35.1 C
Bhubaneswar
Tuesday, April 23, 2024
Homeଅପରାଧପ୍ରେମିକ ସାଜିଲା ଶୈତାନ, ୪ ସାଙ୍ଗଙ୍କ ସହ କରିଥିଲା ଗଣଦୁଷ୍କର୍ମ

ପ୍ରେମିକ ସାଜିଲା ଶୈତାନ, ୪ ସାଙ୍ଗଙ୍କ ସହ କରିଥିଲା ଗଣଦୁଷ୍କର୍ମ

ମୟୁରୁଭଞ୍ଜ : ପ୍ରେମିକ ସାଜିଲା ଶୈତାନ । ଆଉ ବିଶ୍ୱାସରେ ଦେଲା ବିଷ । ୪ଜଣଙ୍କ ସହ ମିଶି ପ୍ରେମିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ପଞ୍ଚମ ଦିନରେ ଆଖି ବୁଜିଥିଲା ପ୍ରେମିକା । ସଂଜ୍ଞାହୀନ ଅବସ୍ଥାରେ ବାଘୁଆଶୋଳ ପାଣିଟାଙ୍କି ନିକଟରୁ ନାବାଳିକା ଉଦ୍ଧାର ହେବା ପରେ କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାନରେ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରଙ୍ଗାମାଟିଆ ଗ୍ରାମର ମୁନୁ ଚାପିଆରଙ୍କ ପୁଅ ବାହାଦୂର ଚାପିଆର(୨୦)ଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପରେ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଥିଲା । ଏହି ସମୟରେ ପୁଲିସକୁ ମିଳିଥିଲା ବଡ଼ ସଫଳତା । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବାହାଦୂର ଚାପିଆର ପୁଲିସ ନିକଟରେ ଦେଇଥିବା ସ୍ୱୀକାରୋକ୍ତିରେ ତା’ସହିତ ଅନ୍ୟ ୪ଜଣ ନାବାଳକ ସାମିଲ ରହିଥିବା ସେ ପ୍ରକାଶ କରିଥିଲା । ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପରମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରୁଥିଲେ । ଉକ୍ତ ଟିମ୍‌ରେ ଆଇଓ ରହିଥିବା ଡିଏସ୍‌ପି ସବିତା ମାଝୀ ଓ ଡିଏସ୍‌ପି ପ୍ରଭାସ ପାଲ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି, ଚାନ୍ଦୁଆ ଥାନା ଆଇଆଇସି ବନାନୀ ବେହେରା  ପ୍ରମୁଖ ସାମିଲ ହୋଇଥିଲେ । ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୫ରେ ନାବାଳିକାର ପରିବାର ଲୋକ ନାବାଳିକା ଜଣକ ବାହାଦୂରକୁ ପ୍ରେମ କରୁଥିବା ବିଷୟକୁ ନେଇ ଆକଟ କରିଥିଲେ ।

ଏହାପରେ ନାବାଳିକା ନିଜ ପ୍ରେମିକ ତଥା ମୁଖ୍ୟ ଅଭିଯୁକ୍ତ ବାହାଦୂର ଚାପିଆରକୁ ଫୋନ୍‌ରେ ସମସ୍ତ ବିଷୟ ଜଣାଇଥିଲା ଏବଂ ବାହାଦୂରଙ୍କ ପରାମର୍ଶକ୍ରମେ ଉକ୍ତଦିନ ରାତିରେ ପ୍ରେମିକ ବାହାଦୂରକୁ ଡକାଇ ବାଇକ୍‌ରେ ବାଘୁଆଶୋଳ ପାଣି ଟାଙ୍କି ନିକଟକୁ ଯାଇଥିଲେ । ସେଠାରେ ନାବାଳିକାକୁ କୌଶଳକ୍ରମେ ନିଶା ଔଷଧ  ଖୁଆଇ ପାଣି ଟାଙ୍କି ଭିତରେ ତାଲା ପକାଇ ରଖି ମୁଖ୍ୟ ଅଭିଯୁକ୍ତ ବାହାଦୂର ଚାପିଆର ଓ ତା’ର ଅନ୍ୟ ୪ଜଣ ସହଯୋଗୀ ନାବାଳକ ମିଶି ଗଣଦୁଷ୍କର୍ମ କରିଥିଲେ । ଏହିପରି ୪ଦିନ ଧରି ବିଭିନ୍ନ ସମୟରେ ପାଣି ଟାଙ୍କି ଭିତରେ ଦୁଷ୍କର୍ମ କରିଥିବା ବେଳେ ନାବାଳିକାକୁ ଗୋଟାଏ ଦିନ କଦଳୀ, ବିସ୍କୁଟ ଓ ପାଣି ଖାଇବାକୁ ଦେଇଥିଲେ । ୫ମ ଦିନ ପରେ ଅର୍ଥାତ୍ ଏପ୍ରିଲ ୩୦ରେ ସ୍ଥାନୀୟ ଲୋକମାନେ ପାଣି ଟାଙ୍କି ଭିତରୁ ଜନୈକ ଝିଅର ପାଟି ଶୁଣିବାକୁ ପାଇ ଟାଙ୍କିର ତାଲା ଭାଙ୍ଗି ତା’ ଭିତରୁ ନାବାଳିକାକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ସେଠାରୁ ନାବାଳିକାକୁ ଉଦ୍ଧାରକରି ପ୍ରଥମେ ବାରିପଦା ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ମେ ୩ରେ ତା’ର ମୃତ୍ୟୁ ହୋଇଥିଲା ।

ପୁଲିସ ତଦନ୍ତ ଆରମ୍ଭକରି ମୁଖ୍ୟ ଅଭିଯୁକ୍ତ ବାହାଦୂର ଚାପିଆର ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା । ବାହାଦୂର ନିକଟରୁ ଅନ୍ୟ ୧୭, ୧୬ ଓ ଦୁଇଜଣ ୧୫ବର୍ଷ ବୟସର ନାବାଳକ ସମ୍ପୃକ୍ତି ରହିଥିବା ସୂଚନା ପାଇବା ପରେ ସେମାନଙ୍କୁ ଧରି ଆଣି ପଚରାଉଚରା କରାଯାଇଥିଲା । ନାବାଳିକ ୪ଜଣ ମଧ୍ୟ ନିଜର ଅପରାଧକୁ ସ୍ୱୀକାର କରିଥିଲେ । ଏହାପରେ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଣିଟାଙ୍କିରେ ପଡ଼ିଥିବା ତାଲା, ଚାବି, ନିଶା ଔଷଧ ଓ ଔଷଧର ଖୋଳ, ନାବାଳିକାର ବସ୍ତ୍ର ଆଦି ମୋଟ ୧୯ଟି ପ୍ରମାଣକୁ ଜବତ କରିବା ସହିତ ନିଶା ଔଷଧ କିଣିଥିବା ଔଷଧ ଦୋକାନୀର ବୟାନ ଆଦି ସଂଗ୍ରହ କରିଥିଲେ । ପୁଲିସ ପକ୍ଷରୁ ସମସ୍ତ ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତିକୁ ଅଫିସିଆଲ ସାକ୍ଷୀଙ୍କ ସମ୍ମୁଖରେ ରେକର୍ଡ଼ କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଚାନ୍ଦୁଆ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୬୩, ୩୪୨, ୩୭୬(୨)(ଏନ୍‌), ୩୭୬(୩), ୩୭୬ ଡିଏ, ୩୦୨. ୩୪ ଏବଂ ୬  ପୋକ୍ସୋ ଆକ୍ଟ -୨୦୧୨ ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭିନିଆଲ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ନାବାଳକ ୪ଜଣଙ୍କୁ ଅନୁଗୋଳସ୍ଥିତ ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବାହାଦୂର ଚାପିଆରଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ବୋଲି ଏସ୍‌ପି ସ୍ମିଥ ପି ପରମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking