40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଭୟରେ ଶବକୁ ଛୁଇଁଲେ ନାହିଁ

କରୋନା ଭୟରେ ଶବକୁ ଛୁଇଁଲେ ନାହିଁ

ହିଞ୍ଜିଳିକାଟୁ  : ମହାମାରୀ କରୋନା ମୃତ୍ୟୁକୁ ନେଇ ମଣିଷ ମନରେ ଏମିତି ଛନକା ପଶିଯାଇଛି ଯେ ମାନବିକତା ମଧ୍ୟ ନଷ୍ଟ ହୋଇଯାଉଛି । କରୋନା ପାଇଁ ଯେତିକି ପ୍ରଚାର ହେଉଛି ସେତିକି ଭୟ ମଧ୍ୟ ସୃଷ୍ଟି ହେଉଛି । କରୋନା ୨ୟ ଲହର କ୍ଷୀପ୍ର ବେଗରେ ମାଡ଼ି ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ମୃତ୍ୟୁ ବୃଦ୍ଧି ପାଉଛି । ତେବେ ଅନେକ ସ୍ଥାନରେ ମୃତ୍ୟୁ ପରେ ପରିବାର ଲୋକଙ୍କ କାକୁତି ମିନତି ସତ୍ବେ ଶବକୁ ସତ୍କାର ପାଇଁ ୪ କାନ୍ଧ ମିଳୁନାହିଁ। ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଗ୍ରାମରେ। ଗ୍ରାମର ଡି.ଗୋବିନ୍ଦଙ୍କ ରବିବାର ସକାଳେ ନିଜ ଘରେ ମୃତ୍ୟୁ ଘଟିଥିଲା। ସେ ପାରାଦୀପ ଠାରେ କାମ କରୁଥିଲେ। ଶନିବାର ରାତିରେ ସେ ଗାଁ କୁ ଫେରିଥିଲେ। ରବିବାର ସକାଳେ ତାଙ୍କର ମୃତ୍ୟୁ ପରେ ସମ୍ପର୍କୀୟ କିମ୍ବା ଗ୍ରାମବାସୀ କେହି ଶବକୁ ଛୁଇଁଲେ ନାହିଁ କି ସତ୍କାର ପାଇଁ ମଶାଣିକୁ ନେବା ପାଇଁ ଆସିଲେନି। କରୋନା ଭୟରେ କେହି ପାଖ ମାଡିଲେ ନାହିଁ ।

ମୃତକ ଗୋବିନ୍ଦଙ୍କ ୩ନାବାଳିକା ଝିଅ ଓ ପରିବାର ଏପରି ସ୍ଥିତିରେ ଭାଙ୍ଗି ଯାଇଥିଲେ। ଶେଷରେ,ଶବଦାହ ପାଇଁ ପ୍ରଶାସନର ହସ୍ତକ୍ଷେପ କରିବାକୁ ପଡିଲା। ହିଞ୍ଜିଳିକାଟୁ ବିଡ଼ିଓ, ପୌର ନିର୍ବାହୀ ଅଧିକାରୀ, ଦମକଳବାହିନୀ, ଅତିରିକ୍ତ ତହସିଲଦାର, ଜିଆରଏସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗ୍ରାମର କିଛି ସ୍ବେଚ୍ଛାସେବୀଙ୍କୁ ପିପିଇ କିଟ୍ ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିଥିଲେ। ମ୍ୟୁନିସିପାଲିଟିର ଶବ ବୋହିବା ଆମ୍ବୁଲାନ୍ସରେ ଗୋବିନ୍ଦଙ୍କ ଶବକୁ ନେଇ ସତ୍କାର କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କ ଏପରି କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ଜିଲ୍ଲାପାଳଙ୍କ ଟୁଇଟର ଆକାଉଣ୍ଟରେ ଏହାକୁ ପଠାଯାଇଛି। ଏଥି ସହ ଏହାର ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସା କରାଯାଇଛି। ତେବେ କରୋନା ସହ ମାନବ ସମାଜର ଲଢେ଼ଇରେ ମୃତକ ଶବକୁ ୪ କାନ୍ଧ ନ ମିଳିବା, ସାମାଜିକ ସମ୍ପର୍କ ବ୍ୟାହତ ସହ ମାନବିକତା ନଷ୍ଟ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking