40.1 C
Bhubaneswar
Thursday, April 25, 2024
Homeବିଜିନେସ୍୨୦୨୨ରେ ଜିଡିପି ୩.୫ ଟ୍ରିଲିୟନ ଡଲାର ଟପିଛି

୨୦୨୨ରେ ଜିଡିପି ୩.୫ ଟ୍ରିଲିୟନ ଡଲାର ଟପିଛି

ନୂଆଦିଲ୍ଲୀ: ୨୦୨୨ରେ ଭାରତର ଜିଡିପି (ମୋଟ ଜାତୀୟ ଉତ୍ପାଦ) ୩.୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି ଏବଂ ଆଗାମୀ କିଛିବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ଜି-୨୦ ରାଷ୍ଟ୍ର ମଧ୍ୟରେ ସବୁଠୁ ଅଧିକ ରହିବ ବୋଲି ଆମେରିକାର ରେଟିଂ ଏଜେନ୍ସି ‘ମୁଡିଜ୍ ଇନ୍‌ଭେଷ୍ଟର୍ସ ସର୍ଭିସ’ ପକ୍ଷରୁ କୁହାଯାଇଛି । ତେବେ ଏହି ପ୍ରକ୍ରିୟାରେ ଭାରତ ସରକାରଙ୍କ ସଂସ୍କାର ଏବଂ ନୀତି ନିୟମ କିଛିମାତ୍ରାରେ ବାଧକ ସାଜିପାରେ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତରେ ଅର୍ଥନୈତିକ ନିଷ୍ପତ୍ତିଗୁଡିକ ବରିଷ୍ଠ ବ୍ୟୁରୋକ୍ରାଟ୍ (ପ୍ରଶାସନିକ ଅଧିକାରୀ)ମାନେ ନିର୍ଣ୍ଣୟ କରିଥାନ୍ତି । କୌଣସି ବ୍ୟବସାୟିକ କମ୍ପାନୀକୁ ଲାଇସେନ୍ସ ପ୍ରଦାନଠାରୁ ଆରମ୍ଭ କରି ଅନ୍ୟ ପ୍ରକ୍ରିୟା ପର୍ଯ୍ୟନ୍ତ ଅଧିକାଂଶ ନିଷ୍ପତ୍ତି ନାଲିଫିତା ତଳେ ବନ୍ଧା ପଡୁଥିବାରୁ ଅଯଥା ବିଳମ୍ବ ଘଟୁଛି । ଭାରତୀୟ ବ୍ୟୁରୋକ୍ରାସୀ ଯଦି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ, ତେବେ ଦେଶର ଅର୍ଥନୀତିରେ ଅପେକ୍ଷାକୃତ ଦ୍ରୁତ ଅଭିବୃଦ୍ଧି ଘଟିପାରେ ବୋଲି ମଧ୍ୟ କୁହାଯାଇଛି ।

ଇଣ୍ଡୋନେସିଆ ଓ ଭିଏତନାମ ଭଳି ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ବିକାଶଶୀଳ ରାଷ୍ଟ୍ରର ଅର୍ଥନୀତି ସହ ଟକ୍କର ଦେବାକୁ ହେଲେ ଭାରତକୁ ବିଦେଶୀ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆଗୁଆ ରହିବାକୁ ପଡିବ । ଅର୍ଥାତ ଅଧିକରୁ ଅଧିକ ବିଦେଶୀ କମ୍ପାନୀ ଭାରତରେ ପୁଞ୍ଜି ବିନିଯୋଗ ପାଇଁ କିଭଳି ଅଧିକମାତ୍ରାରେ ଆକୃଷ୍ଟ ହେବେ, ସେଥିପ୍ରତି ଭାରତୀୟ ବ୍ୟୁରୋକ୍ରାସିକୁ ଯତ୍ନବାନ ହେବାକୁ ପଡିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅଧିକ ସଂଖ୍ୟକ ଶିକ୍ଷତ ଯୁବଗୋଷ୍ଠୀକୁ ନେଇ ସଶକ୍ତ ୱାର୍କଫୋର୍ସ ପ୍ରସ୍ତୁତ କରିବା ସହ ସହରୀକରଣ ଉପରେ ଗୁରୁତ୍ୱାରୋପ କରାଗଲେ ଭାରତରେ ବାସଗୃହ, ସିମେଣ୍ଟ ଏବଂ ନୂତନ କାର୍‌ର ଚାହିଦା ବୃଦ୍ଧି ପାଇବ । ଇସ୍ପାତ ଓ ସିମେଣ୍ଟ ପ୍ରକଳ୍ପର ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଭାରତ ସରକାର ଗୁରୁତ୍ୱାରୋପ କରିବାକୁ କୁହାଯାଇଛି ।

ଚଳିତ ଦଶନ୍ଧିର ଅବଶିଷ୍ଟ ବର୍ଷଗୁଡିକରେ ଭାରତରେ ମ୍ୟାନୁଫାକ୍‌ଚରିଂ ଓ ଭିତ୍ତିଭୂମୀ ସେକ୍ଟରରୋ ବାର୍ଷିକ ୩ରୁ ୧୨ ପ୍ରତିଶତ ଅଭିବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାସତ୍ତ୍ୱେ ୨୦୩୦ ସୁଦ୍ଧା ଭାରତ ଏହି ପ୍ରସଙ୍ଗରେ ଚୀନ୍‌ଠାରୁ ପଛୁଆ ରହିବ ବୋଲି ଆଶଙ୍କା କରାଯାଉଛି । ଆର୍ôଥକ ଉଦାରୀକରଣ ତ୍ୱରାନ୍ୱିତ ନହେବା ପର୍ଯ୍ୟନ୍ତ ଭାରତରେ ମ୍ୟାନୁଫାକ୍‌ଚରିଂ ଓ ଭିତ୍ତିଭୂମୀ ସେକ୍ଟରରେ ବିକାଶ ପ୍ରକ୍ରିୟା ଧିମା ରହିବ ବୋଲି କୁହାଯାଇଛି । କୌଣସି ବୃହତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସରକାରୀ କ୍ଲିୟରାନ୍ସ, ଲାଇସେନ୍ସ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ କେତେ ସମୟ ଲାଗିବ, ତାହା ସ୍ପଷ୍ଟ ହେବା ଜରୁରୀ । ସଂପ୍ରତି ଭାରତରେ ଦୁର୍ନୀତି ଓ ଟିକସ ଫାଙ୍କି ରୋକିବା, ଆର୍ôଥକ ନିଷ୍ପତ୍ତିକୁ ଯଥାଶୀଘ୍ର ଚୂଡାନ୍ତ କରିବା ଇତ୍ୟାଦିକୁ ଅଗ୍ରାଧିକାର ଦିଆଯିବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । ତେବେ ବିଦେଶୀ କମ୍ପାନୀଙ୍କୁ ଆକର୍ଷିତ କରିବାକୁ ଭାରତ ସରକାର ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ନମନଶୀଳ କରିବା ଜରୁରୀ ବୋଲି ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking