୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପୁଣି ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଧମକ ଜନିତ ଇ-ମେଲ ପାଇଛନ୍ତି କ୍ରିକେଟରରୁ ବିଜେପି ସାଂସଦ ହୋଇଥିବା ଗୌତମ ଗମ୍ଭୀର । ପ୍ରଥମ ଧମକ ଭଳି ଦ୍ୱିତୀୟ ଧମକ ମଧ୍ୟ ତାଙ୍କୁ ଦୁର୍ବୃତ୍ତମାନେ ଇ-ମେଲ ଯୋଗେ ପଠାଇଛନ୍ତି । ଦ୍ୱିତୀୟ ହତ୍ୟା ଧମକ ଇ-ମେଲରେ ତାଙ୍କ ଘରର ବାହାରର ଭିଡିଓ ମଧ୍ୟ ରହିଛି ।

ଏହି ଇ-ମେଲ ପାଇବା ମାତ୍ରେ ଗମ୍ଭୀର ପୁଣିଥରେ ଦିଲ୍ଲୀ ପୁଲିସରେ ଅଭିଯୋଗ କରିଛନ୍ତି। ‘ଆଇଏସଆଇଏସ କାଶ୍ମୀର’ ଜିମେଲରୁ ଦ୍ୱିତୀୟ ହତ୍ୟା ଧମକ ବାର୍ତ୍ତା ଗମ୍ଭୀରଙ୍କ ପାଖରେ ପହଞ୍ଚିଛି । ଏଥିରେ ଲେଖାଯାଇଛି ଯେ “ଆମେ ତୁମକୁ ହତ୍ୟା କରିବାକୁ ଲକ୍ଷ୍ୟ ରଖିଥିଲୁ । କିନ୍ତୁ ଗତକାଲି ତୁମେ ବଞ୍ଚିଗଲ । ଯଦି ତୁମେ ନିଜ ପରିବାର ଲୋକଙ୍କ ଜୀବନକୁ ଭଲ ପାଉଛ, ତା’ହେଲେ ରାଜନୀତି ଓ କଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହ। ଦ୍ୱିତୀୟ ଧମକପୂର୍ଣ୍ଣ ଇ-ମେଲରେ ଗୋଟିଏ ଭିଡିଓ ରହିଛି । ଏହି ଭିଡିଓକୁ ଗମ୍ଭୀରଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଆଗରୁ ହିଁ ଶୁଟ କରାଯାଇଛି ।

ସେପଟେ ସୁରକ୍ଷା ପାଇଁ ଗମ୍ଭୀରଙ୍କ ଘର ବାହାରେ ବୃଦ୍ଧି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ସେଣ୍ଟ୍ରାଲ୍ ଡିସିପିଙ୍କ ନିକଟକୁ ପଠାଇଥିବା ଚିଠିରେ ଗମ୍ଭୀର ଦର୍ଶାଇଥିଲେ ଯେ ସେ ‘ଆଇଏସ୍‌ଆଇଏସ୍‌ କଶ୍ମୀର’ରୁ ଏକ ଇ-ମେଲ୍‌ ପାଇଛନ୍ତି । ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ହୋଇଛି। ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ । ଏହା ପୂର୍ବରୁ ମଧ୍ୟ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା । ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ଏକ ହତ୍ୟା ଧମକ ଦିଆଯାଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here