39.1 C
Bhubaneswar
Wednesday, April 24, 2024
Homeଓଡିଶାଘଣ୍ଟା ବଡ଼ିଆ ନୂଆ ଯୋଜନା : ଘର କରିନଥିଲେ ଟଙ୍କା ଫେରାଅ

ଘଣ୍ଟା ବଡ଼ିଆ ନୂଆ ଯୋଜନା : ଘର କରିନଥିଲେ ଟଙ୍କା ଫେରାଅ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପ୍ରଶାସନ ପକ୍ଷରୁ ଏରସମାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା/ ବିଜୁ ପକ୍କା ଘର ଯୋଜନା ହିତାଧିକାରୀଙ୍କ ଘର ସମ୍ମୁଖରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ଘଂଟି ବାଡିଆ ଯାଇ ସଚେତନ କରାଯିବା ସହିତ ସତର୍କ ସୂଚନା ଦିଆଯାଇଛି । ପ୍ରଥମ କରି ଜିଲ୍ଲାର ଏପରି ପଦକ୍ଷେପ ଏରସମା ବ୍ଲକ ପ୍ରଶାସନ ପ୍ରଥମେ ଆରମ୍ଭ କରିଥିବା ଜଣାଯାଇଛି । ଏହି ଘଂଟ ବାଡେଇବାର ମୂଳ ଉଦ୍ଦେଶ୍ୟ ହେଲା, ଯୋଜନାକୁ ଠିକ୍ ସମୟରେ ଠିକ୍ ବାଟରେ ବିନିଯୋଗ କର, ନଚେତ୍ ଯୋଜନାର ଅର୍ଥ ତୁରନ୍ତ ଫେରସ୍ତ କର ।
ବହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ହିତାଧିକାରୀ ମାନେ ଘର ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇବା ସହିତ ଗୋଟିଏ କିମ୍ବା ଦୁଇଟି କିସ୍ତି ପାଇ କିଏ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନଥିବା ବେଳେ, ଆଉ କିଏ ଘରକୁ ଅଧା କରି ପକାଇ ରଖିବା ନେଇ ଏହି ଯୋଜନାର ଅଗ୍ରଗତି ହେଉ ନଥିବା ବହୁ ଅଭିଯୋଗ ହୋଇ ଆସୁଅଛି । ଆଉ କିଏ ଯୋଜନାର ଅର୍ଥକୁ ସମ୍ପୂର୍ଣ୍ଣ ବିଭିନ୍ନ ବାଟରେ ଚଳୁ କରି ଦେବାର କିଛି ବର୍ଷ ପରେ ସେମାନଙ୍କ ପିଲାମାନେ ପୁନର୍ବାର ଘର ପାଇଁ ଦରଖାସ୍ତ କରୁଛନ୍ତି । ଯାହାକି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ବନିଛି । ଏଥି ସହିତ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୈଫତ ଦେବା ପାଇଁ ମଧ୍ୟ ପଡୁଥିବା ସୂଚନା ମିଳିଛି ।
ଯାହା ଫଳରେ ଏହି ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏରସମା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଏବଂ ଏବିଡିଓ, ବ୍ଲକର ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ଏରସମାର ବିଭିନ୍ନ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ହିତାଧିକାରୀଙ୍କ ଘର ସମ୍ମୁଖରେ ଘଣ୍ଟ ବାଡେଇ ଏହି ସଚେତନ କରାଇବା ସହିତ ଉପରୋକ୍ତ ଯୋଜନାରେ ଘର ନକରି ପାରିଲେ, ତୁରନ୍ତ ସରକାରଙ୍କ ପକ୍ଷରୁ ପ୍ରାପ୍ୟ ହୋଇଥିବା ଅର୍ଥ ଫେରସ୍ତ ଦେବା ପାଇଁ ସୂଚନା ପ୍ରଦାନ କରିଛନ୍ତି ।
ଯୋଜନାର ସଠିକ୍ ମାପରେ ଯୋଜନା ମୁତାବକ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ ଶେଷ କରି ସରକାରଙ୍କ ଠାରୁ ଅର୍ଥ ରାଶି ପୁରଷ୍କାର ସ୍ୱରୂପ ହାତେଇବା ପାଇଁ ସରକାରୀ କର୍ମଚାରୀମାନେ ମଧ୍ୟ ଘଂଟ ବାଡେଇ ସଚେତନ କରାଇଥିଲେ । ଏହା ବ୍ୟତୀତ ଇନ୍ଦିରା ଆବାସ ଯୋଜନାର ଅର୍ଥ ରାଶି କମ୍ ଥିବା ସମୟରେ ଘର ନିର୍ମାଣ କରି ପାରି ନଥିବା ହିତାଧିକାରୀମାନଙ୍କୁ ମଧ୍ୟ ପ୍ରାପ୍ତ ଅର୍ଥ ରାଶି ଫେରାଇ ଅଧିକ ଅର୍ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାର ଅର୍ଥ ହାତେଇବା ପାଇଁ ସଚେତନ କରିଥିଲେ । ସମୟ ସୀମା ମଧ୍ୟରେ ଘର ନକରି ଅର୍ଥ ଫେରସ୍ତ ନକଲେ ସରକାରୀ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହିତାଧିକାରୀଙ୍କୁ ଘଣ୍ଟ ବାଡେଇ ସଚେତନ କରା ଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମ ବ୍ଲକର ୨୫ଟି ପଞ୍ଚାୟତରେ ଥିବା ୧୫୬ଟି ଗ୍ରାମର ହିତାଧିକାରୀମାନଙ୍କ ଘର ସମ୍ମୁଖରେ ଘଂଟ ବାଡିଆ ଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ସୋମବାର ନିଜେ ବିଡିଓ କୈଳାସ ବେହେରା, ଏବିଡିଓ, ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ହିତାଧିକାରୀଙ୍କ ଘର ଘର ବୁଲି ଘଂଟ ବାଡେଇ ସଚେତନ କରାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking