33.1 C
Bhubaneswar
Wednesday, April 24, 2024
Homeଓଡିଶାଏଚ୍‌ଆଇଭି, କୋଭିଡ୍ ସଂକ୍ରମିତଙ୍କ ସୁସ୍ଥକନ୍ୟା ପ୍ରସବ

ଏଚ୍‌ଆଇଭି, କୋଭିଡ୍ ସଂକ୍ରମିତଙ୍କ ସୁସ୍ଥକନ୍ୟା ପ୍ରସବ

ବ୍ରହ୍ମପୁର : ଏଚ୍‌ଆଇଭି ଓ କୋଭିଡ୍ ସଂକ୍ରମିତ ଗର୍ଭବତୀ ସୁସ୍ଥକନ୍ୟା ଜନ୍ମ ଦେଇଛନ୍ତି । ଜନ୍ମିତ ଶିଶୁ ନେଗେଟିଭ ରହିଛି । ପ୍ରସୂତି ଜଣକ କୋଭିଡ୍ ସହ ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିଲେ ମଧ୍ୟ ସୁସ୍ଥ ଶିଶୁ ପ୍ରସବ କରିଥିବାରୁ ସିଟି ହସପିଟାଲରେ ନର୍ସ ଓ କର୍ମଚାରୀ କେକ୍ କାଟି ଖୁସି ମନାଇଛନ୍ତି । ମହିଳାଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ନବଜାତ ଶିଶୁର ମଧ୍ୟ ଯତ୍ନ ନେଉଥିବା ଜଣାପଡ଼ିଛି । ଏହି ଖବର ସମସ୍ତ ଗଞ୍ଜାମ ଜିଲ୍ଲା ବାସିନ୍ଦାଙ୍କ ପାଇଁ ନୂତନ ଅଶା ସଞ୍ଚାର କରିଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଡାକ୍ତରୀ ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ସୂଚନା ଅନୁସାରେ ଗତ ସପ୍ତାହରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଜଣେ ୩୦ବର୍ଷୀୟ ଗର୍ଭବତୀ ସିଟି ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ତାଙ୍କର କୋଭିଡ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏଣୁ ତାଙ୍କୁ ସିଟି ହସ୍ପିଟାଲ୍ ପରିସରରେ ଥିବା କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଗର୍ଭବତୀ ମହିଳା ଜଣକ ଏଚ୍‌ଆଇଭି ସହିତ କୋଭିଡ୍ ପଜିଟିଭ୍ ଥିବାରୁ ତାଙ୍କର ଅଧିକ ଯତ୍ନ ନିଆଯାଇଥିଲା । ଗତ ବୁଧବାର ରାତିରେ ମହିଳା ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ ପରେ କୋଭିଡ ରିପୋର୍ଟ ନେଗେଟିଭ୍ ରହିଥିବା ଜଣାପଡିଥିଲା । ଶିଶୁର ଓଜନ ୨କେଜି ୬ଶହ ଗ୍ରାମ ରହିଥିବା ବେଳେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି । ବର୍ତ୍ତମାନ ଶିଶୁଟି ସିଟିି ହସ୍ପିଟାଲ୍‌ରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ରହିଛି । କୋଭିଡ ପଜିଟିଭ୍ ଥିବା ମା’ର ମଧ୍ୟ ବିଶେଷ ଲକ୍ଷଣ ନାହିଁ । ଏଣୁ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଡାକ୍ତର ଆଶା କରୁଛନ୍ତି । ଅନ୍ୟପକ୍ଷରେ ୬ସପ୍ତାହ ପରେ ଶିଶୁକନ୍ୟାର ଏଚଆଇଭି ରିପୋର୍ଟ ଜଣାପଡ଼ିବ । ପ୍ରକାଶ ଥାଉ କି ମହିଳା ଜଣକ ୪ବର୍ଷ ପୂର୍ବରୁ ଏଚ୍‌ଆଇଭି ସଂକ୍ରମିତ ହୋଇଥିଲେ । ଏହାପରେ ସେ ଏଆରଟି ସେଣ୍ଟରରେ ଚିକିତ୍ସିତ ହୋଇ ଔଷଧ ସେବନ କରୁଛନ୍ତି । ଗତ ୨୦୧୮ରେ ସେ ଏମ୍‌କେସିଜି ମେଡିକାଲରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଶିଶୁଟି ଏଚ୍‌ଆଇଭି ନେଗେଟିଭ୍ ରହିଥିଲା । ଏଣୁ ସଦ୍ୟଜାତ ଶିଶୁଟି ମଧ୍ୟ ଏଚ୍‌ଆଇଭି ନେଭେଟିଭ୍ ହେବ ବୋଲି ଡାକ୍ତରମାନେ ଆଶାପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking