34.1 C
Bhubaneswar
Friday, March 29, 2024
Homeଓଡିଶାଶିଶୁ କନ୍ୟା ବୋଝ ନୁହେଁ : ଜନ୍ମପରେ ପାଳିଲେ ଗୃହ ପ୍ରବେଶ ଉତ୍ସବ

ଶିଶୁ କନ୍ୟା ବୋଝ ନୁହେଁ : ଜନ୍ମପରେ ପାଳିଲେ ଗୃହ ପ୍ରବେଶ ଉତ୍ସବ

ମହାକାଳପଡ଼ା : ପରିବାରରେ ଝିଅଟିଏ ଜନ୍ମହେଲେ ବାପ ମା’ଙ୍କ ଚିନ୍ତା ବଢ଼ିଯାଇଥାଏ ।  ଝିଅ ବୋଝ ଭାବି ପରିବାରରେ ବିଷାଦ ଖେଳିଯାଏ । କିଏ ମୁଣ୍ଡ ତଳକୁ କରି ବସେ ତ କିଏ ପାଦତଳୁ ମାଟି ଖସିଯିବା ଭଳି ପରିସ୍ଥିତି ଅନୁଭବ କରେ । କାହାର ମୁଖ ଏକପ୍ରକାର ମଳିନ ପଡ଼ିଯାଏ । କିନ୍ତୁ ଏହି ଭାବନାରୁ ଊର୍ଦ୍ଧ୍ୱକୁ ଯାଇ ମା’ କୋଳରେ ଝିଅ ଜନ୍ମ ହେବା ପରେ କେମିତି ପରିବାର ଓ ଗାଁରେ ଆନନ୍ଦ ଖେଳିଯାଏ ତାହାର ସଦ୍ୟତମ ଉଦାହରଣ ବ୍ଲକର ଅପହଞ୍ଚ ଇଲାକା କୁହାଯାଉଥିବା ପେଟଛେଲା ପଞ୍ଚାୟତରେ ଦେଖିବାକୁ ମିଳିଛି ।
ନବଜାତ ଶିଶୁ କନ୍ୟାର ଗୃହ ପ୍ରବେଶ ଉତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳନ ହୋଇଛି । ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କ ଗହଳି ଲାଗିଥିଲା ସେହି ନବଜାତ ଶିଶୁକନ୍ୟାଙ୍କ ବାସଭବନରେ । ପ୍ରକାଶ ଯେ, ପେଟଛେଲା ପଞ୍ଚାୟତର ବିବି କଲୋନୀ ଗ୍ରାମରେ ରୁହନ୍ତି ବିକାଶ ଦେବନାଥ । ଛୋଟିଆ ସଂସାରଟିକୁ ଚଳାଇବା ପାଇଁ ସେ ସୁଦୂର ମୁମ୍ବାଇରେ ଘରୋଇ କମ୍ପାନୀରେ କାମ କରୁଛନ୍ତି । ସ୍ୱଳ୍ପ ବେତନଭୋଗୀ ବିକାଶ ୨୦୧୨ ମସିହାରେ ସେହି ଗ୍ରାମର ଲିପି ଦେବନାଥଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ବିକାଶ ଓ ଲିପିଙ୍କର ପ୍ରଥମ ସନ୍ତାନ ଭାବେ ଭୂମି ଦେବନାଥ ନାମକ ପ୍ରଥମ ଶିଶୁକନ୍ୟା ୨୦୧୩ ମସିହାରେ ଜନ୍ମ ନେଇଥିଲେ । ଏହାର ୭ ବର୍ଷ ପରେ ଦ୍ୱିତୀୟ ସନ୍ତାନ ଭାବେ କେନ୍ଦ୍ରାପଡ଼ା ମେଡିକାଲରେ ପୁଣି ଶିଶୁ କନ୍ୟା ଜନ୍ମ ନେଇଥିଲା ଗତ ୨୯ ତାରିଖରେ । ଏହାପରେ ପରିବାରରେ ବାପ ମା’ଙ୍କ ମନରେ ଦୁଃଖ ଓ ନୈରାଶ୍ୟ ବଦଳରେ ଆରମ୍ଭ ହୋଇଥିଲା ଅଫୁରନ୍ତ ଉତ୍ସାହ ।
ନବଜାତ ଶିଶୁକନ୍ୟାକୁ ବୋଝ ନଭାବି କିଭଳି ଖୁବ୍ ଜାକଜକମରେ ଗୃହପ୍ରବେଶ କରାଯାଇପାରିବ ସେଥିପାଇଁ ପରିବାର ତରଫରୁ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଗତକାଲି ଶିଶୁକନ୍ୟା ବିବି କଲୋନୀରେ ପହଞ୍ଚିବା ପରେ ପରିବାର ତରଫରୁ ଦୁଇଦିନର ଶିଶୁକନ୍ୟାକୁ ବନ୍ଦାପନା କରାଯାଇ ଗୃହକୁ ଅଣାଯାଇଥିଲା । ଯେତେବେଳେ ସାମ୍ପ୍ରତିକ ସ୍ଥିତିରେ ଯେଉଁଠି ଶିଶୁକନ୍ୟା ଅଲୋଡ଼ା ହୋଇ କିଆବୁଦା ମୂଳେ ପଡ଼ି କୁଆଁ କୁଆଁ ଡାକୁଛି ତ କେଉଁଠି ଶିଶୁ କନ୍ୟାକୁ କୁକୁର କାମୁଡ଼ି ଖାଉଥିବାର ଭିଡ଼ିଓ ଭାଇରାଲ୍ ହେଉଛି । ଆଉ କେଉଁ ପରିବାରରେ ଶିଶୁକନ୍ୟା ପରିବାରର ଏକ ବଡ଼ ବୋଝ ଭାବି ଏହାକୁ ସବୁଦିନ ପାଇଁ ଫୋପାଡ଼ି ଦେବାକୁ ନଦୀ ପଠାରେ ରକ୍ଷସୀ ମା’ ଛାଡ଼ିଦେଇ ଆସୁଛି ତ ଆଉ କିଏ ବିକ୍ରି କରିଦେଉଛି । ଉତ୍କଟ ଦାରିଦ୍ର‌୍ୟ ଓ ପରିବାର ପାଇଁ ଏକ ଅଲୋଡ଼ା ବସ୍ତୁ ଭାବି ଶିଶୁକନ୍ୟାକୁ ଅବହେଳା କରାଯାଉଥିବା ବେଳେ ଏ ପରିବାରର ଦମ୍ପତି କିନ୍ତୁ ଶିଶୁକନ୍ୟା ସୁରକ୍ଷା ପାଇଁ ଆଦର୍ଶ ପାଲଟିଛନ୍ତି । ସାମାଜିକ କର୍ମୀ ସୁବାଷ ସ୍ୱାଇଁଙ୍କ ମତରେ ପୁଅ ଓ ଝିଅଙ୍କ ମଧ୍ୟରେ ଫରକ କିଛି ନାହିଁ । ଏ ଦମ୍ପତି ଏକ ଆଦର୍ଶ ଦମ୍ପତି । ଯାହାଙ୍କ ପାଇଁ ମହାକାଳପଡ଼ା ବ୍ଲକର ପ୍ରତ୍ୟେକ ମା’ଙ୍କ ମନରେ ଏକ ନୂତନ ମନ୍ତ୍ର ପ୍ରଦାନ କରିପାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking