାଯାଉଛି । ତଦନ୍ତ ପରେ ଛାତ୍ରୀମାନଙ୍କ ଅଭିଯୋଗର ସତ୍ୟତା ଥିଲେ କନ୍ୟାଶ୍ରମ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।