26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଗାଜା ହସ୍ପିଟାଲରେ ସେଲ୍ ମାଡ଼: ୧୨ ମୃତ

ଗାଜା ହସ୍ପିଟାଲରେ ସେଲ୍ ମାଡ଼: ୧୨ ମୃତ

ଜେରୁଜେଲମ୍‌: ଉତ୍ତର ଗାଜାର ଅନ୍ୟ ଏକ ହସ୍ପିଟାଲ ଚାରିପଟେ ଇସ୍ରାଏଲୀ ସେନା ଆକ୍ରମଣକୁ ଜୋର୍‌ଦାର କରିଛି । ଏହି ଆକ୍ରମଣରେ ୧୨ ଜଣ ନିହତ ହୋଇଛନ୍ତି । ଉକ୍ତ ହସ୍ପିଟାଲରେ ହଜାର ହଜାର ରୋଗୀ ଓ ଯୁଦ୍ଧ ବିସ୍ଥାପିତ ବହୁଦିନ ଧରି ଆଶ୍ରୟ ନେଇଥିଲେ । ହମାସ୍‌କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ସହ ସେମାନଙ୍କ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେବାକୁ ଇସ୍ରାଏଲ୍ ଯୁଦ୍ଧକୁ ଜୋର୍‌ଦାର କରିବାରେ ଲାଗିଛି । ସେଠାରେ ଥିବା ଏକ ଇଣ୍ଡୋନେସୀୟ ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ସେଲ୍ ମାଡ଼ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଲ୍ ଶିଫା ହସ୍ପିଟାଲରୁ ରବିବାର ୩୧ ଜଣ ଅପରିପକ୍ୱ ଶିଶୁଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଇଥିଲା । ଉକ୍ତ ହସ୍ପିଟାଲରେ ୨୫୦ରୁ ଊର୍ଦ୍ଧ୍ୱ ସଙ୍କଟାପନ୍ନ ରୋଗୀ ଅଟକି ରହିଛନ୍ତି । ଇସ୍ରାଏଲ୍ ସେନା ଆକ୍ରମଣରେ ପାଖାପାଖି ୧୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା କୁହାଯାଉଛି । ହସ୍ପିଟାଲଗୁଡ଼ିକରେ ହମାସ୍ ଆତଙ୍କବାଦୀ ଆତ୍ମଗୋପନ କରିବା ସହ ଏହାକୁ ସେମାନଙ୍କ କମାଣ୍ଡ ସେଣ୍ଟରରେ ପରିଣତ କରିଥିବା ଅଭିଯୋଗ କରି ଇସ୍ରାଏଲ୍ ସେଗୁଡ଼ିକୁ ଟାର୍ଗେଟ କରୁଛି ।

ଶିଫା ହସ୍ପିଟାଲ ତଳେ ୫୫ ମିଟର ସୁଡ଼ଙ୍ଗ ଠାବ ହୋଇଛି । ଆତଙ୍କବାଦୀମାନେ ଉକ୍ତ ସୁଡ଼ଙ୍ଗରେ ରହିବା ସହ ସେଠାରେ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖିଥିବା ଇସ୍ରାଏଲ୍ କହିଛି । ଇସ୍ରାଏଲ୍ ସୈନ୍ୟ ସୋମବାର ଆକ୍ରମଣକୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରଣ କରିଛନ୍ତି । ଗାଜାର ସର୍ବବୃହତ୍ ଶରଣାର୍ଥୀ କ୍ୟାମ୍ପ ଜବାଲିଆ ଓ ଏହା ନିକଟରେ ଥିବା ଅନ୍ୟ ଏକ ଉପକୂଳବର୍ତ୍ତୀ କ୍ୟାମ୍ପକୁ ତୁରନ୍ତ ଖାଲି କରିବା ପାଇଁ ଇସ୍ରାଏଲ୍ ସେଠାର ବାସିନ୍ଦାମାନଙ୍କୁ କହିଛି । ରବିବାର ଜାବାଲିଆରେ ଆକ୍ରମଣ ଯୋଗୁ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଥିଲା । ଶନିବାର ଉକ୍ତ ଅଞ୍ଚଳରେ ଥିବା ଏକ ସ୍କୁଲ୍ ସମେତ ଦୁଇଟି ସ୍ଥାନରେ ଆକ୍ରମଣ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା । ସ୍କୁଲ୍‌ରେ ଆକ୍ରମଣକୁ ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲ୍‌କର ଟର୍କ ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ହମାସ୍ ପଣବନ୍ଦୀ କରିଥିବା ୨୪୦ ଜଣଙ୍କୁ ମୁକ୍ତ କରିବା ଉଦ୍ୟମରେ ଅଗ୍ରଗତି ହେଉଥିବା କାତାରର ମଧ୍ୟସ୍ଥମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking