ତପ୍ତପାଣି ଜଙ୍ଗଲରେ ଅବକାରୀ ବିଭାଗ ପୁଲିସର ଚଢ଼ଉ : ୪ ଏକର ଜମିରୁ ଗଞ୍ଜେଇ ଫସଲ ନଷ୍ଟ

ସାନଖେମୁଣ୍ଡି : ଗଞ୍ଜାମ-ଗଜପତି ସୀମାନ୍ତବର୍ତ୍ତୀ ତପ୍ତପାଣି ଜଙ୍ଗଲରେ ବେଧଡ଼କ ଭାବେ ଗଞ୍ଜେଇ ଚାଷ ଚାଲିଛି । ଏ ସମ୍ପର୍କରେ ଅବକାରୀ ବିଭାଗ ଜାଣିବା ପରେ ପୁଲିସ ସହାୟତାରେ ତପ୍ତପାଣି ନିକଟସ୍ଥ ଖପରାବାଡ ମୌଜା ଜଙ୍ଗଲ ଜମିରୁ ବିପୁଳ ପରିମାଣର ଗଞ୍ଜେଇ ଫସଲ କାଟିବା ସହ ଜାଳିଦେଇଛି । ଅବକାରୀ ଗୁଇନ୍ଦା ସୂଚନାକ୍ରମେ ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଆଜି ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ସେଠାରେ ପ୍ରାୟ ୪ଏକର ଜଙ୍ଗଲ ଜମିରୁ ୧୫୦୦୦ ଗଞ୍ଜେଇ ଗଛ କାଟି ନିଆଁ ଲଗାଇଥିଲେ । ଏହାର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ । ଦିଗପହଣ୍ଡି ତହସିଲଦାର ଅଦ୍ୱୈତ୍ୟ କୁମାର ସ୍ୱାଇଁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱରେ ଥିବାବେଳେ ବ୍ରହ୍ମପୁର ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର, ଚିକିଟି ଅବକାରୀ ଇନ୍‌ସ୍ପେକ୍ଟର ଲକ୍ଷ୍ମଣ କୁମାର ଷଡଙ୍ଗୀ, ବ୍ରହ୍ମପୁର ରେଞ୍ଜ ଇନ୍‌ସ୍ପେକ୍ଟର ରୋସନ ଇସୁ ହାଁସଦା, ଷ୍ଟ୍ରାଇକିଂ ଫୋର୍ସ ଇନ୍‌ସ୍ପେକ୍ଟର ବାଳକୃଷ୍ଣ ପରିଡା, ଦିଗପହଣ୍ଡି ଅବକାରୀ ଏସ୍‌ଆଇ ଅଭିରାମ ସାହୁ, ଏସ୍‌ଆଇ ବାଳକ ବିଶି, ସନ୍ତୋଷ କୁମାର ସାହୁ, ରବୀନ୍ଦ୍ର ନାଥ ପାଢ଼ୀ, ପାଟପୁର ଥାନା ଏସ୍‌ଆଇ ଶୁଭ୍ରଜିତ ସାମନ୍ତରାୟ, ସୁଦର୍ଶନ ପାଢ଼ୀଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ଏହି ଚଢ଼ଉରେ ସାମିଲ ଥିଲେ । ଏହି ଚଢ଼ଉ ବେଳେ ଅବକାରୀ ବିଭାଗ ଝରଣା ପାଖରୁ ଗୋଟିଏ ମଦଭାଟି ଭାଙ୍ଗିବା ସହ ସେଠାରୁ ଡେକ୍‌ଚି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ତପ୍ତପାଣି ସଂଲଗ୍ନ ଜଙ୍ଗଲରୁ ଗଛକାଟି ଗଞ୍ଜେଇ ଚାଷ ଚାଲିଛି ।