ଭୁବନେଶ୍ୱର ଫେରନ୍ତା ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ

ଗଞ୍ଜାମ : ରାଜ୍ୟର ସର୍ବାଧିକ କରୋନା ପଜିଟିଭ୍ ଭୁବନେଶ୍ୱରରେ ରହିଛନ୍ତି । ଏହି ସହରରେ ସମସ୍ତ ହଟସ୍ପଟ୍ ଅଞ୍ଚଳର ଜନସାଧାରଣଙ୍କ ଗତିବିଧି ଉପରେ ପ୍ରଶାସନ କଡ଼ା ନଜର ରଖିଛି । ଅନୁରୂପ ଭାବେ ଗଞ୍ଜାମ ଜିଲ୍ଳା ପ୍ରଶାସନ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ୱର ଯାଇ ଫେରିଥିବା ସରକାରୀ କର୍ମଚାରୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ୱତନ୍ତ୍ର ଚିଠି ଯୋଗେ ସମସ୍ତ ସରକାରୀ ଅଧିକାରୀଙ୍କୁ ସଚେତନ କରୁଛନ୍ତି । ଭୁୁବନେଶ୍ୱର ଯାଇ ଫେରିଥିବା ସମସ୍ତ ସରକାରୀ କର୍ମଚାରୀ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ୮ ତାରିଖରେ ବ୍ରହ୍ମପୁୁର ବିଶ୍ୱବିଦ୍ୟାଳୟର ୨ ଜଣ କର୍ମଚାରୀ ବିଶ୍ୱ ବିଦ୍ୟାଳୟର ଅର୍ଥ ନିୟନ୍ତ୍ରକଙ୍କଠାରେ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ । ସମ୍ପୃକ୍ତ କର୍ମଚାରୀମାନେ ଗଞ୍ଜାମ ଜିଲ୍ଳାକୁ ଫେରିବା ପରେ ଆଇସୋଲେସନରେ ରହିବା ବଦଳରେ ବେପରୁଆ ଭାବେ ବୁଲୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିଥିବା କୁହାଯାଇଛି ।
ସୂଚନା ଅନୁଯାୟୀ, ସାଂପ୍ରତିକ ସ୍ଥିତିରେ ଏଭଳି କାର୍ଯ୍ୟକଳାପକୁ ପ୍ରଶାସନ ଗୁରୁତର ସହ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳସଚିବ ରଞ୍ଜନ କୁମାର ବିଶ୍ୱାଳ ସମ୍ପୃକ୍ତ କର୍ମଚାରୀମାନେ ଆଇସୋଲେସନରେ ରହିଥିବା ନେଇ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାପାଳ ଗୁରୁବାର ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା କେଶପୁର ଅଞ୍ଚଳ ଏବଂ ଆନ୍ଧ୍ର ସୀମାନ୍ତରେ ଥିବା କେତେକ ଅଞ୍ଚଳ ତଦାରଖ କରିଛନ୍ତି । ଏହି ରାସ୍ତାଦେଇ କୌଣସି ୨ ଚକିଆ, ୪ ଚକିଆ ଯାନବାହାନ କିମ୍ବା କୌଣସି ବ୍ୟକ୍ତି ଯେପରି ଜିଲ୍ଲାରେ ପ୍ରବେଶ ନ କରନ୍ତି ସେଥିପାଇଁ ପୁଲିସ୍ ପ୍ରଶାସନ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।