34.1 C
Bhubaneswar
Friday, March 29, 2024
Homeଓଡିଶାନୀଳକଣ୍ଠେଶ୍ୱର ଶ୍ମଶାନ କରୋନା ମୃତକଙ୍କ ଶେଷ ଠିକଣା, ବାଷ୍ପରୁଦ୍ଧ ଚାମ୍ବରରେ ହେଉଛି ଶବ ସତ୍କାର

ନୀଳକଣ୍ଠେଶ୍ୱର ଶ୍ମଶାନ କରୋନା ମୃତକଙ୍କ ଶେଷ ଠିକଣା, ବାଷ୍ପରୁଦ୍ଧ ଚାମ୍ବରରେ ହେଉଛି ଶବ ସତ୍କାର

ଗଞ୍ଜାମ: କରୋନା ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଭୂତାଣୁ କବଳରେ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତି ଜୀବନ ହରାଉଛନ୍ତି । ମୃତ ବ୍ୟକ୍ତିଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ପ୍ରଶାସନ ସତ୍କାର କରିଥାଏ । ସହରର ଉପଖଣ୍ଡ ଓ ସହରର ସିଟି ହସ୍ପିଟାଲ, ଟାଟା କୋଭିଡ୍ ହସପିଟାଲ, ଏମ୍‌କେସିଜି କୋଭିଡ୍ ହସପିଟାଲ ଓ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ସମେତ ଘରେ ରହି କରୋନା ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହେବା ପରେ ନୀଳକଣ୍ଠେଶ୍ୱର ଶ୍ମଶାନରେ ରୋଗୀଙ୍କ ଶବ ଦାହ କରାଯାଇଥାଏ । ଏହାଛଡ଼ା କୌଣସି ସ୍ଥାନରେ ରୋଗୀଙ୍କ ମୃତ୍ୟୁ ପରେ ଶବ ସତ୍କାର ନେଇ ସମସ୍ୟା ରହିଲେ ପ୍ରଶାସନ ସତ୍କାର କରୁଛି । କରୋନରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ପିଛା ପ୍ରଶାସନ ୬ ହଜାର ଟଙ୍କା ଲେଖାଏଁ ଦେଉଛି ବୋଲି ଶବ ଦାହ କରୁଥିବା ପ୍ରଫୁଲ୍ଲ ବେହେରା କହିଛନ୍ତି । ଏହି ଶ୍ମଶାନରେ ମୃତ ବ୍ୟକ୍ତିର ଶବ ଅନ୍ତିମ ସଂସ୍କାର କରିବା ନିମନ୍ତେ ଗୋରଖପୁର ଊର୍ଜା ନାମକ ଏକ ସଂସ୍ଥା ପକ୍ଷରୁ ଶବ ଦାହ ପାଇଁ ବାଷ୍ପରୁଦ୍ଧ ଚାମ୍ବର ସହ ଦୁଇ ଜଣ ତାଲିମପ୍ରାପ୍ତ କର୍ମଚାରୀ ଅଛନ୍ତି । ସଂସ୍ଥା ପକ୍ଷରୁ କର୍ମଚାରୀମାନଙ୍କୁ ମାସିକ ଦରମା ମଧ୍ୟ ଦିଆଯାଉଛି ।

ନୀଳକଣ୍ଠେଶ୍ୱର ଶ୍ମଶାନରେ ବ୍ରହ୍ମପୁର ମହାନଗର ନିଗମ ଓ ଗୋରଖପୁର ଊର୍ଜା ସଂସ୍ଥା ପକ୍ଷରୁ ପିପିପି ମୋର୍ଡରେ ୯୦ଲକ୍ଷ ଟଙ୍କା ବ୍ୟୟରେ ଶବ ଦାହ କରିବା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରଚାଳିତ ଲୁହା ବାଷ୍ପରୁଦ୍ଧ ଚାମ୍ବର ସ୍ଥାପନ କରାଯାଇଛି । ଏଥିରେ ଗୋଟିଏ ଶବ ଦାହ କରିବା ନିମନ୍ତେ ୧୭୫ କିଲୋ (ତିନି ପାଟୁ) କାଠ ସହ ୭୦ରୁ ୮୦ ମିନିଟ୍ ସମୟ ଲାଗୁଥିବା ଶବଦାହ କରୁଥିବା ମାଲୁଆ ପ୍ରଫୁଲ୍ଲ ବେହେରା କହିଛନ୍ତି । ଦୈନିକ ୭/୮ଟି ଡାକ୍ତରଖାନାରୁ ଆସୁଥିବା ମୃଦହେହ ସତ୍କାର କରାଯାଉଥିବା ସେ କହିଛନ୍ତି । ପ୍ରଥମେ ଲୁହା ବାସ୍କେଟ୍ ଉପରେ କାଠ ସଜାଯାଏ । ପରେ ସେହି କାଠ ଉପରେ ଶବ ରଖି ଅଗ୍ନି ସଂଯୋଗ କରାଯାଏ । ଉକ୍ତ ବାସ୍କେଟ୍‌କୁ ଶବଦାହ ବାଷ୍ପରୁଦ୍ଧ ଚାମ୍ବର ଭିତରେ ପ୍ରବେଶ କରାଯାଏ । ମୋଟା ଲୁହା ପ୍ଲେଟ ସାହାଯ୍ୟରେ ଖୋଲାଥିବା ଚ୍ୟାମ୍ବର ରାସ୍ତାକୁ ବନ୍ଦ କରାଯାଏ । ଯାହା ଫଳରେ ଉତ୍ତାପ ବାହାରକୁ ଜଣାପଡେ ନାହିଁ ।

ଭିତରେ ଥିବା ଫ୍ୟାନ୍ ସାହାଯ୍ୟରେ କାଠ ସହ ଶବ ଜଳିବାରେ ଲାଗେ । ଏହି ଚାମ୍ବରରେ ଏକହଜାର ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଶବ ଦାହ ହୋଇ ସେଥିରୁ ବାହାରୁଥିବା କଠିନ ବସ୍ତୁ ଓ ପାଉଁଶ ଭିନ୍ନ ସ୍ଥାନରେ ସଂଗୃହୀତ ହୋଇଥାଏ । ଏଥିରୁ ଯେଉଁ ବାଷ୍ପ ବାହାରେ ତାହା ଏକ ପାଣିଟାଙ୍କି ମଧ୍ୟରେ ପ୍ରବେଶ କରିଥାଏ । ସେଠାରେ ଧୂଆଁ ପାଣିରେ ମିଶିବା ପରେ ଯେଉଁ ଜୈବିକ ପଦାର୍ଥ ବାହାରେ ତାହା ପାଣିରେ ଜମା ରହି କେବଳ ଧୂଆଁକୁ ଏକ ମୋଟର ସାହାଯ୍ୟରେ ଚାମ୍ବର ପାର୍ଶ୍ୱରେ ଥିବା ୧୨୫ ଫୁଟ ଉଚ୍ଚ ଧୂଆଁନଳୀରେ ବିଶୋଧିତ ହୋଇ ବାହାରିଥାଏ । ଏହି ଧୂଆଁ ପରିବେଶକୁ ନଷ୍ଟ କରିନଥାଏ ।

ବିଶେଷ କରି କରୋନା କିମ୍ବା ସନ୍ଦିଗ୍ଧ ରୋଗୀଙ୍କୁ ଏହି ଚାମ୍ବର ଜରିଆରେ ଶବ ସତ୍କାର କରାଯାଉଥିବା ବେଳେ ଅନ୍ୟମାନଙ୍କ କ୍ଷେତ୍ରରେ ଚାମ୍ବରରେ ଶବଦାହ କରାନଯାଇ ଶ୍ମଶାନ ପରିସରରେ ସ୍ୱାଭାବିକ ଢଙ୍ଗରେ କରାଯାଉଛି । କରୋନା ଲୋକଙ୍କ ମନରେ ଏଭଳି ଭୟ ସୃଷ୍ଟି କରିଛି ଯେ ସେମାନେ ଶବକୁ ଛୁଇଁବାକୁ ଇଛା କରୁନାହାନ୍ତି । ଯାହାଫଳରେ କିଛି  ସ୍ଥାନରେ ଶବ ଘଣ୍ଟା ଘଣ୍ଟା ପଡ଼ିରହୁଥିବା ନଜିର ରହିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଶବକୁ ଅନ୍ତିମ ସତ୍କାର କରିବା ନିମନ୍ତେ ଏଭଳି ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking