38.1 C
Bhubaneswar
Tuesday, April 23, 2024
Homeଓଡିଶାହାତ ଧରିଲେ ଏଚ୍‌ଆଇଭି ସଂକ୍ରମିତ ଯୁବକ ଯୁବତୀ, ଜିଲ୍ଲାପାଳ କଲେ କନ୍ୟାଦାନ

ହାତ ଧରିଲେ ଏଚ୍‌ଆଇଭି ସଂକ୍ରମିତ ଯୁବକ ଯୁବତୀ, ଜିଲ୍ଲାପାଳ କଲେ କନ୍ୟାଦାନ

ଭିଡିଓ କନଫରେନ୍ସିଂରେ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: କନ୍ୟାଦାନ କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏଚ୍‌ଆଇଭି ଆକ୍ରାନ୍ତ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ ବାନ୍ଧିଛନ୍ତି ଜିଲ୍ଲାପାଳ । ଗୋପାଳପୁରସ୍ଥିତ ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ ରବୀନ୍ଦ୍ର ବାଡ଼ତ୍ୟା ଏବଂ ଏସ୍‌.ପଦ୍ମାଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଶନିବାର ପୂର୍ବାହ୍ନରେ ରୀତିନୀତି ଅନୁସାରେ ବିବାହ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଦମ୍ପତିଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଶୀର୍ବାଦ ପ୍ରଦାନ କରି ଉଭୟଙ୍କ ବୈବାହିକ ଜୀବନ ସୁଖମୟ କାମନା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଭିଡିଓ କନ୍‌ଫରେନ୍ସିଂରେ ୫-ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ୍ କନଫରେନ୍ସିଂକୁ ପରିଚାଳନା କରି ଦମ୍ପତିଙ୍କ ବୈବାହିକ ଜୀବନ ସୁଖମୟ କାମନା କରିଥିଲେ ।

ଶନିବାର ବିବାହ କରିଥିବା ନବ ଦମ୍ପତି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ପ୍ରଶିକ୍ଷଣ ଗ୍ରହଣକରି ହାଇଦ୍ରାବାଦ୍‌ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ଏହି ଅନୁଷ୍ଠାନରେ ଅନେକ ଏଚ୍‌ଆଇଭି ପଜିଟିଭ୍ ଆକ୍ରାନ୍ତ ଯୁବକଯୁବତୀ ନିଜକୁ ଅସହାୟ ମନେ ନକରି ଜୀବନକୁ ଗଢ଼ିବାରେ ସହାୟକ ହୋଇଛନ୍ତି । ଏହି ଅନୁଷ୍ଠାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଯୋଜନା ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି । ରବୀନ୍ଦ୍ରଙ୍କ ଘର ଜଗନ୍ନାଥପ୍ରସାଦ ଓ ପଦ୍ମାଙ୍କ ଘର କୁକୁଡ଼ାଖଣ୍ଡି । ଏହି ବିବାହ ଉତ୍ସବରେ ରବୀନ୍ଦ୍ରଙ୍କ ବଡ଼ବାପା, ଭାଇ, ଭଉଣୀ, ଭାଉଜ ସମେତ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ । ପଦ୍ମାଙ୍କ ସାନଭଉଣୀ ବିବାହ କାର୍ଯ୍ୟରେ ଯୋଗ ଦେଇଥିଲେ । ଭୋଜିଭାତ ହେଲା । ବିବାହ ଉତ୍ସବରେ ଶତାଧିକ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ।

ରବୀନ୍ଦ୍ର ଓ ପଦ୍ମା ଏଡ୍‌ସ୍ ସଂକ୍ରମିତ ଚିହ୍ନଟ ହେବା ପରେ ୨୦୦୮ରୁ ଶ୍ରଦ୍ଧା ସଞ୍ଜୀବନୀରେ ଥିଲେ । ଗୋପାଳପୁର ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଧ୍ୟାନ ଦିଆଯାଇଥିଲା । କେବଳ ସେମାନେ ନୁହନ୍ତି, ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ଗାଁକୁ ଯାଇ ପରିବାର ଥଇଥାନ କରିବାକୁ ଘର ଓ କର୍ମସଂସ୍ଥାନ ଯୋଗାଡ଼ ବ୍ୟବସ୍ଥା କରାଯାଉଥିବା ଅରୁଣା ସ୍ୱେଚ୍ଛାସେବୀ ସଂସ୍ଥା ନିର୍ଦ୍ଦେଶକ ଲୋକନାଥ ମିଶ୍ର  କହିଛନ୍ତି । ନବଦମ୍ପତି ଆଜି ଗାଁକୁ ଯିବେ । ପରେ ହାଇଦ୍ରାବାଦ୍ କର୍ମସ୍ଥଳକୁ ଫେରିଯିବେ ବୋଲି ସୂଚନା ମିଳିଛି ।

ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ ଏଚ୍‌ଆଇଭି ପଜିଟିଭ୍ ଆକ୍ରାନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ବିକାଶ ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ସାଧନରେ କାର୍ଯ୍ୟକରୁଛି । ଏହି ଶିଶୁ ଯତ୍ନ ଗୃହରେ ୧୨୦ ଶିଶୁ ରହିବା ଓ ସେମାନଙ୍କୁ ଶିିକ୍ଷାଦାନ ବ୍ୟବସ୍ଥା ରହିଛି । ମହିଳା ଓ ଶିଶୁ ବିକାଶ ବିଭାଗର ଆର୍ଥିକ ସହାୟତାରେ ଚାଲିଥିବା ଏହି  ଗୃହରେ ଏଯାବତ୍ ୯୮ ଛାତ୍ରଛାତ୍ରୀ ରହିଥିଲେ। ତନ୍ମମଧ୍ୟରୁ ୪୪ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ କର୍ମ ନିଯୁକ୍ତି ପାଇଛନ୍ତି । ଏବେ ୫୦ ଛାତ୍ରଛାତ୍ରୀ ଏହି ଗୃହରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ସହ ସେମାନଙ୍କୁ ଅରୁଣା ଅନୁଷ୍ଠାନ ଦ୍ୱାରା ପରିଚାଳନା  କରାଯାଇ ଶିକ୍ଷା ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking