34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦିନରେ ତନ୍ତ ବୁଣିବା ସହିତ ରାତିରେ କାବ୍ୟ ରଚନା କରୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର

ଦିନରେ ତନ୍ତ ବୁଣିବା ସହିତ ରାତିରେ କାବ୍ୟ ରଚନା କରୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର

ନୂଆଦିଲ୍ଲୀ : ଯେଉଁ କବିଙ୍କୁ ନେଇ ଗର୍ବ କରନ୍ତି ପ୍ରତିଟି ଓଡ଼ିଆ, ଯେଉଁ କବିଙ୍କ ଲେଖନୀ ଚାଳନା ଓଡିଆ ଭାଷା ସାହିତ୍ୟକୁ କରିଛି ଅଧିକରୁ ଅଧିକ ଋଦ୍ଧିମନ୍ତ । ସେହି ଯୋଗଜନ୍ମା କବି ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର । ଓଡିଆଭାଷା, ସାହିତ୍ୟ ଓ ଓଡିଆଜାତି ଯେତେବେଳେ ସଙ୍କଟ ଦେଇ ଗତି କରୁଥିଲା ସେତିକି ବେଳେ କବି ଗଙ୍ଗାଧରଙ୍କର ହୋଇଥିଲା ଅଭ୍ୟୁଦୟ । ତାଙ୍କ ଲେଖନୀରୁ ସୃଷ୍ଟି ହୋଇଥିଲା କାଳଜୟୀ ସାହିତ୍ୟ । ପ୍ରତିଟି ସୃଷ୍ଟିରେ ଭରି ରହିଥିଲା ଆଦର୍ଶଭାବନା, ଦେଶପ୍ରୀତି ଓ ପ୍ରକୃତିବର୍ଣ୍ଣନା ଏମିତି ଅନେକ । ଶ୍ରାବଣପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର। ଏବେ ତାଙ୍କର ୧୬୧ତମ ଜୟନ୍ତୀ ପାଳନ ହେଉଛି । ତାଙ୍କ ଜନ୍ମମାଟି ହେଉଛି ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ । ଜନ୍ମମାଟି ସମେତ ସାରା ଓଡିଶାରେ ପାଳନ କରାଯାଉଛି ତାଙ୍କର ଜନ୍ମତିଥି । ତାଙ୍କୁ ଓ ତାଙ୍କ ଅବଦାନକୁ ମନେ ପକାଇବା ଓ ଶ୍ରଦ୍ଧାଞ୍ଜଳି ଦେବା ହେଉଛି ଆମ ମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

ସ୍ଵଭାବ କବି ଗଙ୍ଗାଧର ମେହେର ଅଗଷ୍ଟ ୯ ତାରିଖ ୧୮୬୨ ମସିହା ଶ୍ରାବଣପୂର୍ଣ୍ଣିମା ଦିନ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମର ଏକ ଭୁଲିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୈତନ୍ୟ ମେହେର ଓ ମାତାଙ୍କ ନାମ ଥିଲା ସେବତୀ ଦେବୀ । ବାପା ଚୈତନ୍ୟ ମେହେର ଲୁଗା ବୁଣି କବିରାଜି କରି ପରିବାର ଚଳାଉଥିଲେ । ବୟସ ମାତ୍ର ସାତଆଠ ବର୍ଷ ହୋଇଥିବା ବେଳେ ଚାଟଶାଳୀରେ ଗଙ୍ଗାଧର ପାଠ ପଢ଼ିଲେ । ପରେ ବ୍ରାଞ୍ଚସ୍କୁଲ ଓ ଭର୍ନାକୋଲାର ସ୍କୁଲରେ ପଞ୍ଚମଶ୍ରେଣୀ ଯାଏଁ ପାଠ ପଢିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଥିଲେ ମଧ୍ୟ କାବ୍ୟ କବିତା ରଚନାରେ ତାଙ୍କ ଦକ୍ଷତା ଥିଲା ଅପରିସୀମ ଓ ଅନନ୍ୟ | ପିଲା ସମୟରେ ବାପାଙ୍କୁ ବେଳେବେଳେ ସେ ଲୁଗା ବୁଣିବାରେ ସାହାଯ୍ୟ ସହଯୋଗ ବି କରୁଥିଲେ। ଘରେ ରହି ସେ ଭାଗବତ, ମଥୁରାମଙ୍ଗଳ, ସୀତା ବନବାସ, କାଦମ୍ବରୀ, ରଘୁବଂଶ ଆଦି ମଧ୍ୟ ପଢ଼ାପଢ଼ି କରୁଥିଲେ । ୧୮୭୮ମସିହାରେ ସେ ବିବାହ କରିଥିଲେ ଶାନ୍ତାଦେବୀଙ୍କୁ ।ପୈତୃକ ବେଉସା ଲୁଗାବୁଣି କରି ସେ ପେଟ ପୋଷୁଥିଲେ । କିନ୍ତୁ ପେଶା ସହ ନିଜ ନିଶାକୁ ମଧ୍ୟ ବଜାୟ ରଖିଥିଲେ ଶ୍ରୀ ମେହେର | ତନ୍ତବୁଣା ସହ ଗ୍ରନ୍ଥ ଚର୍ଚ୍ଚା ବି କରୁଥିଲେ । ଦିନରେ ତନ୍ତରେ ଲୁଗା ବୁଣୁଥିବା ବେଳେ ରାତିରେ କାବ୍ୟ କବିତା ଆଦି ରଚନା କରିବା ଥିଲା ତାଙ୍କ ନିତିଦିନିଆ କାର୍ଯ୍ୟ | ପରେ ବରପାଲି ଜମିଦାର ତାଙ୍କୁ ୧୮୮୫ରେ ମାସିକ ୭ ଟଙ୍କା ଦରମାରେ ଅମିନ ଚାକିରିରେ ନିଯୁକ୍ତି ଦେଲେ । କିଛି ବର୍ଷ ପରେ ସେ ଜୁଡିସିଆଲ ମୋହରି ଭାବେ ସମ୍ବଲପୁର , ବିଜେପୁର ,ପଦ୍ମପୁରକୁ ଆଦି ସ୍ଥାନ ମାନଙ୍କୁ ବଦଳି ହୋଇ କାର୍ଯ୍ୟ କରିଥିଲେ ।

ବୋଡା ସମ୍ବର ରାଜା ତାଙ୍କର କାବ୍ୟକବିତାରେ ମୁଗ୍ଧ ହୋଇ ତାଙ୍କୁ ଏକ ଗାଁ ପୁରସ୍କାର ରୂପେ ଦେଇଥିଲେ । ଗଙ୍ଗାଧରଙ୍କ ସ୍ମୃତିରେ ତାଙ୍କ ଗାଁର ନାମ ରଖା ହୋଇଥିଲା କବିରପୁର । ଗଙ୍ଗାଧର ନିଜ କାବ୍ୟ କବିତାରେ ସାରା ଜଗତକୁ ମଧୁମୟର ବାର୍ତ୍ତା ଦେଇଥିଲେ । ରାଧାନାଥ ରାୟ, ଫକୀରମୋହନ ସେନାପତିଙ୍କ ପରି ସାହିତ୍ୟରେ ସେ ଭରିଦେଇଥିଲେ ନୂଆସ୍ଵାଦ। ପ୍ରକୃତି ହୋଇଥିଲା ଜୀବନ୍ତ। ଚରିତ୍ରମାନେ ନିଜ ନିଜ ଗୁଣରେ ହୋଇଥିଲେ ବଳୀୟାନ । ତାଙ୍କ କାବ୍ୟ କବିତା ପାଠ କରି ପାଠକ ହେଉଥିଲେ ଅଭିଭୂତ। ସାହିତ୍ୟ ପଢୁପଢୁ ଧୀରେ ଧୀରେ ଗଙ୍ଗାଧର ସାହିତ୍ୟ ରଚନା କରିବାକୁ ଲାଗିଲେ । ତାଙ୍କ ରଚିତ କାବ୍ୟରସ ଗୁଡିକ ମଧ୍ୟରେ ରହିଛି ରତ୍ନାକର, ଅହଲ୍ୟା ଆଦିକୁ ପଢି ଖୁସି ହୋଇଥିଲେ ପାଠକ ବୃନ୍ଦ । ପରମ୍ପରାର ପୁରୋଦୃଷ୍ଟି, ଆହରଣରେ ନୂତନତା ଆଉ ମୌଳିକତା ଥିଲା ତାଙ୍କ ସାହିତ୍ୟର ମୂଳ ବିଶେଷତ୍ଵ । ଇନ୍ଦୁମତି,ତପସ୍ଵିନୀ, କୀଚକବଧ, ଅର୍ଘ୍ୟଥାଳି ଭଳି କାବ୍ୟକବିତା ରଚନା କରି ସେ ଓଡିଆ ସାହିତ୍ୟରେ କାଳଜୟୀ ସ୍ରଷ୍ଟା ହେବାର ଗୌରବ ଲାଭ କରିଛନ୍ତି । ପ୍ରଣୟ ବଲ୍ଲରୀରେ ଲୋକଶିକ୍ଷା, କୀଚକବଧରେ ସଂଳାପୋଚିତ, କାବ୍ୟପଂକ୍ତି ତାଙ୍କ ପ୍ରତିଭାର ପରିଚୟ ଦିଏ । ୧୯୧୭ ମସିହାରେ ଜଣେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ଗଙ୍ଗାଧର । ୧୯୨୪ମସିହାର ଏପ୍ରିଲମାସ ୪ତାରିଖରେ ଚୈତ୍ର ଅମାବାସ୍ୟା ତିଥିରେ ୬୧ବର୍ଷ ବୟସରେ ତାଙ୍କର ନିଧନ ହୁଏ।ପୂର୍ଣ୍ଣମୀରେ ଆସିଥିଲେ ଆଉ ଅମାବାସ୍ୟାରେ ଇହ ଜଗତରୁ ବିଦାୟ ନେଇଗଲେ ଏହି କାଳଜୟୀ ଲେଖକ ।

ସେଥିପାଇଁ ତ ଜନ୍ମମାଟି ବରପାଲିର ବୁଣାକାରମାନେ ବାନ୍ଧକଳା ମାଧ୍ୟମରେ ତାଙ୍କର ଅନବଦ୍ୟ ସୃଷ୍ଟିକୁ ଲୋକଲୋଚନକୁ ଆଣିଛନ୍ତି । ବିଭିନ୍ନ କାବ୍ୟକବିତାର ପଂକ୍ତିକୁ ବାନ୍ଧକଳା ଦ୍ୱାରା ବାନ୍ଧି ରଖିଛନ୍ତି । ବରପାଲିର ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର ମଧୁମୟ, ଭକ୍ତି  କବିତା ବାନ୍ଧକଳାରେ ସ୍ଥାନ ଦେଇ ଏହି ମହାନ୍‌ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ୧୯୬୯ମସିହାରେ କବିଙ୍କ ବାସଭବନକୁ ରାଜ୍ୟ ସରକାର ନିଜ ଅଧୀନକୁ ନେଇ ଏକ ସଂଗ୍ରହାଳୟ ସ୍ଥାପନ କରିଥିଲେ ।ତାଙ୍କ ବ୍ୟବହୃତ ପୋଷାକ, ଦୁଆତ, କଲମ, କଠଉ ଆଦି ସାମଗ୍ରୀ ଆଜିବି ଦେଖିବାକୁ ମିଳେ ଏଠାରେ । ହେଲେ ତାଙ୍କ ଜନ୍ମମାଟିରେ ଥିବା ସମାଧିପୀଠ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଯାହା କୁହୃଦ ବୋଧ କରି ଚଳିତ ବର୍ଷ ରାଜ୍ୟ ସରକାର ତାଙ୍କ ସମାଧିପୀଠକୁ ପୁନରୁଦ୍ଧାର କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧କୋଟି ୧୯ଲକ୍ଷଟଙ୍କା ଅନୁମୋଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking